ବିଜେଡି ଶାସନ କାଳରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ହୋଇଥିଲା ଅଭୂ୍ୟଦୟ
ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ପ୍ରଚେଷ୍ଟାରେ ପାଇଥିଲା ନୂତନ ପରିଚୟ
ପରିବର୍ତ୍ତନର ଏକ ଗୌରବମୟ ଅଧ୍ୟାୟ ଆଜି ବି ମନେ ରହିଛି
ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ଓଡ଼ିଶାର ଅନ୍ୟତମ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ରେଭେନ୍ସା ବିଶ୍ୱବିଦ୍ୟାଳୟର ହୋଇଥିଲା ଅଭୂ୍ୟଦୟ । ବିଜେଡି ସରକାର ସମୟରେ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଶିକ୍ଷାଗତ ଓ ଭିତ୍ତିଭୂମି କ୍ଷେତ୍ରରେ ବ୍ୟାପକ ରୂପାନ୍ତରଣ ହୋଇଥିଲା । ଏହାର ଐତିହାସିକ ଗୌରବ ଓ ଶୈକ୍ଷିକ ପରିଚୟକୁ ଅକ୍ଷୁଣ୍ଣ ରଖି ଏକ ଆଧୁନିକ ଶୈକ୍ଷିକ କ୍ୟାମ୍ପସ ଭାବେ ଉଭା ହୋଇଥିଲା।
ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସିତା ସାହୁ, କାର୍ଯ୍ୟକାରୀ ସଭାପତି ଚିନ୍ମୟ ଦାସ, ରେଭେନ୍ସା ବିଶ୍ୱବିଦ୍ୟାଳୟର ପୂର୍ବତନ ସଭାପତି ଲଲାଟ କେଶରୀ ଦାସ ରେଭେନ୍ସା ବିଶ୍ୱବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନରେ ବିଜେଡି ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଥିଲେ । ଇପ୍ସିତା ସାହୁ କହିଥିଲେ ଯେ, ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ଉନ୍ନତିକରଣ ହୋଇଥିଲା । ଆଗକୁ ମଧ୍ୟ ବିକାଶ ଧାରା ଜାରି ରହିବ ବୋଲି ବିଜେଡି ପକ୍ଷରୁ ନିର୍ବାଚନୀ ଇସ୍ତାହାର ପ୍ରକାଶ କରାଯାଇଛି । ନିର୍ବାଚନରେ ବିଜୟ ହେବା ପାଇଁ ବିଜେପି ସରକାରୀ କଳକୁ ଲଗାଇ ଦେଇଛି । ଦିଲ୍ଲୀରେ ସିଇସି ଜ୍ଞାନେଶ କୁମାରଙ୍କ ପରି ଓଡ଼ିଶାରେ ମଧ୍ୟ ୩ ଜଣ ଜ୍ଞାନେଶ କୁମାର ଭୋଟ ଚୋରି ପାଇଁ ଲାଗି ପଡିଛନ୍ତି । ସେମାନେ ହେଲେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଡିସି ଶ୍ରୀ ଦେବ ରଞ୍ଜନ ସିଂ ଓ ଡିଜିପି ଶ୍ରୀ ବିନୟତୋଷ ମିଶ୍ର । ଏମାନେ ଜିଲ୍ଲାପାଳ ଓ ଏସପି ମାନଙ୍କୁ ନିଦେ୍ର୍ଦଶ ଦେଇ କ୍ୟାମ୍ପସ ରାଜନୀତିରେ ପ୍ରବେଶ କରାଉଛନ୍ତି । ଛାତ୍ର ସଂସଦ ନିର୍ବାଚନରେ ବିଜେଡି ବିଜୟ ଲାଭ କରିବ । ଛାତ୍ର ସଂସଦ ନିର୍ବାଚନକୁ ସ୍ୱଚ୍ଛ ଓ ନିରପେକ୍ଷ ଭାବେ କରାଯାଉ । ପୋଲିଂ ସ୍ଥାନରେ ସିସିଟିଭି କ୍ୟାମେରା ବ୍ୟବସ୍ଥା କରିବା, ସମସ୍ତ ପ୍ରାର୍ଥୀ ମାନଙ୍କ ପ୍ରତିନିଧୀ ମାନେ ଗଣତି ସ୍ଥାନରେ ନ ପହଞ୍ଚିବା ପର୍ଯ୍ୟନ୍ତ ଗଣତି ଆରମ୍ଭ ନ କରିବା, ବାଲାଟ ବାକ୍ସ ସ୍ଥାନାନ୍ତରିତ ସ୍ଥାନ ପର୍ଯ୍ୟନ୍ତ ସିସିଟିଭି କ୍ୟାମେରା ଲଗାଇବା, ସମସ୍ତ ପ୍ରବେଶ ଦ୍ୱାରରେ ସିସିଟିଭି କ୍ୟାମେରା ବ୍ୟବସ୍ଥା କରିବା ପାଇଁ ଇପ୍ସିତା ସାହୁ ଦାବି କରିଥିଲେ ।
ଶ୍ରୀ ଚିନ୍ମୟ ଦାସ କହିଥିଲେ ଯେ, ରେଭେନ୍ସା ବିଶ୍ୱବିଦ୍ୟାଳୟର ସର୍ବାଙ୍ଗୀନ ବିକାଶ ବିଜେଡି ସରକାର ସମୟରେ ହୋଇଥିଲା । ତାହାକୁ ଆଗକୁ ଜାରି ରଖିବା ପାଇଁ ନିର୍ବାଚନୀ ଇସ୍ତାହାର ପ୍ରକାଶ କରାଯାଇଛି । ୧୫ ନଭେମ୍ବର ୨୦୦୬ରେ ନବୀନ ପଟ୍ଟନାୟକ ସରକାର ରେଭେନ୍ସା କଲେଜକୁ ଏକ ପୂର୍ଣ୍ଣାଙ୍ଗ ଏକକ ରାଜ୍ୟ ବିଶ୍ୱବିଦ୍ୟାଳୟରେ ପରିଣତ କରିଥିଲେ । ବିଜେଡି ସରକାର ସମୟରେ ଏକାଡେମିକ୍ ବ୍ଲକ-୧ ଓ ଏକାଡେମିକ୍ ବ୍ଲକ-୨ ନିର୍ମାଣ କରାଯାଇ ବିଶ୍ୱବିଦ୍ୟାଳୟର ଶୈକ୍ଷିକ ଭିତ୍ତିଭୂମି ସୁଦୃଢ଼ ହୋଇଥିଲା । ଏହା ସହିତ ଏକ ନୂତନ ପ୍ରଶାସନିକ ବ୍ଲକ ଏବଂ କମର୍ସ ବ୍ଲକ ଓ ଅନ୍ୟ ଏକ ଏକାଡେମିକ୍ ବ୍ଲକ ନିର୍ମାଣ ଦ୍ୱାରା ଅନୁଷ୍ଠାନର କାର୍ଯ୍ୟକ୍ଷମତା ବୃଦ୍ଧି ପାଇଥିଲା ଏବଂ ବିଶ୍ୱବିଦ୍ୟାଳୟର ବର୍ଦ୍ଧିତ ଆବଶ୍ୟକତା ପୂରଣରେ ସହାୟତା ମିଳିଥିଲା । ବିଜେଡି ସରକାର ସମୟରେ ୧୩.୦୮ କୋଟି ଟଙ୍କା ବ୍ୟୟରେ ନିର୍ମିତ ୬୦୦ରୁ ଊଦ୍ଧ୍ୱର୍ ଶଯ୍ୟା ବିଶିଷ୍ଟ ମହାନଦୀ ଛାତ୍ରୀ ନିବାସ, ଲଳିତଗିରି ଛାତ୍ରାବାସ, କାଠଯୋଡ଼ି ଛାତ୍ରୀ ନିବାସ, ଐତିହାସିକ ଇଷ୍ଟ ଓ ୱେଷ୍ଟ ହଷ୍ଟେଲର ପୁନରୁଦ୍ଧାର ଓ ନବୀକରଣ କରାଯାଇଥିଲା । ପ୍ରାୟ ୮ କୋଟି ଟଙ୍କା ବ୍ୟୟରେ ଏକ ବହୁମୁଖୀ ଇନ୍ଡୋର ହଲ୍ ନିର୍ମାଣ ହୋଇଥିଲା । ବିଜେଡି ସରକାର ସମୟରେ ଓଡ଼ିଶାର ପ୍ରଥମ ସରକାରୀ ବିଶ୍ୱବିଦ୍ୟାଳୟ ଭାବେ ରେଭେନ୍ସା ବିଶ୍ୱବିଦ୍ୟାଳୟ ୪ ମଧ୍ୟରୁ ୩.୫୮ ସିଜିପିଏ ମାନ୍ୟତା ହାସଲ କରିଥିଲା ।
ଶ୍ରୀ ଦାସ ଆହୁରି କହିଥିଲେ ଯେ, ରେଭେନ୍ସା ବିଶ୍ୱବିଦ୍ୟାଳୟ କେବଳ ଏକ ଶିକ୍ଷାନୁଷ୍ଠାନ ନୁହେଁ; ଏହା ଓଡ଼ିଶାର ବୌଦ୍ଧିକ, ସାଂସ୍କୃତିକ ଓ ଐତିହାସିକ ପରିଚୟର ଏକ ଅବିଚ୍ଛେଦ୍ୟ ଅଂଶ । “ଉନ୍ନତ ରେଭେନ୍ସା, ଉଜ୍ଜ୍ୱଳ ଭବିଷ୍ୟତ” ନେଇ ଇସ୍ତାହାରରେ ପ୍ରତିଶ୍ରୁତି ଦିଆଯାଇଛି । ବିସିଜେଡିର ପ୍ରାର୍ଥୀ ନିର୍ବାଚିତ ହେଲେ ସ୍ନାତକ, ସ୍ନାତକୋତ୍ତର ଛାତ୍ରଛାତ୍ରୀ, ଗବେଷକ ଏବଂ ସମଗ୍ର ବିଶ୍ୱବିଦ୍ୟାଳୟ ସମୁଦାୟର କଲ୍ୟାଣ ପାଇଁ କାମ କରାଯିବ । ଦିନରାତି ଖୋଲା ରହୁଥିବା ଏକ ଆଧୁନିକ ପାଠାଗାର ପ୍ରତିଷ୍ଠା କରିବୁ, ଅତ୍ୟାଧୁନିକ କମ୍ପୁ୍ୟଟର ପ୍ରୟୋଗ କେନ୍ଦ୍ର ଓ ମାଗଣା ୱାଇ-ଫାଇ, ସ୍ଥାୟୀ ଅଧ୍ୟାପକ ନିଯୁକ୍ତି, ନୂତନ ଅଧ୍ୟୟନ ବିଦ୍ୟାଳୟ ପ୍ରତିଷ୍ଠା କରିବୁ, କ୍ୟାମ୍ପସରେ ୩ଟି ସୁଲଭ ମୂଲ୍ୟର କ୍ୟାଣ୍ଟିନ୍, ଆହାର କେନ୍ଦ୍ର, ୨୪ ଘଣ୍ଟିଆ ଚାହା ଓ ଜଳଖିଆ ଷ୍ଟଲ୍, ମହିଳା ଛାତ୍ରାବାସ ପରିସରରେ କ୍ୟାଣ୍ଟିନ୍, ମହିଳାଙ୍କ ସୁରକ୍ଷା ଓ ନିରାପତ୍ତାକୁ ଗୁରୁତ୍ୱ, ମହିଳା ଛାତ୍ରାବାସର ସୁଦୃଢ଼ ସୀମା ପ୍ରାଚୀର, ଦିନରାତି ସ୍ୱାସ୍ଥ୍ୟସେବା ପାଇଁ ଆଦର୍ଶ କ୍ୟାମ୍ପସ ସ୍ୱାସ୍ଥ୍ୟକେନ୍ଦ୍ର, ୨୪ ଘଣ୍ଟିଆ ଆମ୍ବୁଲାନ୍ସ ସେବା, ମହିଳା ଅନୁକୂଳ ସ୍ୱାସ୍ଥ୍ୟସେବା, ଉନ୍ନତ ଛାତ୍ରାବାସ, ବିଶୁଦ୍ଧ ପାନୀୟ ଜଳ, ପରିମଳ ବ୍ୟବସ୍ଥା, ସ୍ୱାସ୍ଥ୍ୟକର ଭୋଜନାଳୟ, ନିରବଚ୍ଛିନ୍ନ ବିଦୁ୍ୟତ ଓ ଇଣ୍ଟରନେଟ୍ ସେବା, ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ସୁଗମ କ୍ୟାମ୍ପସ, ସୁଲଭ ଓ ସୁବିଧାଜନକ ପରିବହନ ପାଇଁ ବସ୍ ପାସ୍ ବ୍ୟବସ୍ଥା, କ୍ୟାମ୍ପସରେ ଆମ ବସ୍ ପାସ୍ ସହାୟତା କେନ୍ଦ୍ର ପ୍ରତିଷ୍ଠା, ରେଳ ଟିକେଟ୍ ସଂରକ୍ଷଣ କାଉଣ୍ଟର, ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ମାଗଣା ପ୍ରଶିକ୍ଷଣ ସହ ରୋଜଗାର ଛାତ୍ରବୃତ୍ତି ଓ ଆର୍ଥିକ ସହାୟତା ପାଇଁ “ପଢ଼ିବା ସହ ରୋଜଗାର’ କାର୍ଯ୍ୟକ୍ରମ ଆରମ୍ଭ କରିବୁ । କ୍ୟାମ୍ପସରେ ପାରିଶ୍ରମିକଯୁକ୍ତ ନିଯୁକ୍ତି ସୁଯୋଗ, ସ୍ୱଚ୍ଛ ଓ ନିରପେକ୍ଷ ଚୟନ ପ୍ରକ୍ରିୟା, ଆର୍ଥିକ ସ୍ୱାବଲମ୍ବନ ଓ ଦକ୍ଷତା ବିକାଶ, ଇଣ୍ଟର୍ନସିପ୍ ଓ ନିଯୁକ୍ତି ସହାୟତା, ଉଦ୍ୟୋଗୀକରଣ ଓ ନବସୃଜନ, ଛାତ୍ର ପ୍ରତିନିଧିତ୍ୱ ଓ ଉତ୍ତରଦାୟିତ୍ୱ, ତ୍ୱରିତ ଅଭିଯୋଗ ସମାଧାନ ବ୍ୟବସ୍ଥା, ପ୍ରତ୍ୟେକ ଛାତ୍ରୀଙ୍କ ନିମନ୍ତେ ଏକ ସୁରକ୍ଷିତ କ୍ୟାମ୍ପସ କରିବା ପାଇଁ ଇସ୍ତାହାରରେ ପ୍ରକାଶ କରାଯାଇଛି । ଛାତ୍ର କଲ୍ୟାଣ ପାଇଁ ଭୋଟ୍ ଦେଇ ଏକ ଉନ୍ନତ ରେଭେନ୍ସା ବିଶ୍ୱବିଦ୍ୟାଳୟ ଗଢ଼ିବାକୁ ବିଜେଡିକୁ ସମର୍ଥନ ଦେବାକୁ ଶ୍ରୀ ଦାସ ନିବେଦନ କରିଥିଲେ । ଶ୍ରୀ ଲଲାଟ କେଶରୀ ଦାସ କହିଥିଲେ ଯେ, ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ଅନେକ ବିକାଶ କରାଯାଇଛି । ଆଜି ବି ନିର୍ବାଚନୀ ଇସ୍ତାହାରରେ ଯେଉଁ ପ୍ରତିଶ୍ରୁତି ଦିଆଯାଇଛି, ତାହାକୁ ପୂରଣ କରାଯିବ । ଛାତ୍ରଛାତ୍ରୀ ମାନଙ୍କ ସୁବିଧାକୁ ପ୍ରାଧାନ୍ୟ ଦେଇ ବିଜେଡି କାର୍ଯ୍ୟ କରିବ ।










