32.1 C
Bhubaneswar
Friday, October 18, 2024
Homeଦେଶ ବିଦେଶଆଖିବୁଜିଲେ ନିପା ସଂକ୍ରମିତ ୧୪ ବର୍ଷୀୟ ନାବାଳକ; ୨୦୧୮ରୁ ଏପର୍ଯ୍ୟନ୍ତ ଗଲାଣି ୨୧ ଜୀବନ

ଆଖିବୁଜିଲେ ନିପା ସଂକ୍ରମିତ ୧୪ ବର୍ଷୀୟ ନାବାଳକ; ୨୦୧୮ରୁ ଏପର୍ଯ୍ୟନ୍ତ ଗଲାଣି ୨୧ ଜୀବନ

କୋଝିକୋଡେ: କେରଳର କୋଝିକୋଡେ ସରକାରୀ ମେଡ଼ିକାଲ କଲେଜ୍‌ରେ ଆଜି ଜଣେ ୧୪ ବର୍ଷୀୟ ନାବାଳକର ମୃତ୍ୟୁ ପ୍ରାଣଘାତୀ ଭୂତାଣୁ ‘ନିପା’ ଯୋଗୁ ହୋଇଥିବା ସୂଚନା ମିଳିଛି । ଦିନକ ପୂର୍ବେ ମଲପ୍ପୁରମ୍ ଜିଲ୍ଲାର ସ୍ଥାୟୀ ନିବାସୀ ଏହି ନାବାଳକଜଣକ ନିପା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡିବା ପରେ କୋଝିକୋଡେ ମେଡ଼ିକାଲ କଲେଜ୍‌ରେ ଭର୍ତ୍ତି ହୋଇଥିଲେ । ତେବେ ଆଜି ରବିବାର ପୂର୍ବାହ୍ନ ୧୧.୨୦ ମିନିଟ୍ ସମୟରେ ନାବାଳକର ମୃତ୍ୟୁ ହୋଇଥିବା ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ମଧ୍ୟ ଏନେଇ ସ୍ପଷ୍ଟ କରିଛନ୍ତି ।

ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ କହିଛନ୍ତି, ନିପା ଭୂତାଣୁ ଦ୍ୱାରା ସଂକ୍ରମିତ ନାବାଳକ ସକାଳ ୧୦.୫୦ ମିନିଟରେ ବଡ଼ଧରଣର ହୃଦ୍‌ଘାତର ସମ୍ମୁଖୀନ ହୋଇଥିଲେ । ଭେଣ୍ଟିଲେଟର ସପୋର୍ଟ ସହ ଡାକ୍ତରୀ ଦଳ ତାଙ୍କୁ ବଞ୍ଚାଇବା ପାଇଁ ପୂର୍ଣ୍ଣ ଚେଷ୍ଟା କରିଥିବା ସତ୍ତ୍ୱେ ସବୁକିଛି ବିଫଳ ହୋଇଥିଲା । ତେବେ ମେଡିକାଲ ପ୍ରୋଟୋକଲ ଅନୁସାରେ ଅନ୍ତିମ ସଂସ୍କାର କରାଯାଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନ ମଲାପୁରମ ଜିଲ୍ଲାର ପଣ୍ଡିକାଡ ନିପା ଭୂତାଣୁର ମୂଳ କେନ୍ଦ୍ର ରହିଛି । କେବଳ ଏହି ପ୍ରାନ୍ତରୁ ୪ ଜଣ ଭୂତାଣୁ ସଂକ୍ରମିତ ହୋଇଥିବା ଏବଂ ଏସମସ୍ତେ ହାଇ ରିସ୍କ ବର୍ଗରେ ରହିଥିବା ରିପୋର୍ଟ ଆସିଛି । ସମସ୍ତଙ୍କୁ ମଞ୍ଜେରି ମେଡିକାଲ କଲେଜରେ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି । ଏହି ଅବସରରେ ନିପା ଭୂତାଣୁ ସମ୍ପର୍କରେ ଲୋକଙ୍କୁ ପରାମର୍ଶ ଦେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ବୀଣା ଜର୍ଜ, ପଣ୍ଡିକାଡ଼ା ଓ ଏହାର ଆଖପାଖ ଅଞ୍ଚଳର ଲୋକଙ୍କୁ ସର୍ବସାଧାରଣ ସ୍ଥାନରେ ମାସ୍କ ବ୍ୟବହାର କରିବାକୁ କହିଛନ୍ତି । ସେହିପରି ହସ୍ପିଟାଲରେ ରୋଗୀଙ୍କୁ ଭେଟିବାକୁ ଯିବା ବେଳେ ମାସ୍କ ସହ ଅଧିକ ସତର୍କତା ଅବଲମ୍ବନ କରିବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି । ଏତଦ୍‌ବ୍ୟତୀତ କୌଣସି ପକ୍ଷୀ କିମ୍ବା ପଶୁ ଅଧା ଖଣ୍ଡିଆ କରିଥିବା ଫଳକୁ ନ ଖାଇବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି ।

ପୂର୍ବରୁ କେରଳରେ ୪ ଥର ନିପା ଭାଇରସ ଆତଙ୍କ ଦେଖିବାକୁ ମିଳିଥିଲା । ୨୦୧୮, ୨୦୧୨ ଓ ୨୦୧୩ରେ କୋଝିକୋଡେ ଜିଲ୍ଲାରେ ନିପା ଭୂତାଣୁ ଦ୍ୱାରା ଅନେକ ସଂକ୍ରମିତ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ଅନେକ ମୃତ୍ୟୁବରଣ କରିଥିଲେ । ୨୦୧୯, ୨୦୨୧ ଏବଂ ୨୦୨୩ରେ ମଧ୍ୟ କେରଳର କିଛି ପ୍ରାନ୍ତରେ ନିପା ଭୂତାଣୁ ସଂକ୍ରମଣଜନିତ ରିପୋର୍ଟ ମିଳିଥିଲା । ତେବେ ଆଜିର ଏହି ମୃତ୍ୟୁସଂଖ୍ୟାକୁ ମିଶାଇ ୨୦୧୮ରୁ ଆଜି ପର୍ଯ୍ୟନ୍ତ କେବଳ ନିପା ଭୂତାଣୁଜନିତ ସଂକ୍ରମଣ କାରଣରୁ କେରଳରେ ୨୧ଜଣଙ୍କ ମୃତ୍ୟୁ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking