ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗର ଜଳପାଇଗୁଡ଼ି ଜିଲ୍ଲାର ଉଲ୍ଲାଦାବାରି ଅଞ୍ଚଳରେ ଆଜି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଫଳରେ ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୧୭ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି । ମୈନାଗୁଡ଼ି-ଦୋମୋହନୀ ରୁଟରେ ଯାତ୍ରା କରୁଥିବା NBSTC ବସ୍ ନିୟନ୍ତ୍ରଣ ହରାଇ ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ଟ୍ରକକୁ ପଛ ପଟୁ ଧକ୍କା ଦେଇଥିବା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ସୂଚନା ଅନୁଯାୟୀ, କିଛି ସମୟ ଧରି ଏହି ଉଲ୍ଲାଦାବାରି ଅଞ୍ଚଳରେ ଲଗାତାର ବର୍ଷା ହେଉଥିଲା । ଫଳରେ ବସ୍ ଡ୍ରାଇଭର ହଠାତ୍ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇ ଏକ ପାର୍କିଂ ହୋଇଥିବା ଟ୍ରକ୍କୁ ଧକ୍କା ଦେଇଥିଲେ । ଯାହା ଦ୍ବାରା ଏହି ଦୁର୍ଘଟଣା ଦେଖିବାକୁ ମିଳିଥିଲା । ଧକ୍କା ଏତେ ଜୋରରେ ଥିଲା ଯେ ବସ୍ର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲା । ଦୁର୍ଘଟଣା ସମୟରେ ବସ୍ରେ ମୋଟ ୨୩ ଜଣ ଯାତ୍ରୀ ଥିଲେ । ସ୍ଥାନୀୟ ବାସିନ୍ଦା ଏବଂ ପ୍ରଶାସନର ସହାୟତାରେ ତୁରନ୍ତ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ଆରମ୍ଭ ହୋଇଥିଲା । ଗୁରୁତର ଆହତ ୧୭ ଜଣଙ୍କୁ ତୁରନ୍ତ ଜଳପାଇଗୁଡ଼ି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଅନେକଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି । ପୋଲିସ ଘଟଣାର ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।










