30.1 C
Bhubaneswar
Tuesday, May 5, 2026
Homeଓଡିଶାଡ୍ରାଇଭିଂ ଲାଇସେନ୍ସ ଓ ଗାଡ଼ି ଫିଟନେସ୍ ପ୍ରଦାନ ପ୍ରକ୍ରିୟାରେ ସ୍ୱଚ୍ଛତା ଅବଲମ୍ବନ କରିବାକୁ ଆରଟିଓଙ୍କୁ ନିର୍ଦ୍ଦେଶ

ଡ୍ରାଇଭିଂ ଲାଇସେନ୍ସ ଓ ଗାଡ଼ି ଫିଟନେସ୍ ପ୍ରଦାନ ପ୍ରକ୍ରିୟାରେ ସ୍ୱଚ୍ଛତା ଅବଲମ୍ବନ କରିବାକୁ ଆରଟିଓଙ୍କୁ ନିର୍ଦ୍ଦେଶ

କଟକ: ସଡ଼କ ଦୁର୍ଘଟଣା ହ୍ରାସ ଉପରେ ପ୍ରାଧାନ୍ୟ ଦେଇଛନ୍ତି ସରକାର । ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ ବ୍ୟାପକ କରିବାକୁ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶରେ ସମସ୍ତ ଉପ ପରିବହନ ଆୟୁକ୍ତ (ଡିସିଟି), ଆଞ୍ଚଳିକ ପରିବହନ ଅଧିକାରୀ (ଆରଟିଓ) ଓ ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ (ଏଆରଟିଓ)ଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି ପରିବହନ କମିସନର । ରାଜ୍ୟ ପରିବହନ ପ୍ରାଧିକରଣ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ବୈଠକରେ ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଥିବା ବେଳେ ଆଭାସୀ ଜରିଆରେ ଆରଟିଓମାନେ ଉପସ୍ଥିତ ଥିଲେ । ସଡ଼କ ଦୁର୍ଘଟଣା ହ୍ରାସ ପାଇଁ ନିଜ ନିଜ ଜିଲ୍ଲା ଅନୁଯାୟୀ ଆବଶ୍ୟକୀୟ ସମସ୍ତ ପଦକ୍ଷେପ ବ୍ୟାପକ ଭାବରେ ଗ୍ରହଣ କରିବାକୁ ସମସ୍ତ ଆରଟିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।ପରିବହନ କମିସନର ଅମିତାଭ ଠାକୁର କହିଥିଲେ, ପ୍ରତିଦିନ ଯେଉଁଭଳି ସଡ଼କ ଦୁର୍ଘଟଣା ଘଟୁଛି, ଏହା ଏକ ଚିନ୍ତାଜନକ ସ୍ଥିତି ସୃଷ୍ଟି କରୁଛି । ଏହାକୁ ହ୍ରାସ କରିବା ଦିଗରେ କଠୋର ପଦକ୍ଷେପ ଗ୍ରହଣ କରିବାକୁ ସରକାରଙ୍କ ନିର୍ଦ୍ଦେଶ ରହିଛି । ତେଣୁ ସମସ୍ତ ଆରଟିଓଙ୍କୁ ଗ୍ରାଉଣ୍ଡ ଜିରୋରରେ ଏ ଦିଗରେ ବ୍ୟାପକ କାର୍ଯ୍ୟ କରିବାକୁ ହେବ । ଅନେକ ଗାଡ଼ି ଚାଳକ ସଡ଼କ ସୁରକ୍ଷା ନିୟମ ମାନୁନାହାନ୍ତି । ମନଇଚ୍ଛା ଗାଡ଼ି ଚଲାଉଛନ୍ତି । ଆଉ ନିଜ ସହ ଅନ୍ୟମାନଙ୍କ ଜୀବନ ମଧ୍ୟ ନେଇଯାଉଛନ୍ତି । ଏହାକୁ ରୋକିବାକୁ ହେଲେ ଯୋଜନା ଭିତ୍ତିରେ ଏନଫୋର୍ସମେଣ୍ଟ କରିବାକୁ ହେବ ବୋଲି ଶ୍ରୀ ଠାକୁର କହିଛନ୍ତି । ବିଶେଷକରି, ମଦ୍ୟପାନ କରି ଗାଡ଼ି ଚଲାଇବା, ମାଲବାହୀ ଗାଡ଼ିରେ ଯାତ୍ରୀ ନେବା, ରାଜପଥରେ ଅବୈଧ ପାର୍କିଂ କରିବା, ମନଇଚ୍ଛା ଗାଡ଼ିର ଆକାରରେ ପରିବର୍ତ୍ତନ କରି ଭାରସାମ୍ୟ ହରାଇବା, ଗାଡ଼ି ଚଲାଇବା ବେଳେ ମୋବାଇଲ ବ୍ୟବହାର କରିବା ଭଳି ନିୟମ ଉଲ୍ଲଙ୍ଘନକୁ ରୋକିବାକୁ ହେବ। ଏହା ବ୍ୟତୀତ ପ୍ରତି ଜିଲ୍ଲାସ୍ତରରେ ସଡ଼କ ସୁରକ୍ଷା ପାଇଁ ଯେଉଁ ଯେଉଁ ଆହ୍ୱାନ ରହିଛି, ପ୍ରତି ବିଭାଗର ସମନ୍ୱୟ ତଥା ଜିଲ୍ଲା ପ୍ରଶାସନର ସହଯୋଗରେ ଏହାର ସମାଧାନ କରିବାକୁ ହେବ ।

ତେବେ କେବଳ ରେଗୁଲେଟର୍ ବା ନିୟନ୍ତ୍ରକ ଭୂମିକା ନିର୍ବାହ ନୁହେଁ, ଏଜୁକେଟର୍ ଭାବରେ ମଧ୍ୟ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ଦାୟିତ୍ୱ ନେବାକୁ ହେବ । ଜନସାଧାରଣଙ୍କ ମଧ୍ୟରେ ନିୟମ ଉଲ୍ଲଙ୍ଘନ ଓ ଏହାର ଭୟାବହତା ସଂପର୍କରେ ସଚେତନତା ସୃଷ୍ଟି କରିବାକୁ ହେବ । ଏଥିପାଇଁ ଅଧିକରୁ ଅଧିକ ସଚେତନ ନାଗରିକଙ୍କ ସହଯୋଗ ନେଇ ସଡ଼କ ସୁରକ୍ଷାକୁ ଏକ ଅଭିଯାନ ଭାବରେ ଗ୍ରହଣ କରିବାକୁ ସେ କହିଛନ୍ତି ।ସେହିଭଳି ଆରଟିଓମାନଙ୍କ ଦକ୍ଷତା ରିପୋର୍ଟରେ ଆଗକୁ ସଡ଼କ ସୁରକ୍ଷା ଦିଗରେ କାର୍ଯ୍ୟର ମଧ୍ୟ ଏକ ବିଶେଷ ଭୂମିକା ରହିବ ବୋଲି ସେ ସୂଚାଇ ଦେଇଛନ୍ତି । ଏହାସହ ପରିବହନ ସମ୍ୱନ୍ଧୀୟ ସେବା ପ୍ରଦାନରେ ଗତବର୍ଷ କେଉଁ ଆରଟିଓଙ୍କ ପ୍ରଦର୍ଶନ କ’ଣ ରହିଥିଲା, ତାହାର ମଧ୍ୟ ସମୀକ୍ଷା କରାଯାଇଥିଲା ।ଏହି ଅବସରରେ ସଡ଼କ ସୁରକ୍ଷା କ୍ଷେତ୍ରରେ ବିଭାଗ ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଓ ପରବହନ କ୍ଷେତ୍ରରେ ସଂସ୍କାର ସଂପର୍କରେ ମଧ୍ୟ ପରିବହନ ଆୟୁକ୍ତ ସୂଚନା ପ୍ରଦାନ କରିଥିଲେ । ବିଶେଷକରି, ଡ୍ରାଇଭିଂ ଲାଇସେନ୍ସ ପ୍ରଦାନରେ ସଂସ୍କାର, ଗାଡ଼ିର ଫିଟନେସରେ ସ୍ୱଚ୍ଛତା ଓ ବେପରୁଆ ଗାଡ଼ି ଚାଳକଙ୍କୁ ବୈଷୟିକ ଜ୍ଞାନକୌଶଳର ବ୍ୟବହାର କରି ନିୟନ୍ତ୍ରଣ କରିବା ଦିଗରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା । ଯାତ୍ରୀବାହି ଯାନ ଗୁଡ଼ିକ ଯେପରି ଯାତ୍ରୀ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେବେ ଏ କ୍ଷେତ୍ରରେ ଆରଟିଓମାନେ କଡ଼ା ନଜର ରଖିବେ। ଏହାସହ, ବାରମ୍ବାର ଦୁର୍ଘଟଣା ଘଟୁଥିବା ସ୍ଥାନର ଉଚିତ୍ ସମୀକ୍ଷା କରି ସୁଧାର ଦିଗରେ ପ୍ରୟାସ କରିବାକୁ କୁହାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking