ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ଅକଭାନ’ ସ୍ଥଳଭାଗ ଆଡ଼କୁ ମୁହାଁଉଛି। ଆନ୍ଧ୍ରପ୍ରଦେଶରେ ଏହା ସ୍ଥଳଭାଗ ଛୁଇଁବ ବୋଲି ଆଶା କରାଯାଉଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ସତର୍କ ସୂଚନା ଅନୁସାରେ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଉପକୂଳରେ ଅଶାନ୍ତ ସମୁଦ୍ର, ପ୍ରବଳ ପବନ, ଭାରୀ ବର୍ଷା ଏବଂ ଉପକୂଳବର୍ତ୍ତୀ ଅଞ୍ଚଳରେ ଜଳମଗ୍ନ ହେବାର ଆଶଙ୍କା ରହିଛି।ସାମ୍ପ୍ରତିକ ବାତ୍ୟା ପରିସ୍ଥିତିରେ ରାଜ୍ୟରେ ଜରୁରୀକାଳୀନ ପ୍ରଶାସନିକ ଆବଶ୍ୟକତା ତଥା ସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଆସନ୍ତା ୧୮ରୁ ୨୨ ନଭେମ୍ବର ପର୍ଯ୍ୟନ୍ତ ସମସ୍ତ ସରକାରୀ ଅଧିକାରୀ ଏବଂ କର୍ମଚାରୀଙ୍କ ଛୁଟି ବାତିଲ୍ କରାଯାଇଛି। ଏହି ଅବଧି ମଧ୍ୟରେ ଛୁଟିରେ ଥିବା ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ତୁରନ୍ତ ନିଜ ନିଜ କାର୍ଯ୍ୟସ୍ଥଳରେ ଯୋଗଦେବାକୁ କୁହାଯାଇଛି। ଏଥିସହ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ନିଜ ନିଜ ଦାୟିତ୍ୱ ନିର୍ବାହରେ ସଜାଗ ଓ ପ୍ରସ୍ତୁତ ରହିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି।









