କଟକ : ଖୁବ୍ ଶୀଘ୍ର ମହାନଦୀ ବିବାଦର ଅନ୍ତ ଘଟିବ । ଦୀର୍ଘଦିନ ଧରି ମହାନଦୀକୁ ନେଇ ଓଡିଶା ଏବଂ ଛଡିଶଗଡ ମଧ୍ୟରେ ଚାଲିଥିବା କନ୍ଦଳର ସମାଧାନ ହେବ ।ଏହାସହ ଦୁଇ ରାଜ୍ୟ ମଧ୍ୟରେ ସଚିବସ୍ତରୀୟ ବୈଠକ ବସିବା ନେଇ ସୂଚନା ଦେଇଛନ୍ତି ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ।ଏବେ ମହାନଦୀ ଜଳ ବିବାଦର ସମାଧାନ ନେଇ ବାଟ ଫିଟୁଛି । ଶନିବାର ଟ୍ରିବ୍ୟୁନାଲରେ ରିପୋର୍ଟ ଦାଖଲ କରିଛନ୍ତି ଯୁଗ୍ମ ବୈଷୟିକ ଟିମ୍ । ଆଗାମୀ ଦିନରେ ଓଡିଶା ଏବଂ ଛତିଶଗଡ ଭିତରେ ସଚିବସ୍ତରୀୟ ବୈଠକ ହେବ ବୋଲି ସୂଚନା ମିଳିଛି। ମହାନଦୀ ଜଳ ବିବାଦକୁ ନେଇ ଟ୍ରିବ୍ୟୁନାଲରେ ହୋଇଥିବା ଗୁରୁତ୍ବପୂର୍ଣ୍ଣ ଶୁଣାଣିରେ ଦୁଇ ରାଜ୍ୟ ମଧ୍ୟରେ ସମାଧାନର ବାଟ ଧୀରେ ଧୀରେ ପ୍ରଶସ୍ଥ ହେଉଥିବା ନେଇ ସଂକେତ ମିଳିଛି । ଏକଥା କହିଛନ୍ତି ଆଡଭୋକେଟ ଜେନେରାଲ ପିତାମ୍ବର ଆଚାର୍ଯ୍ୟ । ଆସନ୍ତା ଜୁଲାଇ ୧୧ରେ ମହାନଦୀ ପ୍ରସଙ୍ଗରେ ପରବର୍ତ୍ତୀ ଶୁଣାଣି କରିବେ ଟ୍ରିବ୍ୟୁନାଲ । ଜଳବଣ୍ଟନ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଓ ଜାତୀୟ ଜଳନୀତିକୁ ଆଧାର କରି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଛି। ଆଗାମୀ ପର୍ଯ୍ୟାୟରେ ଦୁଇ ରାଜ୍ୟ ମଧ୍ୟରେ ଉଚ୍ଚସ୍ତରୀୟ ଆଲୋଚନା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଆଡଭୋକେଟ୍ ଜେନେରାଲ କହିଛନ୍ତି ।










