ବାଲେଶ୍ୱର: ବର୍ଷା ଆଣିଲା ଦୁଃଖର କାହାଣୀ । ରାତିରେ ଶୋଇଥିବା ବେଳେ ଘରର ମାଟି କାନ୍ଥ ଭୁଶୁଡ଼ି ପଡ଼ିବାରୁ ଚାଲିଗଲା ଦୁଇଟି ନିରୀହ ଜୀବନ । ଏହି ଅଭାବନୀୟ ଘଟଣାରେ ଆଇ ଓ ନାତିଙ୍କ ମୃତ୍ୟୁ ହୋଇଥିବା ବେଳେ ନାତୁଣୀ ଗୁରୁତର ଆହତ ହୋଇଛନ୍ତି । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା କପାସୁଦା ଗାଁରେ ଘଟିଛି ଏହି ଦୁଃଖଦ ଘଟଣା । ଲଗାଣ ବର୍ଷା ସାଙ୍ଗକୁ ଅନେକ ସ୍ଥାନରେ ଜଳବନ୍ଦୀ ପରିସ୍ଥିତି ଯୋଗୁଁ ଘରର ମାଟି କାନ୍ଥ ଦୁର୍ବଳ ହୋଇଯାଇଥିଲା । ଗତ ରାତିରେ ପରିବାର ଲୋକେ ଘର ଭିତରେ ଶୋଇଥିବା ସମୟରେ ହଠାତ୍ ମାଟି କାନ୍ଥଟି ଓଲଟି ପଡ଼ିଥିଲା । କାନ୍ଥ ତଳେ ଚାପି ହୋଇ ରାଧିକା ଜେନା ଓ ତାଙ୍କ ନାତି ଜ୍ୟୋତି ପ୍ରକାଶ ସ୍ୱାଇଁଙ୍କ ମୃତ୍ୟୁ ଘଟିଛି । ଏହି ଘଟଣାରେ ଜ୍ୟୋତି ପ୍ରକାଶଙ୍କ ଭଉଣୀ ସ୍ମୃତି ରେଖା ସ୍ୱାଇଁ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ଘଟଣା ପରେ ଆଖପାଖ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମାଟି ତଳୁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଗୁରୁତର ସ୍ମୃତି ରେଖାଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇ ଚିକିତ୍ସା କରାଯାଉଛି । ଏହି ଅଘଟଣ ପରେ କପାସୁଦା ଗାଁରେ ଶୋକର ଛାୟା ଖେଳିଯାଇଛି।










