ଭୁବନେଶ୍ୱର: ଡିଜିଟାଲ ରୂପାନ୍ତରଣ ମାଧ୍ୟମରେ ସହରାଞ୍ଚଳ ପ୍ରଶାସନକୁ ସୁଦୃଢ଼ କରିବା ଦିଗରେ ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଏକ ଐତିହାସିକ ସଫଳତା ଅର୍ଜନ କରିଛି। ରାଜ୍ୟର ସମସ୍ତ ୧୧୫ଟି ପୌରସଂସ୍ଥାରେ ‘ଓଡ଼ିଶା ସେକ୍ରେଟେରିଏଟ୍ ୱାର୍କଫ୍ଲୋ ଅଟୋମେସନ୍ ସିଷ୍ଟମ୍’ (ଓସୱାସ) ସଫଳତାର ସହ କାର୍ଯ୍ୟକ୍ଷମ କରାଯାଇଛି। ଏହି ପଦକ୍ଷେପ ପାରମ୍ପରିକ କାଗଜପତ୍ର ଭିତ୍ତିକ ପ୍ରଣାଳୀକୁ ପରିବର୍ତ୍ତନ କରି ଏକ ସମନ୍ୱିତ, ଦକ୍ଷ ଓ ସ୍ୱଚ୍ଛ ଡିଜିଟାଲ କାର୍ଯ୍ୟଧାରା ସ୍ଥାପନ କରିଛି। ରାଜ୍ୟର ୫ଟି ମହାନଗର ନିଗମ, ୪୮ଟି ପୌରପାଳିକା ଏବଂ ୬୨ଟି ବିଜ୍ଞପ୍ତିତ ଅଞ୍ଚଳ ପରିଷଦରେ ଓସୱାସ ପ୍ଲାଟଫର୍ମ ଲାଗୁ ହୋଇଛି। ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ୍ ସେଣ୍ଟର (ଓକାକ୍)ର ବୈଷୟିକ ସହଯୋଗ ଏବଂ ଟାଟା କନସଲଟାନ୍ସି ସର୍ଭିସେସ୍ (ଟିସିଏସ୍)ଙ୍କ ସମର୍ଥନରେ ବିକଶିତ ଏହି ପ୍ଲାଟଫର୍ମ ସରକାରୀ ଫାଇଲ ପରିଚାଳନାକୁ ସମ୍ପୂର୍ଣ୍ଣ ଡିଜିଟାଲ କରିଛି। ଏହା ମାଧ୍ୟମରେ ଫାଇଲ ଗତିବିଧିର ରିଅଲ-ଟାଇମ୍ ଟ୍ରାକିଂ, ଦ୍ରୁତ ନିଷ୍ପତ୍ତି ଏବଂ ସମୟବଦ୍ଧ ସେବା ପ୍ରଦାନ ସମ୍ଭବ ହୋଇପାରିଛି। ଏହି ସଂସ୍କାରର ଗୁରୁତ୍ୱ ଉଲ୍ଲେଖ କରି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ଼ଃ କୃଷ୍ଣ ଚନ୍ଦ୍ର ମହାପାତ୍ର କହିଛନ୍ତି, “ଓସୱାସ ଆମ ସହରାଞ୍ଚଳ ପ୍ରଶାସନକୁ ଆଧୁନିକ ଏବଂ ଦକ୍ଷ କରିବାରେ ଏକ ମୁଖ୍ୟ ପଦକ୍ଷେପ। ଏହା ଦ୍ୱାରା ସ୍ୱଚ୍ଛତା, କ୍ଷିପ୍ରତା ଓ ଉତ୍ତରଦାୟିତ୍ୱ ବଢ଼ିବା ସହ ନାଗରିକ ସେବାର ଗୁଣତ୍ତ୍ୱ ଉନ୍ନତ ହେବ।”ପୂର୍ବରୁ ପୌର ପ୍ରଶାସନରେ ମାନୁଆଲ ଫାଇଲ ପରିଚାଳନା ଓ ଅସମନ୍ୱିତ କାର୍ଯ୍ୟଧାରା ଦ୍ୱାରା ବିଳମ୍ବ ଓ ଅକ୍ଷମତା ଦେଖାଯାଉଥିଲା। ଓସୱାସ ଏହି ସମସ୍ୟାର ସମାଧାନ କରି ଏକ ମାନକ ପ୍ରଣାଳୀ, ଡିଜିଟାଲ ଅଡିଟ୍ ଟ୍ରେଲ୍ ଏବଂ ସ୍ୱୟଂଚାଳିତ କାର୍ଯ୍ୟଧାରାକୁ ପ୍ରଚଳିତ କରିଛି, ଯାହା ଶାସନରେ ଶୃଙ୍ଖଳା ଓ ସ୍ୱଚ୍ଛତା ଆଣିଛି। ଏହି ପ୍ରକଳ୍ପକୁ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ କରାଯାଇଥିଲା—ପ୍ରଥମେ ପ୍ରକ୍ରିୟା ଅଧ୍ୟୟନ, ପରେ ସିଷ୍ଟମ ଡିଜାଇନ୍, କ୍ଷମତା ବୃଦ୍ଧି ତାଲିମ ଏବଂ ପାଇଲଟ୍ ପରୀକ୍ଷା। ଏହାପରେ ରାଜ୍ୟବ୍ୟାପୀ ରୋଲଆଉଟ୍ ମାଧ୍ୟମରେ ସମସ୍ତ ପୌରସଂସ୍ଥାରେ ସଫଳ ଭାବେ ଏହାକୁ ଲାଗୁ କରାଯାଇଛି।
ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ କହିଛନ୍ତି, “ଓସୱାସ କେବଳ ଏକ ଆଇଟି ପ୍ଲାଟଫର୍ମ ନୁହେଁ, ଏହା ଏକ ବ୍ୟାପକ ପ୍ରଶାସନିକ ସଂସ୍କାର। ଏହା ରିଅଲ-ଟାଇମ୍ ମନିଟରିଂ ଓ ତଥ୍ୟଭିତ୍ତିକ ନିଷ୍ପତ୍ତିକୁ ସମ୍ଭବ କରି ସେବା ପ୍ରଦାନରେ ଗୁଣାତ୍ମକ ପରିବର୍ତ୍ତନ ଆଣିବ।” ଓସୱାସର ରିଅଲ-ଟାଇମ୍ ଡ୍ୟାସବୋର୍ଡ ମାଧ୍ୟମରେ ଫାଇଲର ସ୍ଥିତି ଉପରେ ନିରନ୍ତର ନଜର ରଖାଯାଉଛି, ଯାହା ପ୍ରଶାସନିକ ବିଳମ୍ବକୁ କମାଇବା ସହ ବିଭାଗୀୟ ସମନ୍ୱୟକୁ ସୁଦୃଢ଼ କରିଛି। ଏହି ସଂସ୍କାର ଫଳରେ ଶୀଘ୍ର ଫାଇଲ ନିଷ୍ପତ୍ତି, ସ୍ୱଚ୍ଛ ପ୍ରଶାସନ, ଦସ୍ତାବିଜର ସହଜ ଉପଲବ୍ଧତା ଏବଂ ଏକ ଶକ୍ତିଶାଳୀ ଡିଜିଟାଲ ଶାସନ ଭିତ୍ତିଭୂମି ସ୍ଥାପିତ ହୋଇଛି। ଏହା ସହରାଞ୍ଚଳ ସ୍ଥାନୀୟ ସଂସ୍ଥାଗୁଡ଼ିକୁ ଅଧିକ ଦକ୍ଷ, ଉତ୍ତରଦାୟୀ ଓ ଲୋକାଭିମୁଖୀ କରିଛି। ନିକଟରେ ଗଠିତ ନୂତନ ପୌରସଂସ୍ଥା ବ୍ୟତୀତ ଅନ୍ୟ ସମସ୍ତ ପୌରସଂସ୍ଥାରେ ଓସୱାସ କାର୍ଯ୍ୟକ୍ଷମ ହେବା ସହିତ, ଓଡ଼ିଶା ଡିଜିଟାଲ ଶାସନ ସଂସ୍କାରରେ ଦେଶ ପାଇଁ ଏକ ନୂଆ ମାନଦଣ୍ଡ ସ୍ଥାପନ କରିଛି। ‘ବିକଶିତ ଓଡ଼ିଶା’ ଲକ୍ଷ୍ୟ ସାଧନରେ ଏହା ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ।










