ପୁରୀ: ଆଉ ଦିନକ ପରେ ସରିବ ପବିତ୍ର କାର୍ତ୍ତିକ ମାସ । ଆସନ୍ତାକାଲି ପାଳିତ ହେବ କାର୍ତ୍ତିକ ପୂର୍ଣ୍ଣିମା । ଏଥିପାଇଁ ଭକ୍ତିମୟ ହୋଇଉଠିଛି ଶ୍ରୀକ୍ଷେତ୍ର ପୁରୀ । ଚାରିଆଡ଼େ ଶୁଭୁଛି ହରିବୋଲ ଓ ହୁଳହୁଳି ଧ୍ୱନି । ମଠ, ମନ୍ଦିରଠାରୁ ଆରମ୍ଭ କରି ହବିଷ୍ୟାଳି ଶିବିର ପର୍ଯ୍ୟନ୍ତ ସବୁଠି ଛାଇ ରହିଛି ଭକ୍ତି ଓ ଆଧ୍ୟାତ୍ମିକତାର ପରିବେଶ ।ହିନ୍ଦୁ ଧର୍ମରେ କାର୍ତ୍ତିକ ମାସକୁ ଅତ୍ୟନ୍ତ ପବିତ୍ର ମାସ ଭାବେ ଗ୍ରହଣ କରାଯାଏ । ଏହି ମାସରେ ଭକ୍ତମାନେ ବ୍ରତ, ଉପବାସ, ପୂଜାପାଠ ଓ ଦେବଦର୍ଶନ କରି ଭଗବାନଙ୍କ ଆଶୀର୍ବାଦ କାମନା କରିଥାନ୍ତି । ମନରେ ଅଗାଢ଼ ବିଶ୍ୱାସ ଓ ଭକ୍ତି ନେଇ ଦୂରଦୂରାନ୍ତରୁ ଶ୍ରୀକ୍ଷେତ୍ରକୁ ଛୁଟି ଆସିଛନ୍ତି ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ସହ ନିଷ୍ଠା ଓ ଶ୍ରଦ୍ଧାର ସହ ମହାକାର୍ତ୍ତିକ ବ୍ରତ ପାଳନ କରୁଛନ୍ତି ହବିଷ୍ୟାଳି । ପ୍ରତିଦିନ ପୂଜାପାଠ ଓ ନାମସଂକୀର୍ତ୍ତନରେ ବିତୁଛି ସେମାନଙ୍କ ସମୟ । କାର୍ତ୍ତିକ ପୂର୍ଣ୍ଣିମାକୁ ନେଇ ଏବେ ଶ୍ରୀକ୍ଷେତ୍ରରେ ଉତ୍ସାହ ଓ ଆଧ୍ୟାତ୍ମିକତାର ପରିବେଶ ସୃଷ୍ଟି ହୋଇଛି।










