କେନ୍ଦ୍ରାପଡା : କେନ୍ଦ୍ରାପଡା ମହାକାଳପଡ଼ା ବ୍ଲକ ତିଖିରି ପଞ୍ଚାୟତର ମହିଳା ସରପଞ୍ଚ ଚାମେଲି ଏବେ କେନ୍ଦ୍ରାପଡା ହସପିଟାଲରେ । ୧୫ ନମ୍ବର କ୍ୟାବିନିରେ ଚିକିତ୍ସିତ ହେଉଛନ୍ତି । ଚାମେଲିଙ୍କ ଜୀବନ ପ୍ରତି ଭୟ ଥିବା କହିଛନ୍ତି ତାଙ୍କ ବାପା । ଚାମେଲିଙ୍କୁ ୨୦ ଜଣ ଲୋକ ଘେରି ରହିଥିବା ସେ ଅଭିଯୋଗ କରିଛନ୍ତି। ମେଡିକାଲରେ ସେମାନେ ଘେରି ରହିଥିବା କହିଛନ୍ତି ଚାମେଲିଙ୍କ ବାପା । ଅନ୍ୟପଟେ ଏହାକୁ ନେଇ ବିଜେଡିର ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀଙ୍କ ନେତୃତ୍ୱରେ ଏକ ଦଳ ଚାମେଲିଙ୍କୁ ମେଡିକାଲରେ ଭେଟି ଆଲୋଚନା କରିଛନ୍ତି । ପରେ ସିଡିଏମଓଙ୍କ ସହ ଚାମେଲିଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି । ଆଜି ରାଜ୍ୟ ମହିଳା ବିଜେଡିର ଏକ ଟିମ୍ ଚାମେଲିଙ୍କୁ ଭେଟିବ । ବିଭିନ୍ନ ସମୟରେ ବିଭିନ୍ନ ସଂଗଠନ ଚାମେଲିଙ୍କୁ ଭେଟୁଛନ୍ତି । ଚାମେଲି ଜେଲ ଯିବା ପରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଜେଲ କର୍ତ୍ତୃପକ୍ଷ ଚାମେଲି ଙ୍କୁ ପୁଣି ମେଡିକାଲ ପଠାଇ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି। ଗିରଫ ବେଳେ ସୁସ୍ଥ ଥିଲେ, ଜେଲରେ ଅସୁସ୍ଥ ହେଲେ କେମିତି ? ତାକୁ ନେଇ ପ୍ରଶ୍ନ ଉଠୁଛି। ପ୍ରଶାସନର କାର୍ଯ୍ୟାନୁଷ୍ଠାନ ବନାମ ଜନତାଙ୍କ ଆକ୍ରୋଶ କେଉଁ ଆଡ଼େ ଯିବ କେନ୍ଦ୍ରାପଡ଼ାର ଏହି ହାଇପ୍ରୋଫାଇଲ୍ ବିବାଦ? ଏବେ ବି ମହାକାଳପଡ଼ାରେ ଉତ୍ତେଜନା ଥମିବାର ନାଁ ନେଉନାହିଁ । ଗୋଟିଏ ପଟେ ଆଇନଶୃଙ୍ଖଳା ରକ୍ଷା ପାଇଁ ପୁଲିସ ପ୍ରଶାସନ ସଜାଗ ଥିବାବେଳେ, ଅନ୍ୟପଟେ ଜନତା ଓ ରାଜନୈତିକ ଦଳ ନ୍ୟାୟ ଦାବିରେ ଅଟଳ ଅଛନ୍ତି । ପ୍ରଶାସନ ଆଇନ ଅନୁସାରେ କାମ କରୁଛି ନା ଏହା ପଛରେ କୌଣସି ରାଜନୈତିକ ଚାପ ରହିଛି, ତାହାର ତଦନ୍ତ ପାଇଁ ଦାବି ହୋଇଛି । କିନ୍ତୁ ଏହି ଘଟଣା ରାଜ୍ୟ ରାଜନୀତିକୁ ଯେ ବେଶ୍ ଗରମ କରିକି ରଖିଛି, ଏଥିରେ କୌଣସି ସନ୍ଦେହ ନାହିଁ । ବର୍ତ୍ତମାନ ଚାମେଲିଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବା ସୂଚନା ମିଳିଛି ।










