ଭୁବନେଶ୍ବର : ବଦଳିଲେ ଓଡ଼଼ିଶାର ରାଜ୍ୟପାଳ । ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟିଙ୍କ ସ୍ଥାନରେ ବ୍ରଜ ମୋହନ ରାମଙ୍କୁ ନୂଆ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଜ୍ୟପାଳ ନିଯୁକ୍ତି ନେଇ ମୋହର ମାରିଛନ୍ତି । ବ୍ରଜ ମୋହନ ରାମ ବିଜେପି ସହ ଜଡ଼ିତ ଜଣେ ଅଭିଜ୍ଞ ରାଜନେତା। ସେ ୧୯୯୬, ୧୯୯୮ ଓ ୧୯୯୯ ମସିହାରେ ଲଗାତାର ତିନିଥର ଲୋକସଭା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ।
ସେତେବେଳେ ସେ ଅବିଭକ୍ତ ବିହାରର ପଲାମୁ ଲୋକସଭା ଆସନର ପ୍ରତିନିଧିତ୍ୱ କରୁଥିଲେ । ଯାହା ଝାଡ଼ଖଣ୍ଡ ରାଜ୍ୟ ଗଠନ ହେବା ପରେ ତା ଅଧୀନକୁ ଆସିଥିଲା । ଜାତୀୟ ରାଜନୀତିକୁ ଆସିବା ପୂର୍ବରୁ ସେ ୧୯୯୧ରୁ ୧୯୯୫ ପର୍ଯ୍ୟନ୍ତ ବିହାର ବିଧାନସଭାର ସଦସ୍ୟ ଥିଲେ । ସେ ଝାଡ଼ଖଣ୍ଡରେ ବିଜେପିର ଅନୁସୂଚିତ ଜାତି (ଏସ୍ସି) ମୋର୍ଚ୍ଚାର ରାଜ୍ୟ ପ୍ରଭାରୀ ଭଳି ଗୁରୁତ୍ୱପୂର୍ଣ୍ଣ ସାଂଗଠନିକ ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି ।
ତେବେ କେବଳ ଓଡ଼ିଶା ନୁହେଁ, ଅନ୍ୟ କିଛି ରାଜ୍ୟର ରାଜ୍ୟପାଳ ପଦରେ ମଧ୍ୟ ପରିବର୍ତ୍ତନ ହୋଇଛି । ସିକ୍କିମର ରାଜ୍ୟପାଳ ଓମ୍ ପ୍ରକାଶ ମାଥୁରଙ୍କୁ କେରଳମର ରାଜ୍ୟପାଳ ଏବଂ କେରଳମର ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କୁ ତାମିଲନାଡୁର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଥିବା ଉଲ୍ଲେଖ ରହିଛି । ଏଥିସହ ଡକ୍ଟର ସୁଧା ଯାଦବଙ୍କୁ କର୍ଣ୍ଣାଟକ, ଡକ୍ଟର ଢାଲ ସିଂହ ବିସେନଙ୍କୁ ଉତ୍ତରାଖଣ୍ଡ ଏବଂ ଦୁଷ୍ୟନ୍ତ ଗୌତମଙ୍କୁ ସିକ୍କିମର ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି ।
ରାଜ୍ୟପାଳଙ୍କ ନିଯୁକ୍ତି ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୧୫୫ ଅନୁଯାୟୀ ରାଷ୍ଟ୍ରପତିଙ୍କ ଦ୍ୱାରା କରାଯାଇଥାଏ । ନୂଆ ରାଜ୍ୟପାଳଙ୍କ ନିଯୁକ୍ତି ଓ କାର୍ଯ୍ୟଭାର ଗ୍ରହଣ ସମ୍ପର୍କିତ ବିସ୍ତୃତ ସୂଚନା ଆଧିକାରିକ ବିଜ୍ଞପ୍ତିରୁ ସ୍ପଷ୍ଟ ହେବ ।










