ସମ୍ବିଧାନକୁ ବିଜେପିର ଦାଉରୁ ରକ୍ଷା କରିବାକୁ ରାହୁଲ ଗାନ୍ଧି ଗତ ଦୁଇବର୍ଷ ହେଲା ଯେଭଳି ଅକ୍ଳାନ୍ତ ପରିଶ୍ରମ କରୁଛନ୍ତି ତାହା ବ୍ୟର୍ଥ ଯିବନାହିଁ। ରାହୁଲଜୀଙ୍କ ନେତୃତ୍ବରେ ସମଗ୍ର ଦେଶରେ କଂଗ୍ରେସ ପ୍ରତି ଏକ ଅନୁକୂଳ ବାତାବରଣ ସୃଷ୍ଟି ହେଉଛି। ସେ ପ୍ରଧାନମନ୍ତ୍ରୀ ହେଲେ ଦେଶର ସମ୍ବିଧାନର ସୁରକ୍ଷା ସମ୍ଭବ ହେବ ବୋଲି ବୁଧବାର ବାରିପଦାଠାରେ ଏକ ମିଶ୍ରଣ ପର୍ବ ଅବସରରେ ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି। ଯୁବନେତା ସଂଜୀବ ରାଉତ ସହସ୍ରାଧିକ ସମର୍ଥକ ଓ କଂଗ୍ରେସ କର୍ମୀ ଓ ନେତାଙ୍କ ଗହଣରେ ଦଳରେ ଯୋଗଦେବା ପର୍ବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଶ୍ରୀ ଦାସ କହିଥିଲେ, ଏ ଡବଲ ଇଂଜିନ ସରକାର ସବୁ ଦୃଷ୍ଟିରୁ ବିଫଳ। ଏମାନଙ୍କ ଅମଳରେ ସାମ୍ବିଧାନିକ ବିଧିବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଜଳାଂଜଳି ଦେଇ ଦଳକୁ ପ୍ରାଧାନ୍ୟ ଦିଆଯାଇଛି। କଂଗ୍ରେସ କ୍ଷମତାକୁ ଫେରିଲେ ସାମ୍ବିଧାନିକ ବିଧିବ୍ୟବସ୍ଥା ଅନୁଯାୟୀ ଲୋକେ ଯେମିତି ଚାହିବେ ଶାସନ ସେମିତି ହେବ ବୋଲି ସେ ଦୃଢ଼ୋକ୍ତ ପ୍ରକାଶ କରିଥିଲେ।
ଐତିହାସିକ ମୟୂରଭଂଜ ଜିଲ୍ଲା ହିଁ ବିଜେପି କୁଶାସନ ଓ ଚରମ ଅବହେଳାର ସବୁଠୁ ବଡ଼ ଉଦାହରଣ ବୋଲି ଦର୍ଶାଇ ଶ୍ରୀ ଦାସ କହିଥିଲେ, ଓଡ଼ିଶା ପ୍ରଦେଶକୁ ଗଢ଼ିବାରେ ମୟୂରଭଂଜ ମହାରାଜ ଓ ଅଗଣିତ ପ୍ରଜା ଅକୁଣ୍ଠ ଚିତ୍ତରେ ବହୁତ ବଡ଼ ଭୂମିକା ନିଭାଇଥିଲେ ହେଁ ଏବର ସରକାର ଭଂଜଭୂମି ପ୍ରତି ତା’ର ସାମାନ୍ୟତମ କର୍ତ୍ତବ୍ୟ ପାଳନ କରୁନାହିଁ। ଏବେ ବି ୭୪ ଭାଗ ଜମିରେ ଜଳସେଚନର ବ୍ୟବସ୍ଥା ନାହିଁ। ବାରିପଦା ସହର ମଧ୍ୟ ଦେଇ ଯାଇଥିବା କେନାଲଟିର ସାମାନ୍ୟ ମରାମତି ନ ହେବାରୁ ବନ୍ୟାରେ ବାରିପଦାବାସୀ ହନ୍ତସନ୍ତ ହେଉଛନ୍ତି ସିନା; ସେ ପ୍ରତି ସରକାରଙ୍କ ନିଘା ନାହିଁ। ଜିଲ୍ଲାର ଜଣେ ଝିଅ ଦେଶର ସର୍ବୋଚ୍ଚ ପଦବି ରାଷ୍ଟ୍ରପତି ହେବା ପରେ ମଧ୍ୟ ଜିଲ୍ଲାବାସୀଙ୍କର ଭାଗ୍ୟ ବଦଳୁନାହିଁ। ତାଙ୍କ ପରି ଆଉଜଣେ ଆଦିବାସୀ ଭାଇଙ୍କୁ ଲୋକଦେଖାଣିଆ ମୁଖ୍ୟମନ୍ତ୍ରୀ ପଦରେ ଦଳ ବସାଇଲା, ଅଥଚ ଜନଜାତିଙ୍କର କୌଣସି ଉନ୍ନତି ହେଉନାହିଁ ବୋଲି ସେ କ୍ଷୋଭ ପ୍ରକାଶ କରିଥିଲେ।
କୋଟିଆ ପ୍ରସଙ୍ଗରେ ବୁଧବାର କଂଗ୍ରେସ ବିଧାୟକ ଦଳ ପକ୍ଷରୁ ଆଲୋଚନା ପାଇଁ ହୋଇଥିବା ଦାବି ପ୍ରସଙ୍ଗରେ ଗଣମାଧ୍ୟମର ପ୍ରଶ୍ନର ଉତ୍ତରରେ ଶ୍ରୀ ଦାସ କହିଥିଲେ, ରାଜ୍ୟର ସ୍ବାର୍ଥ, ଅସ୍ମିତା ସହ ଜଡ଼ିତ କୋଟିଆ ପ୍ରସଙ୍ଗରେ ମଧ୍ୟ ଆଲୋଚନାକୁ ସରକାର ଏଡ଼ାଇଯିବା ପରିତାପର ବିଷୟ। ରାଜ୍ୟର ବିଜେପି ସରକାର କେନ୍ଦ୍ରର କ୍ରୀଡ଼ନକ ସାଜିଛି। ତେଣେ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଉପରେ ନିର୍ଭରଶୀଳ ମୋଦୀ ସରକାର ଓଡ଼ିଶା ସହ ବିବାଦ ହେଲେ ଅନ୍ଧ ଭାବେ ଆନ୍ଧ୍ରକୁ ସମର୍ଥନ କରୁଛି। ମହାନଦୀ, ବାଂଶଧାରା, ପୋଲାଭରମ, ଓ୍ବାଲଟିୟର ରେଳ ଡିଭିଜନ, ପଲାସା-ଇଚ୍ଛାପୁରମ୍ ସେକ୍ସନ ସ୍ଥାନାନ୍ତର ଆଦି ଏହାର ଉଦାହରଣ। ଏଭଳି ସ୍ଥଳେ ଡବଲ ଇଂଜିନ ସରକାରଙ୍କଠାରୁ ଓଡ଼ିଶା ନ୍ୟାୟ କିପରି ପାଇବ ବୋଲି ସେ ପାଲଟା ପ୍ରଶ୍ନ କରିଥିଲେ। ମୟୂରଭଂଜ (ପୂର୍ବ) ଜିଲ୍ଲା କଂଗ୍ରେସ କମିଟି ସଭାପତି ପୂର୍ଣ୍ଣଚନ୍ଦ୍ର ବିଶ୍ବାଳଙ୍କ ସଭାବତିତ୍ବରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ବହୁ କଂଗ୍ରେସ ନେତା ଓ କର୍ମୀ ମଧ୍ୟ ଉପସ୍ଥିତ ଥିଲେ।










