ରାୟଗଡା: ରାୟଗଡା-କୋରାପୁଟ ଜାତୀୟ ରାଜପଥର ଗୁମ୍ମା ଘାଟିରେ ଏକ ଟ୍ରଲର ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡ଼ିବା ଫଳରେ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ଉଭୟ ପାର୍ଶ୍ୱରେ ଶତାଧିକ ଗାଡ଼ି ଅଟକି ରହିଥିବାରୁ ଯାତ୍ରୀମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ରାୟଗଡା ଜିଲ୍ଲାର ଗୁମ୍ମା ଘାଟିରେ ଗତକାଲି ବିଳମ୍ବିତ ରାତିରେ ଏକ ଟ୍ରଲର କୋରାପୁଟ ଅଭିମୁଖେ ଯାଉଥିବା ସମୟରେ ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡ଼ିଥିଲା। ଦୁର୍ଘଟଣା ପରେ ଜାତୀୟ ରାଜପଥରେ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି।ଦୁର୍ଘଟଣା ଯୋଗୁଁ ରାୟଗଡାରୁ କାଶୀପୁର ଓ କୋରାପୁଟ ଅଭିମୁଖେ ଯାଉଥିବା ସମସ୍ତ ପ୍ରକାର ଯାନବାହନ ଅଟକି ରହିଛି। ରାଜପଥର ଉଭୟ ପାର୍ଶ୍ୱରେ ଶତାଧିକ ଟ୍ରକ, ବସ୍ ଓ ଛୋଟ ବଡ଼ ଗାଡ଼ି ଲମ୍ବା ଧାଡ଼ିରେ ଅପେକ୍ଷା କରୁଥିବା ଦେଖିବାକୁ ମିଳିଛି।ସ୍ଥାନୀୟ ପ୍ରଶାସନ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରଲରକୁ ହଟାଇ ଯାତାୟାତ ସ୍ୱାଭାବିକ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି। ତେବେ ଗୁମ୍ମା ଘାଟିରେ ବାରମ୍ବାର ଭାରୀ ଯାନ ଦୁର୍ଘଟଣା ଘଟି ଯାତାୟାତ ବାଧାପ୍ରାପ୍ତ ହେଉଥିବାରୁ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସ୍ଥାୟୀ ସମାଧାନ ପାଇଁ ପ୍ରଶାସନ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି।










