ଭୁବନେଶ୍ୱର: ବଡ଼ ଆଶ୍ଚର୍ଯ୍ୟଜନକ ଭାବେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଅଫିସରୁ ଫାଇଲ ଚୋରିହେବା ଏବଂ ଏହାକୁ ନେଇ ଥାନାରେ ଏତଲା ଦାୟର କରାଯିବା ପ୍ରସଙ୍ଗକୁ ନେଇ କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା l ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସର ବରିଷ୍ଠ ନେତା ଆଇନଜୀବୀ ଶିବାନନ୍ଦ ରାୟ ଯୋଗଦେଇ କହିଥିଲେ ଯେ, ପ୍ରକୃତରେ ଫାଇଲ ଚୋରୀ ହୋଇନାହିଁ l ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଚୋରିହେବା ଅସମ୍ଭବ l ପୁଣି ମିଛଟାରେ କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଛି l ତେବେ ଯାହାର ଦାୟିତ୍ୱରେ ଫାଇଲ ଥିଲା ତାଙ୍କ ନାମରେ ଏତଲା ଦିଆଗଲା ନାହଁ କାହିଁକି ବୋଲି ଶ୍ରୀ ରାୟ କହିଥିଲେ l
ସମ୍ମିଳନୀରେ ଉପସ୍ଥିତ ପିସିସି ମୁଖପାତ୍ର ଲଲାଟେନ୍ଦୁ ଦାସ କହିଥିଲେ, ଫାଇଲ ଚୋରୀ ହେବା ଏକ ନାଟକ l ଭିଡ଼ ହିଂସା, ହାଜତ ମୃତ୍ୟୁ, ଗଣ ଦୁଷ୍କର୍ମ ଓ ହତ୍ୟା ଆଦି ସରକାରଙ୍କ ବିଫଳତାରୁ ଲୋକଙ୍କ ଦୃଷ୍ଟି ଏଡାଇବା ପାଇଁ ଏହି ନାଟକ l ଏହି ଘଟଣାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି କରାଯାଇଛି, ଏହାର ଅର୍ଥ ଆମ ସାଥିରେ ରୁହନ୍ତୁ ଅବା ଗିରଫ ହୁଅନ୍ତୁ l ଏହା ସମ୍ପୂର୍ଣ ବ୍ଲାକମେଲ l ତେବେ କଂଗ୍ରେସ ଦାବୀ କରୁଛି, ବିଜେପି ସରକାର ସମୟରେ ଯେତେ ତଦନ୍ତ କମିଶନ ବସିଛି ତାହା ସାର୍ବଜନୀନ କରାଯାଉ l ଫାଇଲ ହଜିବା କେଶରେ ମୁଖ୍ୟମନ୍ତ୍ରୀଙ୍କୁ ପକ୍ଷଭୁକ୍ତ କରାଯାଇ ତାଙ୍କ ନାମରେ ତଥା ଦାୟିତ୍ୱରେ ଥିବା ସମସ୍ତ ଅଫିସରଙ୍କ ନାମରେ ଏତଲା ଦାୟର କରାଯାଉ ବୋଲି ଶ୍ରୀ ଦାସ କହିଛନ୍ତି l ପୁଣି କହିଛନ୍ତି ଯେ, ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଅଫିସରୁ ଫାଇଲ ଚୋରୀହେବା ଓ ଏହାକୁ ନେଇ ଥାନାରେ ଏତଲା ଦେବା ଏକ ଲଜ୍ଜ୍ୟାଜନକ ଘଟଣା l ଯେଉଁ ମୁଖ୍ୟମନ୍ତ୍ରୀ ନିଜ ଅଫିସ ସମ୍ଭାଳି ପାରୁନାହାନ୍ତି ସେ ପୁଣି ରାଜ୍ୟ କେମିତି ସମ୍ଭାଳିବେ ରାଜ୍ୟବାସୀ ବିଚାର କରନ୍ତୁ l










