ଭୁବନେଶ୍ୱର: ବହୁ ଚର୍ଚ୍ଚିତ ବାଲିଅନ୍ତା ସୌମ୍ୟ ସ୍ବାଇଁ ହତ୍ୟା ମାମଲାରେ ଦୁଇ ଦିନ ରିମାଣ୍ଡରେ ଆସିଲେ ତିନି ଅଭିଯୁକ୍ତ । ପୁଲିସ ଦ୍ବାରା ଗିରଫ ହୋଇଥିବା ୧୧ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ତିନି ଜଣ ଅଭିଯୁକ୍ତଙ୍କୁ ଦୁଇଦିନ ରିମାଣ୍ଡରେ ଆଣିବାକୁ କ୍ରାଇମବ୍ରାଞ୍ଚକୁ ଅନୁମତି ଦେଲେ ଏସ୍ଡେଜେଏମ୍ କୋର୍ଟ । ଘଟଣା ସମ୍ପର୍କରେ ଅଧିକ ତଥ୍ୟ ଆଦାୟ ଲାଗି ସେମାନଙ୍କୁ ଅଣାଯାଇଛି । ରିମାଣ୍ଡରେ ଆସିଥିବା ଅଭିଯୁକ୍ତମାନେ ହେଲେ ସ୍କାଇଲାବ୍ ପତି, ବିସ୍ମୟ ମହାନ୍ତି ଓ ପଞ୍ଚାନନ ବଡ଼ଜେନା । ପୂର୍ବରୁ ଏମାନଙ୍କୁ ମିଶାଇ ୧୧ ଜଣଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା ।ସୌମ୍ୟଙ୍କୁ ପିଟି ପିଟି ହତ୍ୟା ମାମଲାରେ ଆଉ କିଛି ଅଭିଯୁକ୍ତ ସମ୍ପର୍କରେ ସୁରାକ ହାସଲ କରିବା ପାଇଁ, ଆଉ କିଛି ଅଭିଯୁକ୍ତ ଯେଉଁମାନେ ଧରାପଡ଼ି ନାହାନ୍ତି ସେମାନଙ୍କ ପାଖରେ ପହଞ୍ଚିବା ପାଇଁ, ଭିଡିଓ ଆଧାରରେ ଆଉ କାହାର ସଂପୃକ୍ତି ଅଛି ସେମାନଙ୍କୁ ଚିହ୍ନଟ ପାଇଁ ରିମାଣ୍ଡରେ ଅଣାଯାଇଛି । ସୂଚନାଯୋଗ୍ୟ, ସୌମ୍ୟ ହତ୍ୟା ମାମଲାରେ ଏପର୍ଯ୍ୟନ୍ତ ୨୦ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଏବେବି ଆଉ କିଛି ଅଭିଯୁକ୍ତ ଫେରାର ରହିଛନ୍ତି ।










