କେନ୍ଦୁଝରଗଡ଼ : ନାବାଳିକାକୁ ଅପହରଣ କରି ନିଜ ପୁଅ ସହ ଜୋରଜବରଦସ୍ତ ବିବାହ ମାମଲା ଅଭିଯୁକ୍ତଙ୍କୁ ୧୦ବର୍ଷ ଜେଲ । ୧୪ ବଷୀୟା ନାବାଳିକାକୁ ଅପହରଣ କରି ନିଜ ପୁଅ ସହ ଜୋରଜବରଦସ୍ତ ବିବାହ ମାମଲାର ଅଭିଯୁକ୍ତ କେଶଦୁରାପାଳ ଗ୍ରାମର ଚେପନ ମୁଖୀଙ୍କୁ ଫାଷ୍ଟଟ୍ରାକ୍ କୋର୍ଟ କେନ୍ଦୁଝରର ବିଚାରପତି ବୁଧବାର ଚୂଡାନ୍ତ ଶୁଣାଣୀ କରି ୧୦ବର୍ଷ ଜେଲ ଦଣ୍ଡାଦେଶ କରିଥିବା ଜଣାପଡ଼ିଛି। ଘସିପୁରା ଥାନା ଅଧିନ କେଶଦୁରାପାଳ ଗ୍ରାମର ଚେପନ ମୁଖୀ ନିଜ ଝିଅ ମୀନା ମୁଖୀ ସହିତ କେନ୍ଦୁଝର ଟାଉନ ଥାନା ଧାଙ୍ଗରପଡ଼ାର ଜଣେ ୧୪ବଷୀୟା ନାବାଳିକାକୁ ୨୨ ଅପ୍ରେଲ ୨୦୨୨ ସକାଳେ ଅପହରଣ କରି ନେବାପରେ ଏକ ମନ୍ଦିରରେ ଜୋରଜବରଦସ୍ତ ନିଜ ପୁଅ ସହ ବିବାହ କରାଇଥିଲେ। ଏ ନେଇ ସମ୍ପୃକ୍ତ ନାବାଳିକାର ବାପା ଟାଉନ ଥାନାରେ ଅଭିଯୋଗ କରିବା ପରେ ଅପହରଣ ହୋଇଥିବା ନାବାଳିକାକୁ କେଶଦୁରାପାଳରୁ ଉଦ୍ଧାର କରିବା ସହ ଏହି ମାମଲାରେ ଚେପନ ମୁଖୀ ଓ ଝିଅ ମୀନା ମୁଖୀକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଏହି ମାମଲାରେ ୧୩ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ଫାଷ୍ଟଟ୍ରାକ୍ କୋର୍ଟ କେନ୍ଦୁଝରର ବିଚାରପତି ବିଜୟ କୁମାର ମିଶ୍ର ଚେପନ ମୁଖୀଙ୍କୁ ଦୋଷୀ ସାବ୍ୟସ୍ତ କରି ୧୦ବର୍ଷ ଜେଲ ସହ ୧୦ହଜାର ଟଙ୍କା ଜୋରିମାନା ଏବଂ ଜୋରିମାନା ଅନାଦେୟ ଅଧିକ ୬ମାସ ସଶ୍ରମ କାରାଦଣ୍ଡାଦେଶ କରିଛନ୍ତି। ଏଥିସହ ପୀଡିତାଙ୍କୁ ୪ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ ନିମନ୍ତେ ଆଦେଶ କରିଥିବା ବେଳେ ଏହି ମାମଲାରେ ସମ୍ପୃକ୍ତ ଚେପନଙ୍କ ଝିଅ ମୀନାଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ପୀଡିତାଙ୍କ ପକ୍ଷରୁ ସ୍ପେଶାଲ ପି.ପି. ଜ୍ଞାନେନ୍ଦ୍ର ଜେନା ମକଦ୍ଦମା ପରିଚାଳନା କରୁଥିଲେ।










