ଯାଜପୁର : ନିର୍ବାଚନ ପୂର୍ବରୁ ବ୍ୟାସନଗର ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ବୋମା ମାଡ଼ । ବୋମାମାଡ଼ ପରେ ଛାତ୍ରଛାତ୍ରୀ ଭୟଭୀତ । ପୋଲିସର ତଦନ୍ତ ଆରମ୍ଭ । ସୂଚନା ଅନୁଯାୟୀ ଆଜି ଭୋର ସାଢ଼େ ୩ଟା ସମୟରେ ପ୍ରଥମେ ଯାଜପୁର ରୋଡ ବ୍ୟାସନଗର ସ୍ୱୟଂ ଶାସିତ ମହାବିଦ୍ୟାଳୟର ପ୍ରିନ୍ସପାଲଙ୍କ ବାସଭବନ ଆଗରେ ବୋମା ଫୁଟିବାର ଶବ୍ଦ ଆସିଥିଲା । ପରେ ପ୍ରିନ୍ସପାଲ ଅକ୍ଷୟ ତ୍ରିପାଠୀ ଘର ବାହାରକୁ ଆସି ଦେଖିଲା ବେଳକୁ ସମ୍ପୂର୍ଣ୍ଣ ପରିବେଶ ଧୂଆଁ ହୋଇଯାଇଥିଲା । ଏଥିରେ ଭୟଭୀତ ହୋଇ ସାଥି ଅଧ୍ୟାପକଙ୍କୁ ଫୋନ ଯୋଗେ ଡାକିଥିଲେ । ଏଥିସହିତ କିଛି ସମୟରେ ମହାବିଦ୍ୟାଳୟ ପରିସରରେ ଥିବା ପଠାଣି ସାମନ୍ତ ଛାତ୍ର ନିବାସ ଆଗରେ ୩-୪ଟି ବୋମା ଫୁଟିଥିଲା । ପ୍ରିନ୍ସପାଲ ତୁରନ୍ତ ଯାଜପୁର ରୋଡ଼ ପୋଲିସକୁ ସୂଚନା ଦେଇଥିଲେ । ସୂଚନା ପାଇ ଯାଜପୁର ରୋଡ ଥାନା ଅଧିକାରୀ ଆଶିଷ କୁମାର ସାହୁ ଘଟଣା ସ୍ଥଳରେ ପହଁଚି ଅଫୁଟା ବୋମା ଗୁଡିକୁ ଜବତ କରିଥିଲେ । ଏଥିସହିତ ଘଟଣା ତଦନ୍ତ ଆରମ୍ଭ କରିଛନ୍ତି । ଆସନ୍ତାକାଲି ଛାତ୍ର ନିର୍ବାଚନ ପାଇଁ ନାମାଙ୍କନ ପାତ୍ର ଦାଖଲ ଥିବାବେଳେ । ଏହାପୂର୍ବରୁ ମହାବିଦ୍ୟାଳୟ ପରିସରରେ ବୋମା ମାଡ଼ ଘଟଣାକୁ ନେଇ ଛାତ୍ରଛାତ୍ରୀ ଭୟଭୀତ ଥିବା ବେଳେ ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ମହାବିଦ୍ୟାଳୟର ପ୍ରିନ୍ସପାଲ ଦାବି କରିଛନ୍ତି ।










