ଭୁବନେଶ୍ୱର: ଶିକ୍ଷାଦାନ ହେଉଛି ଦେଶର ସବୁଠୁ ବଡ଼ ଉତ୍ପାଦନ କେନ୍ଦ୍ର। ଆଉ ଏହି ଉତ୍ପାଦନ କେନ୍ଦ୍ରକୁ ଅବହେଳା ପ୍ରଦର୍ଶନ ଆତ୍ମଘାତୀ ଅଟେ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି। ଲୋଅର ପିଏମଜିରେ ଧାରଣାରତ ଏସଏସବି ଦ୍ୱାରା ଚୟନ ହୋଇ ଅନୁଦାନପ୍ରାପ୍ତ ଡିଗ୍ରୀ କଲେଜଗୁଡିକର ଅଧ୍ୟାପକ ମାନଙ୍କୁ ସୋମବାର ମଧ୍ୟାହ୍ନରେ ଉଦବୋଧନ ଦେଇ ଶ୍ରୀ ଦାସ କହିଥିଲେ, ରଚନାତ୍ମକ ଉପାୟରେ ଏହି ଶିକ୍ଷିତ ଅବହେଳିତ ଅଧ୍ୟାପକ ବର୍ଗ ଆନ୍ଦୋଳନ କଲେ ସରକାର ତାଙ୍କ ଦାବି ମାନିବାକୁ ବାଧ୍ୟ ହେବେ। ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଏହି ଆନ୍ଦୋଳନ ବିଷୟରେ ଶ୍ରୀ ଦାସ କହିଥିଲେ, ଆମ ରାଜ୍ୟରେ ସବୁଠାରୁ ଅବହେଳିତ କ୍ଷେତ୍ରଟି ହେଲା ଶିକ୍ଷା। ଦିନ ଥିଲା, ଗୁଣିଜ୍ଞାନୀ ମୁଖ୍ୟମନ୍ତ୍ରୀମାନେ ଗୁଣିଜ୍ଞାନୀ ମନ୍ତ୍ରୀମାନଙ୍କୁ ଶିକ୍ଷା ବିଭାଗର ଦାୟିତ୍ବ ଦେଉଥିଲେ। କେବଳ ଚାରିପାଞ୍ଚୋଟି ଉଦାହରଣ ଯଥେଷ୍ଟ। ଦିନ ଥିଲା, ପଣ୍ଡିତ ଗୋଦାବରୀଶ ମିଶ୍ର, ଲିଙ୍ଗରାଜ ମିଶ୍ର, ଡ.ରାଧାନାଥ ରଥ, ପବିତ୍ରମୋହନ ପ୍ରଧାନ, ଶରତ କର ଓ ଯଦୁନାଥ ଦାସ ମହାପାତ୍ରଙ୍କ ପରି ବିଶିଷ୍ଟ ବୁଦ୍ଧିଜୀବୀ ମାନେ ରାଜ୍ୟର ଶିକ୍ଷାମନ୍ତ୍ରୀ ପଦବୀରେ ବସୁଥିଲେ। ଆଉ ଏବେ? ଗତ ବିଜେଡି ସରକାରରେ କୋଉମାନଙ୍କୁ ଶିକ୍ଷାମନ୍ତ୍ରୀ କରାଯାଉଥିଲା, ମନେ ପକାନ୍ତୁ। ଏମାନେ କଲେଜ ଓ ଅଧ୍ୟାପକମାନଙ୍କ ମଧ୍ୟରେ ଥିବା ଜାତିଭେଦ ପ୍ରଥାକୁ ଦୂର କରିପାରିବ ତ ବୋଲି ସେ ପ୍ରଶ୍ନ କରିଥିଲେ।
ଶ୍ରୀ ଦାସ ଆହୁରି କହିଥିଲେ, “ଓଡ଼ିଶାରେ କେତ ପ୍ରକାର/ବର୍ଗର କଲେଜ ଓ ଉଚ୍ଚ ମାଧ୍ୟମିକ ସ୍କୁଲ ରହିଛି ଯେ ତା’ର ହିସାବ ନାହିଁ। ସରକାରୀ-ବେସରକାରୀ, ବେସରକାରୀରେ ପୁଣି ଅନୁଦାନପ୍ରାପ୍ତ-ଅଣଅନୁଦାନପ୍ରାପ୍ତ। ଅନୁଦାନପ୍ରାପ୍ତରେ ପୁଣି ୪୮୮ ଓ ୬୬୨ । ଏତେ ପାତର-ଅନ୍ତର କାହିଁକି? ଶିକ୍ଷା ସମସ୍ତଙ୍କ ପାଇଁ ସମାନ ନୁହେଁ କାହିଁକି? ପ୍ରଥମତଃ, ସରକାରୀ ଡିଗ୍ରି କଲେଜ କଥା ଧରାଯାଉ। ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍ସି) ଦ୍ବାରା ମନୋନୀତ ହେଉଥିବାରୁ ଅଧ୍ୟାପକମାନଙ୍କୁ ‘ଲେକ୍ଚରର୍’ ବଦଳରେ ନୂଆ ନିୟମ ଅନୁସାରେ ଆସିଷ୍ଟାଣ୍ଟ ପ୍ରଫେସର କହି ୟୁଜିସି ସ୍କେଲ୍ ଦିଆଗଲା। ଭଲ କଥା। କିନ୍ତୁ ଅନୁଦାନପ୍ରାପ୍ତ ଜେନେରାଲ ଡିଗ୍ରି କଲେଜ ବେଳକୁ ପାତର ଅନ୍ତର କାହିଁକି? ଏହି କଲେଜଗୁଡ଼ିକର ଅଧ୍ୟାପକମାନେ ବି ତ ଏସ୍ଏସ୍ବି ପରି ସରକାରଙ୍କର ଏକ ପ୍ରତିଷ୍ଠିତ ଅନୁଷ୍ଠାନ ଦ୍ବାରା ଚୟନ ହୋଇ ଆସିଛନ୍ତି! ସେମାନଙ୍କୁ କାହିଁକି ଆସିଷ୍ଟାଣ୍ଟ ପ୍ରଫେସର କୁହାଯିବନି ଓ କାହିଁକି ୟୁଜିସି ସ୍କେଲ୍ ଦିଆଯିବନି?” ଆଉ ଏକ ପ୍ରଶ୍ନ, ସରକାରୀ ଡିଗ୍ରି କଲେଜଗୁଡ଼ିକର ନନ୍-ଟିଚିଂ ଷ୍ଟାଫ୍ଙ୍କ ପରି ଏହି ଏଡେଡ୍ କଲେଜମାନଙ୍କର ନନ-ଟିଚିଂ ଷ୍ଟାଫ୍ମାନଙ୍କୁ ତ ସମାନ ଦରମା ଦେଉଛ? ଅଧ୍ୟାପକମାନଙ୍କ କ୍ଷେତ୍ରରେ କାହିଁକି ଏ ବୈଷମ୍ୟ? କଂଗ୍ରେସର ଦାବି, ସରକାର ତୁରନ୍ତ ଏ ପାତରଅନ୍ତର ନୀତି ଦୂର କରନ୍ତୁ। ଆମ ଦଳ ସରକାରକୁ ଆସିଲେ ଶିକ୍ଷା କ୍ଷେତ୍ରରେ ଥିବା ସମସ୍ତ ଅସଙ୍ଗତି ଦୂର କରିବ ବୋଲି ଶ୍ରୀ ଦାସ ଗଣମାଧ୍ୟମକୁ କହିଥିଲେ। ଏହି ଆଲୋଚନା ବେଳେ ଛାତ୍ର କଂଗ୍ରେସ ରାଜ୍ୟ ସଭାପତି ବିଭୂତି ଭୂଷଣ ମହାପାତ୍ର ଉପସ୍ଥିତ ଥିଲେ।









