29.1 C
Bhubaneswar
Monday, October 12, 2026
Homeଓଡିଶାରାଜ୍ୟସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଆୟୋଜିତ: ସାରା ରାଜ୍ୟରେ ୧୦ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ...

ରାଜ୍ୟସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଆୟୋଜିତ: ସାରା ରାଜ୍ୟରେ ୧୦ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ

ଭୁବନେଶ୍ବର: ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ୟୁନିଟ୍- ୧ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ହୋଇଯାଇଛି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇ ସେବା ସଂକଳ୍ପ ଅଭିଯାନରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅଂଶଗ୍ରହଣ ଓ ସହଭାଗିତାକୁ ପ୍ରଶଂସା କରିଛନ୍ତି । ସମ୍ମାନନୀୟ ଅତିଥି ଭାବେ ଭୁବନେଶ୍ବର (ଏକାମ୍ର) ବିଧାୟକ ଶ୍ରୀ ବାବୁ ସିଂ, ଭୁବନେଶ୍ବର (ମଧ୍ୟ) ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ୱାର୍ଡ ନଂ ୪୦ ର କର୍ପୋରେଟର୍ ଆସିୟା ବେଗମ୍, ବିଭାଗୀୟ ଆୟୁକ୍ତ ତଥା ଶାସନ ସଚିବ ଡଃ ଏନ୍.ତିରୁମାଲା ନାୟକ, ସ୍ବତନ୍ତ୍ର ଶାସନ ସଚିବ ଶ୍ରୀ ଦୁର୍ଗା ପ୍ରସାଦ ମହାପାତ୍ର, ଓସେପାର ଭାରପ୍ରାପ୍ତ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀମତୀ ସଙ୍ଗୀତା ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।ସେବା ସଂକଳ୍ପ ଅଭିଯାନରେ ଅନେକ ସେବାମୂଳକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ରାଜ୍ୟ ସରକାର । ସ୍ବଚ୍ଛତା, ସେବା ଓ ସଂକଳ୍ପକୁ ପାଥେୟ କରି ରାଜ୍ୟରେ ବିଭିନ୍ନ କାର୍ଯ୍ୟ କରାଯାଉଛି । ଏହିକ୍ରମରେ ୪୮ ହଜାରରୁ ଅଧିକ ବିଦ୍ୟାଳୟରେ ସେବା ସଂକଳ୍ପ ଅଭିଯାନ ଅବସରରେ “ମୋ ସ୍ବପ୍ନର ଭାରତ” ବିଷୟବସ୍ତୁକୁ ନେଇ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ କରାଯାଇଥିଲା । ଏଥିରେ ୧୦ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ସାମିଲ୍ ହୋଇଥିଲେ । ଛାତ୍ରଛାତ୍ରୀମାନେ ତୂଳୀ, କାଗଜ ମାଧ୍ୟମରେ ନିଜ ନିଜ ସ୍ବପ୍ନର ଭାରତକୁ ଆଙ୍କିଥିଲେ । ବିକଶିତ ଭାରତ ଗଠନରେ ନିଜର ପରିକଳ୍ପନାକୁ ଚିତ୍ରାଙ୍କନ ମାଧ୍ୟମରେ ଛାତ୍ରଛାତ୍ରୀମାନେ ଜୀବନ୍ତ କରିପାରିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ମତ ବ୍ୟକ୍ତ କରିଛନ୍ତି ।

ସେହିପରି ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇ ବିଧାୟକ ଶ୍ରୀ ବାବୁ ସିଂ କହିଛନ୍ତି, ପୂର୍ବସୂରୀମାନଙ୍କ ନୀତି ଓ ଆଦର୍ଶକୁ ବିକଶିତ ଓଡ଼ିଶା ଗଠନରେ ବ୍ୟବହାର କରିବାର ଆବଶ୍ୟକତା ରହିଛି । ଛାତ୍ରଛାତ୍ରୀଙ୍କ ଅବଦାନରେ ପ୍ରତି କ୍ଷେତ୍ରରେ ରାଜ୍ୟ ବିକାଶ ଲାଭ କରିବ ଓ ଦେଶର ସର୍ବୋତ୍ତମ ରାଜ୍ୟ ଭିତରେ ଓଡ଼ିଶା ରହିବ ବୋଲି ସେ ମତପ୍ରକାଶ କରିଛନ୍ତି । ସେହିପରି ବିଧାୟକ ଶ୍ରୀ ଅନନ୍ତ ଜେନା ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ବିଭାଗର ପ୍ରୟାସକୁ ପ୍ରଶଂସା କରିଛନ୍ତି । ଏହି ଅବସରରେ ବିଭାଗର ଆୟୁକ୍ତ ତଥା ଶାସନ ସଚିବ ସ୍ବାଗତ ଅଭିଭାଷଣ ରଖିବା ସହ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମରେ ବିଭାଗର ସଫଳତାକୁ ବର୍ଣ୍ଣନା କରିଛନ୍ତି । ସେ କହିଛନ୍ତି, ରାଜ୍ୟର ୩୦ ଗୋଟି ଜିଲ୍ଲାର ସମସ୍ତ ବିଦ୍ୟାଳୟରେ ମୋଟ୍ ୧୨ ଲକ୍ଷ ୫୦ ହଜାର ଛାତ୍ରଛାତ୍ରୀ, ଅଭିଭାବକ, ସମୁଦାୟ, ଶିକ୍ଷକ-ଶିକ୍ଷୟିତ୍ରୀ ଅଂଶଗ୍ରହଣ କରିଥିଲେ । ସେବା ସଂକଳ୍ପ ଅଭିଯାନକୁ ନେଇ ପ୍ରଥମେ ବିଦ୍ୟାଳୟସ୍ତରୀୟ, ପରେ ପରେ ବ୍ଲକ, ଜିଲ୍ଲା ଓ ରାଜ୍ୟସ୍ତରରେ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଏଥିସହ ଛାତ୍ରଛାତ୍ରୀମାନଙ୍କ ଚିତ୍ରାଙ୍କନକୁ ନେଇ ପ୍ରଦର୍ଶନୀ ମଧ୍ୟ ଆୟୋଜିତ କରାଯାଇଥିବା ନେଇ ବିଭାଗୀୟ ସଚିବ ସୂଚନା ଦେଇଛନ୍ତି । ଏଥିସହ ରାଜ୍ୟସ୍ତରର ପ୍ରତିଯୋଗିତାରେ ଆଜି ୧୮୦ ଜଣ କୃତି ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ସେମାନଙ୍କ ମଧ୍ୟରୁ ତିନୋଟି ବିଭାଗରେ ଉଭୟ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତାର ଶ୍ରେଷ୍ଠ ୧୮ ଜଣଙ୍କୁ ପୁରସ୍କୃତ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking