କଟକ: ଚୌଦ୍ବାର ଜେଲ୍ରୁ ବିହାରୀ କଏଦୀ ଚମ୍ପଟ ଘଟଣା । ଚୌଦ୍ୱାର ସର୍କଲ ଜେଲ୍ର ବରିଷ୍ଠ ଅଧୀକ୍ଷକ ସୁଜିତ କୁମାର ରାଉଳଙ୍କ ଆଗୁଆ ଜାମିନ ଆବେଦନକୁ କଡ଼ା ବିରୋଧ କରିଛି ପୁଲିସ । ଏନେଇ ହାଇକୋର୍ଟରେ ଦାଖଲ ହୋଇଛି ଆପତ୍ତି ପତ୍ର । ଆପତ୍ତି ପତ୍ରରେ ବରିଷ୍ଠ ଅଧୀକ୍ଷକ ସୁଜିତ କୁମାର ରାଉଳଙ୍କ ନାଁରେ ରହିଛି ସଙ୍ଗୀନ ଅଭିଯୋଗ । ତଦନ୍ତକୁ ପ୍ରଭାବିତ କରିବା, ପ୍ରମାଣ ନଷ୍ଟ କରିବା ଏବଂ ସାକ୍ଷୀଙ୍କୁ ପ୍ରଭାବିତ କରିବାର ଆଶଙ୍କା ଦର୍ଶାଇ ସୁଜିତ କୁମାର ରାଉଳଙ୍କୁ ଆଗୁଆ ଜାମିନ ନଦେବାକୁ ଅନୁରୋଧ କରାଯାଇଛି ।ହାଇକୋର୍ଟରେ ଦାଖଲ ଆପତ୍ତି ପତ୍ରରେ କୁହାଯାଇଛି, ସିସିଟିଭି ଫୁଟେଜ୍, ଜେଲ ଗେଟ୍ ରେଜିଷ୍ଟର ଏବଂ ଡିଆଇଜି ପ୍ରିଜନ୍ସଙ୍କ ରିପୋର୍ଟରେ ଗୁରୁତର ଅସଙ୍ଗତି ସାମ୍ନାକୁ ଆସିଛି । ଘଟଣା ସମୟରେ ସୁଜିତ ରାଉଳ ନିୟମିତ ଭାବେ କାର୍ଯ୍ୟାଳୟରେ ଉପସ୍ଥିତ ନଥିବା ସତ୍ତ୍ୱେ ରେଜିଷ୍ଟରରେ ତାଙ୍କ ଉପସ୍ଥିତି ଦର୍ଶାଯାଇଥିବା ଅଭିଯୋଗ ହୋଇଛି । ପୁଲିସ ଆହୁରି କହିଛି, ଅଭିଯୁକ୍ତ ଜଣେ ବରିଷ୍ଠ ସରକାରୀ ଅଧିକାରୀ ହୋଇଥିବାରୁ ଜାମିନ ପାଇଲେ ସାକ୍ଷୀଙ୍କୁ ପ୍ରଭାବିତ କରିବା, ଅଧସ୍ଥନ କର୍ମଚାରୀଙ୍କ ଉପରେ ଚାପ ପକାଇବା ଏବଂ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ କିମ୍ବା ଇଲେକ୍ଟ୍ରୋନିକ ପ୍ରମାଣ ନଷ୍ଟ କରିବାର ଆଶଙ୍କା ରହିଛି ।










