ଭବାନୀପାଟଣା : ପାନୀୟ ଜଳ ସମସ୍ୟାକୁ ନେଇ ଧର୍ମଗଡ଼ ଶ୍ରୀରାମପୁର ର ଶତାଧିକ ମହିଳା ଆଜି ସକାଳୁ ଧର୍ମଗଡ଼ ଗୋଲାମୁଣ୍ଡା ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ। ଫଳରେ ସେହି ରାସ୍ତାରେ ପ୍ରାୟ ୩ ଘଣ୍ଟା ଧରି ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ଅଭିଯୋଗ ଅନୁଯାୟୀ ଗାଁରେ ଥିବା ନଳକୂପରୁ ବାହାରୁଥିବା ପାଣିରେ ଅଧିକ ଫ୍ଲୋରାଇଡ୍ ରହୁଛି। ଏହି ଦୂଷିତ ପାଣି ପିଇବା ଯୋଗୁଁ ଗାଁ ଲୋକଙ୍କ ମଧ୍ୟରେ କିଡନୀ ରୋଗ ବଢ଼ୁଥିବା ସହ ପୂର୍ବରୁ ୫ ଜଣଙ୍କ ମୃତ୍ୟୁ ବରଣ କରିଛନ୍ତି।ଅନ୍ୟପକ୍ଷରେ ବସୁଧା ଯୋଜନାରେ ଥିବା ପାଣି ଟ୍ୟାଙ୍କିରୁ ମଧ୍ୟ ନିୟମିତ ପାଣି ଯୋଗାଣ ହେଉନଥିବା ଅଭିଯୋଗ ହେଇଛି। ଏଥିପାଇଁ ବାରମ୍ବାର ପ୍ରଶାସନ ଓ ଜନପ୍ରତିନିଧି ଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସ୍ଥାୟୀ ସମାଧାନ ହେଉନାହିଁ। ଏଣୁ ଅନ୍ୟାଉପାୟ ନପାଇ ସେମାନେ ରାସ୍ତା ଅବରୋଧ କରିଛନ୍ତି ବୋଲି ସେମାନେ କହିଥିଲେ। ଖବର ପାଇ ଗ୍ରାମ୍ୟ ଜଳଯୋଗାଣ ବିଭାଗର ନିର୍ବାହୀ ଯନ୍ତ୍ରୀ ଓ ଧର୍ମଗଡ଼ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ତୁରନ୍ତ ଟ୍ୟାଙ୍କର ମାଧ୍ୟମରେ ପାନୀୟ ଜଳ ଯୋଗାଣ ପାଇଁ ଆଶ୍ୱାସନା ଦେବା ପରେ ମହିଳାମାନେ ରାସ୍ତା ଅବରୋଧରୁ ହଟିଥିଲେ।










