27.6 C
Bhubaneswar
Wednesday, April 15, 2026
Homeଓଡିଶାବିଜୁ ବାବୁଙ୍କ ସ୍ୱପ୍ନ ଓ ନବୀନ ବାବୁଙ୍କ ଉଦ୍ୟମ ଫଳପ୍ରଦ ହେବାକୁ ଯାଉଛି: ବିଜେଡି

ବିଜୁ ବାବୁଙ୍କ ସ୍ୱପ୍ନ ଓ ନବୀନ ବାବୁଙ୍କ ଉଦ୍ୟମ ଫଳପ୍ରଦ ହେବାକୁ ଯାଉଛି: ବିଜେଡି

ଭୁବନେଶ୍ୱର:  ମହିଳା ସଶକ୍ତିକରଣର ମହାନାୟକ, ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ପୂଣ୍ୟ ତିଥି ଅବ୍ୟବହିତ ପୂର୍ବରୁ ଆଜି ଶଙ୍ଖ ଭବନ ଠାରେ ବିଜୁ ମହିଳା ଜନତା ଦଳ ତରଫରୁ ସଭାନେତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆଙ୍କ ଅଧ୍ୟକ୍ଷତାରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଦଳର ବରିଷ୍ଠ ଉପସଭାପତିି ଶ୍ରୀ ଦେବୀ ପ୍ରସାଦ ମିଶ୍ର ଏହି ଆଲୋଚନାଚକ୍ରରେ ଉଦ୍ବୋଧନ ଦେଇ କହିଥିଲେ ଯେ, ଆବାହମାନ କାଳରୁ ଓଡ଼ିଆ ସଂସ୍କୃତିରେ ମାତୃ ଉପାସନା ପରମ୍ପରା ରହିଆସିଛି । ସ୍ୱାଧୀନତା ସଂଗ୍ରାମରେ ମହିଳାଙ୍କ ଯୋଗଦାନ ସମ୍ପର୍କରେ ଉଲ୍ଲେଖ କରି ପ୍ରବାଦ ପୁରୁଷ ବିଜୁ ବାବୁ କିଭଳି ମହିଳା ସଶକ୍ତିକରଣର ବାର୍ତ୍ତାବହ ଭାବେ କାର୍ଯ୍ୟ କରୁଥିଲେ, ତାହାର ବର୍ଣ୍ଣନା କରିଥିଲେ । ବିଜୁ ବାବୁଙ୍କ ୨୯ତମ ତିରୋଧାନ ଦିବସ ଏପ୍ରିଲ ୧୭ ତାରିଖରେ ଦଳ ତରଫରୁ ‘ପ୍ରବାଦ ପୁରୁଷ ଦିବସ’ ଭାବେ ରାଜ୍ୟବ୍ୟାପୀ ପାଳିତ ହେବ ବୋଲି ଶ୍ରୀ ମିଶ୍ର କହିଥିଲେ । ବିରୋଧୀ ଦଳ ମୁଖ୍ୟ ସଚେତକ, ଦଳର ଉପସଭାପତି ତଥା ବିଧାୟିକା ଶ୍ରୀମତୀ ପ୍ରମିଳା ମଲ୍ଲିକ କହିଥିଲେ ଯେ, ୯୦ ଦଶକରେ ବିଜୁ ବାବୁ ମହିଳାଙ୍କୁ ସଶକ୍ତ କରିବା ପାଇଁ ସ୍ୱତନ୍ତ୍ର ମହିଳା ଓ ଶିଶୁ ବିକାଶ ବିଭାଗ, ମହିଳା କମିଶନ, ମହିଳା ଥାନା ଓ ମହିଳା ବ୍ୟାଙ୍କ ସ୍ଥାପନ ଭଳି ଐତିହାସିକ ପଦକ୍ଷେପ ନେଇଥିଲେ । ସମାଜର ନିମ୍ନ ବର୍ଗର ମହିଳାଙ୍କ ସାମାଜିକ, ରାଜନୈତିକ ଓ ଅର୍ଥନୈତିକ ବିକାଶ ନିମନ୍ତେ ନିରନ୍ତର ଉଦ୍ୟମ କରୁଥିଲେ । ବର୍ତ୍ତମାନର ସରକାର ମହିଳାଙ୍କୁ ସୁରକ୍ଷା ପ୍ରଦାନରେ ଅସମର୍ଥ ଥିବାବେଳେ ପ୍ରଚାର ସର୍ବସ୍ୱ ଅଭିଯାନରେ ବ୍ୟସ୍ତ ।

ଦଳର ଉପସଭାପତି (ଓବିସି ସେଲ୍) ତଥା ବିଧାୟକ ଡ଼ ଅରୁଣ କୁମାର ସାହୁ, ସମାଜରେ ସଶକ୍ତ ମହିଳାଙ୍କ ଆବଶ୍ୟକତା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ମହିଳା ସଶକ୍ତିକରଣ କ୍ଷେତ୍ରରେ ସାବିତ୍ରୀବାଇ ଫୁଲେଙ୍କ ଠାରୁ ଆରମ୍ଭ କରି ବିଜୁ ବାବୁଙ୍କ ପର୍ଯ୍ୟନ୍ତ ଅନେକ ମହାପୁରୁଷଙ୍କ ଅବଦାନ ସମ୍ପର୍କରେ କହିବା ସହ ପ୍ରବାଦ ପୁରୁଷ ବିଜୁ ବାବୁ କିଭଳି ଗ୍ରାମୀଣ ମହିଳାଙ୍କ ଉତ୍ଥାନ ପାଇଁ କାର୍ଯ୍ୟ କରୁଥିଲେ, ତାହାର ଅବତାରଣା କରିଥିଲେ । ଡ଼ ସାହୁ କହିଥିଲେ, ୧୯୯୨ରେ ପଞ୍ଚାୟତିରାଜ ଓ ପୌରସଂସ୍ଥା ମାନଙ୍କରେ ମହିଳାଙ୍କ ପାଇଁ ୩୩% ସଂରକ୍ଷଣ ବ୍ୟବସ୍ଥା ବିଜୁ ବାବୁଙ୍କର ଏକ ଯୁଗାନ୍ତକାରୀ ପଦକ୍ଷେପ ଥିଲା । ନବୀନ ବାବୁ ମୁଖ୍ୟମନ୍ତ୍ରୀ ହେବା ପରେ ଏହି ସଂରକ୍ଷଣ ୫୦%କୁ ବୃଦ୍ଧି କରିବା ସହ ସ୍ୱତନ୍ତ୍ର ମିଶନ ଶକ୍ତି ବିଭାଗ ଗଠନ କରି ମହିଳାଙ୍କୁ ସ୍ୱାବଲମ୍ବୀ କରିଥିଲେ । ରାଜ୍ୟସଭା ସାଂସଦ ଶ୍ରୀମତୀ ସୁଲତା ଦେଓ, ପ୍ରତ୍ୟେକ କ୍ଷେତ୍ରରେ ମହିଳାଙ୍କ ବିକାଶ ପାଇଁ ନବୀନ ବାବୁଙ୍କ ଅବଦାନ ଅବିସ୍ମରଣୀୟ ବୋଲି କହିଥିଲେ । ଭୁବେନଶ୍ୱର ମେୟର ଶ୍ରୀମତୀ ସୁଲୋଚନା ଦାସ କହିଥିଲେ ଯେ, ତରବରିଆ ଭାବେ ରାଜନୈତିକ ଉଦେ୍ଦଶ୍ୟ ରଖି ସରକାର ମହିଳା ସଂରକ୍ଷଣ ବିଲ୍ ଆଣିଛନ୍ତି । ପୂର୍ବତନ ସାଂସଦ ଶ୍ରୀମତୀ ଶର୍ମିଷ୍ଠା ସେଠୀ, ଶ୍ରୀମତୀ କସ୍ତୁରୀ ମହାପାତ୍ର, ଗଣମାଧ୍ୟମ ସଂଯୋଜକ ଡ. ଲେନିନ ମହାନ୍ତି, ମୁଖପାତ୍ର ତୁମ୍ବନାଥ ପଣ୍ଡା, ଡ଼ ଗୀତା ବସ୍ତିଆ ପ୍ରମୁଖ ଏହି ଆଲୋଚନାଚକ୍ରରେ ଉପସ୍ଥିତ ଥିଲେ ।

ପରେ ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ମହିଳା ସଭାନେତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ କହିଥିଲେ, ଯେତେବେଳେ ମହିଳା ମାନଙ୍କୁ ସଶକ୍ତ କରିବା କଥା କେହି ଚିନ୍ତା କରିନଥିଲେ, ସେହି ସମୟରେ ପ୍ରବାଦ ପୁରୁଷ ବିଜୁ ବାବୁ ମହିଳାଙ୍କୁ ସଶକ୍ତ କରିବାକୁ ଅନେକ ପଦକ୍ଷେପ ନେଇଥିଲେ । ବିଜୁ ବାବୁଙ୍କ ଏହି ପଦକ୍ଷେପ, ମହିଳା ମାନଙ୍କୁ ସାମ୍ୱିଧାନିକ ପଦବୀରେ ସ୍ଥାପିତ କରିବା ସହିତ ସେମାନଙ୍କୁ ସଶକ୍ତିକରଣ କରିବାରେ ସମଗ୍ର ଦେଶରେ ଆଲୋକବର୍ତ୍ତିକା ସାଜିଥିଲା । ବିଜୁ ବାବୁଙ୍କ ଏହି ପଦକ୍ଷେପକୁ ତାଙ୍କ ସୁପୁତ୍ର ନବୀନ ପଟ୍ଟନାୟକ ଆଉ ଗୋଟିଏ ପାଦ ଆଗକୁ ନେଇ, ତ୍ରିସ୍ତରୀୟ ପଞ୍ଚାୟତିରାଜ ଓ ଅର୍ବାନ ଲୋକାଲ ବଡ଼ିରେ ମହିଳା ମାନଙ୍କ ପାଇଁ ସରଂକ୍ଷଣକୁ ୫୦%କୁ ବୃଦ୍ଧି କରିଥିଲେ । ଶ୍ରୀମତୀ ଟୁକୁନି ସାହୁ କହିଥିଲେ, ମହିଳା ମାନଙ୍କୁ ସାମ୍ୱିଧାନିକ ପଦବୀରେ ସ୍ଥାନିତ କରିବା ପାଇଁ ସମଗ୍ର ଦେଶରେ ବିଜୁ ବାବୁ ଓ ତାଙ୍କ ସୁପୁତ୍ର ନବୀନ ପଟ୍ଟନାୟକଙ୍କ ଭୂମିକା ଅତୁଳନୀୟ । ଦେଶର ସମସ୍ତ ରାଜନୈତିକ ଦଳ ମଧ୍ୟରେ ଏହା ସପକ୍ଷରେ ଏକ ସହମତି ଆଣିବା ପାଇଁ ନବୀନ ପଟ୍ଟନାୟକ ଯେଉଁ ପ୍ରୟାସ କରିଥିଲେ, ତାହାରି ଫଳ ସ୍ୱରୂପ ମହିଳାଙ୍କ ପାଇଁ ସଂସଦ ଓ ବିଧାନସଭାରେ ସଂରକ୍ଷଣ ବିଲ୍ ପାଳିତ ପାଇଁ ବାଟ ଫିଟିଥିଲା । ଶ୍ରୀମତୀ ରାଜଶ୍ରୀ ମଲ୍ଲିକ କହିଥିଲେ, ମହିଳା ମାନଙ୍କୁ ରାଜନୈତିକ, ଅର୍ଥନୈତିକ ଓ ସାମାଜିକ କ୍ଷେତ୍ରରେ ସ୍ୱାବଲମ୍ୱୀ କରିବା ଦିଗରେ ଉଦ୍ୟମର ମୂଳଦୁଆ ଦେଶରେ ବିଜୁ ବାବୁଙ୍କ ଦ୍ୱାରା ପଡିଥିଲା । ଏହି ଉଦ୍ୟମକୁ ତାଙ୍କ ସୁପୁତ୍ର ଆଉ ଗୋଟିଏ ପାଦ ଆଗକୁ ନେଇଥିଲେ । ମହିଳା ମାନଙ୍କୁ ସଂରକ୍ଷଣ ଦେବା ପାଇଁ ଆସିଥିବା ବିଲ୍କୁ ଆମେ ସ୍ୱାଗତ କରୁଛୁ । କିନ୍ତୁ ତରବରିଆ ଭାବେ ରାଜନୈତିକ ପ୍ରଚାର ସର୍ବସ୍ୱ ଉଦେ୍ଦଶ୍ୟ ରଖି ଏହା କାର୍ଯ୍ୟକାରୀ କରାନଯାଉ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking