ରାଉରକେଲା: ମାନବ ସେବା ହିଁ ମାଧବ ସେବା—ଏହି ମହତ୍ ଚିନ୍ତାଧାରାକୁ ନିଜ ଜୀବନରେ ଆପଣାଇ ଏକ ପ୍ରେରଣାଦାୟକ ଉଦାହରଣ ସୃଷ୍ଟି କରିଛନ୍ତି ସାରନଗରୀ ନିକଟସ୍ଥ ବାଲିଝୁଡ଼ିର ୫୪ ବର୍ଷୀୟ ମହେନ୍ଦ୍ର ସାମଲ। ଜଣେ ସମାଜସେବୀ ଭାବେ ପରିଚିତ ମହେନ୍ଦ୍ର ଦୀର୍ଘଦିନ ଧରି ବିଭିନ୍ନ ସାମାଜିକ କାର୍ଯ୍ୟରେ ନିଜକୁ ସାମିଲ କରିଆସିଛନ୍ତି। ସେ ଅନେକ ଥର ରକ୍ତଦାନ କରି ଅନ୍ୟର ଜୀବନ ବଞ୍ଚାଇବାରେ ସହଯୋଗ କରିଛନ୍ତି।କେବଳ ଜୀବନ ଥିବା ପର୍ଯ୍ୟନ୍ତ ନୁହେଁ, ମୃତ୍ୟୁ ପରେ ମଧ୍ୟ ତାଙ୍କ ଶରୀର ଅନ୍ୟମାନଙ୍କ କାମରେ ଆସୁ—ଏହି ମହତ୍ ଉଦ୍ଦେଶ୍ୟ ନେଇ ସେ ନିଜର ସମ୍ପୂର୍ଣ୍ଣ ଶରୀର ଦାନ କରିବାକୁ ସଂକଳ୍ପ କରିଛନ୍ତି। ଏଥିସହ ମୃତ୍ୟୁ ପରେ ତାଙ୍କର ଚକ୍ଷୁ ଆଇ ବ୍ୟାଙ୍କ ଆସୋସିଏସନ୍କୁ ଦାନ କରିବାକୁ ମଧ୍ୟ ଇଚ୍ଛା ପ୍ରକାଶ କରିଛନ୍ତି।ତାଙ୍କର ଏହି ନିଷ୍ପତ୍ତି ଅନ୍ୟମାନଙ୍କ ଜୀବନରେ ଆଲୋକ ଭରିବା ସହ ଚିକିତ୍ସା ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ମଧ୍ୟ ସହାୟକ ହୋଇପାରିବ। ଆଜିର ସମାଜରେ ଯେଉଁଠି ଅନେକ ଲୋକ ନିଜ ସ୍ୱାର୍ଥକୁ ଗୁରୁତ୍ୱ ଦେଉଛନ୍ତି, ସେଠାରେ ମହେନ୍ଦ୍ରଙ୍କ ଏଭଳି ମାନବିକ ଚିନ୍ତାଧାରା ନିଶ୍ଚିତ ଭାବେ ପ୍ରଶଂସନୀୟ। ତାଙ୍କର ଏହି ମହତ୍ କାର୍ଯ୍ୟ ଅଙ୍ଗଦାନ ଓ ଚକ୍ଷୁଦାନ ପାଇଁ ସମାଜରେ ନୂତନ ସଚେତନତା ସୃଷ୍ଟି କରିବ ବୋଲି ଆଶା କରାଯାଉଛି।










