ଭୁବନେଶ୍ୱର; ଲୋକଙ୍କ ସ୍ବର ଉଠାଇ ବିଜେପି ସରକାରରେ ଜଣେ ମହିଳା ସରପଞ୍ଚଙ୍କ ଉପରେ ହେଉଥିବା ଦମନଲୀଳାର ସାକ୍ଷୀ ରହୁଛି ଓଡ଼ିଶା।ମହାକାଳପଡ଼ା, ତିଖୁରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କ ଉପରେ ସର୍ବସମ୍ମୁଖରେ ସରକାରୀ କାର୍ଯ୍ୟାଳୟ ଭିତରେ ହୋଇଥୁବା ଅକଥନୀୟ ଅତ୍ୟାଚାର ଗଣତନ୍ତ୍ର ରାଷ୍ଟ୍ରରେ କଦାପି ଶୋଭନୀୟ ନୁହେଁ। ମହିଳା ସରପଞ୍ଚଙ୍କ ସ୍ବର ଚାପିବା ପାଇଁ ବିଜେପି ସରକାର ସବୁ ସ୍ତରରେ କରୁଥିବା ହୀନ ଉଦ୍ୟମ ଜଳଜଳ ଦେଖାଯାଉଛି।
‘ନାରୀ ଶକ୍ତି ବନ୍ଦନ’ କହି ବଡ଼ ବଡ଼ କଥା କହୁଥିବା ବିଜେପିର ବାସ୍ତବରେ ଏହା କ’ଣ ନାରୀଙ୍କୁ ସମ୍ମାନ? ବିଜେପି ସରକାରରେ ଜଣେ ମହିଳା ସରପଞ୍ଚ ନିଜ ପଞ୍ଚାୟତର ଦାବି ଉଠାଇ ଯଦି ଏପରି ସ୍ଥିତିର ସାମ୍ନା କରୁଛି ତେବେ ରାଜ୍ୟରେ ଅଗଣିତ ମହିଳାଙ୍କ ସ୍ଥିତି କ’ଣ ତାହା ସୃଷ୍ଟ ଅନୁମେୟ। ବିଜେପି ନେତାମାନେ ବାରମ୍ବାର ସରକାରୀ କାର୍ଯ୍ୟାଳୟରେ ପଶି ଘଟାଇଥିବା ଅଭାବନୀୟ କାଣ୍ଡ ସାରା ଓଡ଼ିଶା ଦେଖୁଛି। ସେମାନଙ୍କ ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି? ବିଜେପି ଶାସନରେ ଆଇନ କ’ଣ ଅଲଗା ଅଲଗା? ମାନ୍ୟବର ମୁଖ୍ୟମନ୍ତ୍ରୀ ତୁରନ୍ତ ଏଥରେ ହସ୍ତକ୍ଷେପ କରି ଗଣତନ୍ତ୍ରର ଗରିମା ଓ ମହିଳାଙ୍କ ସ୍ବାଭିମାନର ସୁରକ୍ଷା ସୁନିଶ୍ଚିତ କରନ୍ତୁ।










