ପୁରୀ: ବ୍ରହ୍ମଗିରିସ୍ଥିତ ଶ୍ରୀ ଅଲାରନାଥ ମନ୍ଦିରରେ ଗତକାଲି ଅଣସର ଦର୍ଶନ ଶେଷ ହୋଇଥିଲେ ମଧ୍ୟ ଆଜି ମନ୍ଦିର ପରିସରରେ ଶ୍ରଦ୍ଧାଳୁଙ୍କ ଭିଡ଼ କମିନାହିଁ । ମହାପ୍ରଭୁଙ୍କ ଦର୍ଶନ ପାଇଁ ସକାଳୁ ସକାଳୁ ଭକ୍ତମାନେ ମନ୍ଦିରକୁ ଆସି ପହଞ୍ଚୁଛନ୍ତି । ଆଜି ଭୋର ପ୍ରାୟ ୪ଟାରେ ଦ୍ୱାର ଫିଟା ନୀତି ସମ୍ପନ୍ନ ହେବା ପରେ ମଙ୍ଗଳ ଆଳତି, ଅବକାଶ ନୀତି, ବେଶ ଓ ଗୋପାଳ ବଲ୍ଳଭ ନୀତି ସୁଚାରୁ ଭାବେ ଅନୁଷ୍ଠିତ ହୋଇଥିଲା । ଏହାପରେ ଭକ୍ତମାନଙ୍କ ପାଇଁ ସର୍ବସାଧାରଣ ଦର୍ଶନର ବ୍ୟବସ୍ଥା କରାଯାଇଥିଲା । ମଧ୍ୟାହ୍ନରେ ସକାଳ ଧୂପ ଓ ଦ୍ୱିପ୍ରହର ଧୂପ ନୀତି ସମ୍ପନ୍ନ ହେବ ।ଏହା ପରେ ଅପରାହ୍ନ ୨ଟାରୁ ପୁଣି ଥରେ ସର୍ବସାଧାରଣଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ରହିବ । ସନ୍ଧ୍ୟାରେ ଆଳତି, ମଇଲମ ଓ ବେଶ ନୀତି ପରେ ସନ୍ଧ୍ୟା ଧୂପ ଉଠିବ । ରାତି ପ୍ରାୟ ୧୧ଟାରେ ବଡ଼ସିଂହାର ବେଶ ଅନୁଷ୍ଠିତ ହେବା ସହ ବଡ଼ସିଂହାର ଧୂପ ନୀତି ସମ୍ପନ୍ନ ହେବ । ଶେଷରେ ପହୁଡ଼ ନୀତି ସହ ଦିନର ସମସ୍ତ ସେବାନୀତିର ପରିସମାପ୍ତି ଘଟିବ । ଅଣସର ଦର୍ଶନ ସମାପ୍ତ ହୋଇଥିଲେ ମଧ୍ୟ ଶ୍ରୀ ଅଲାରନାଥଙ୍କ ଦର୍ଶନ ପାଇଁ ଭକ୍ତମାନଙ୍କ ଅଗାଧ ଭକ୍ତି ଓ ଉତ୍ସାହ ଅବ୍ୟାହତ ରହିଛି । ମନ୍ଦିର ପ୍ରଶାସନ ପକ୍ଷରୁ ଭକ୍ତମାନଙ୍କ ସୁବିଧାଜନକ ଦର୍ଶନ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ।










