ଭୁବନେଶ୍ୱର: ପବିତ୍ର ଶ୍ରାବଣ ମାସର ସୋମବାରରେ ମହାଦେବଙ୍କ ମୁଣ୍ଡରେ ଜଳଲାଗି କରିବା ପାଇଁ ଉଛୁଳି ପଡିଛି ଶ୍ରଦ୍ଧାଳୁଙ୍କ ଭିଡ । ସବୁଠି ହରହର ମହାଦେବଙ୍କ ଧ୍ୱନି । ଭୋଳାବାବାଙ୍କ ଆଶୀର୍ବାଦ ପାଇବା ପାଇଁ ହାତରେ କଳସ ଓ କାନ୍ଧରେ ବାହୁଙ୍ଗି ଧରି ମାଇଲ ମାଇଲ ବାଟ ଟାଲି ଚାଲି ଆଗେି ଚାଲିଛନ୍ତି କାଉଡିଆ ଭକ୍ତ । ଖରା-ବର୍ଷା କୌଣସି ବାଧା ବି ଭକ୍ତଙ୍କ ଆସ୍ଥା ଆଗରେ ତିଷ୍ଠି ପାରିନାହିଁ । ବିଭିନ୍ନ ନଦୀ ଓ ଘାଟରୁ ପବିତ୍ର ଜଳ ଉଠାଇ ବାବା ଲିଙ୍ଗରାଜ, ଧବଳେଶ୍ୱର, ଲୋକନାଥ , କପିଳାସ, ଆଖଣ୍ଡଳମଣିଙ୍କ ସମେତ ରାଜ୍ୟର ପ୍ରମୁଖ ଶୈବପୀଳ ଆଡକୁ ଛୁଟିଛି ଭକ୍ତଙ୍କ ସୁଅ । ଆଜି ଭୋରରୁ ବାବାଙ୍କ ନିକଟରେ ଜଳାଭିଷେକ ଓ ସ୍ୱତନ୍ତ୍ର ପୂଜାର୍ଚ୍ଚନା ହେଉଛି । ଶୃଙ୍ଖଳିତ ଦର୍ଶନ ଓ ଜଳଲାଗି ପାଇଁ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିବା ବେଳେ ରାସ୍ତାସାରା ସେବା ଶିବିରରେ କାଉଡିଆଙ୍କ ସେବା ପାଇଁ ଲାଗିପଡିଛନ୍ତି ସ୍ଥାନୀୟ ଲୋକେ ।










