ନବରଙ୍ଗପୁର: ନବରଙ୍ଗପୁରଜିଲ୍ଲା ଝରିଗାଁ ବ୍ଲକ ହାତୀବାଡ଼ି ଗ୍ରାମର ସାନ୍ତାସାହି ଠାରେ ଚାଷ ଜମିରେ ଥିବା ପାଣି କୁଣ୍ଡରେ ବୁଡ଼ି ଜଣେ ନାବାଳକଙ୍କ ମୃତ୍ୟୁ ହୋଇ ଯାଇଛି। ମୃତ ନାବାଳକ ଚନ୍ଦ୍ର ସାନ୍ତାଙ୍କ ତିନି ବର୍ଷ ବୟସର ବଡ଼ପୁଅ ତିରୁ ସାନ୍ତା। ସୂଚନା ପ୍ରକାରେ ଚନ୍ଦ୍ର ସାନ୍ତାଙ୍କ ପରିବାର ଘରେ ଥିବା ବେଳେ ବଡ଼ପୁଅ ତିରୁ ଏବଂ ତାର ସାନଭାଇ ବାହାରେ ଖେଳୁଥିଲେ। ସେମାନେ ଖେଳିଖେଳି ଘର ଠାରୁ କିଛି ଦୂରରେ ଚାଷ ଜମି ନିକଟରେ ଥିବା ପାଣି କୁଣ୍ଡ ନିକଟକୁ ଚାଲି ଯାଇଥିଲେ। ସେଠାରେ ଖେଳିବା ସମୟରେ ଅସାବଧାନତା ଯୋଗୁଁ ତିରୁ ପାଣି କୁଣ୍ଡରେ ବୁଡି ଯାଇଥିଲା। ଏହି ଘଟଣା ପରେ ସାନଭାଇ ଘରକୁ ଆସି ପାଣି ପାଣି କହି ପରିବାର ଲୋକଙ୍କୁ ପାଣିକୁଣ୍ଡ ଆଡ଼େ ଦେଖାଇଥିଲେ। ପରେ ପରିବାର ଲୋକ ପାଣି କୁଣ୍ଡ ଭିତରେ ପଶି ତିରୁକୁ ଉଦ୍ଧାର କରିଥିଲେ ଏବଂ ତୁରନ୍ତ ବାଇକ ଯୋଗେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଏହି ଖବର ପ୍ରସାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।










