ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ଖୋରଧା ଜିଲ୍ଲା ଉପ-ନିବନ୍ଧକଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଡାଟା ଏଣ୍ଟ୍ରି ଅପରେଟର ଶ୍ରୀ ପ୍ରୟାଗ ଗୌଡ଼ଙ୍କୁ କାର୍ଯ୍ୟରୁ ବହିଷ୍କୃତ କରାଯାଇଛି । ଉକ୍ତ କାର୍ଯ୍ୟାଳୟରେ ଜମି ପଞ୍ଜିକରଣରେ ଜାଲିଆତି ଅଭିଯୋଗରେ ତାଙ୍କୁ ବଡ଼ଗଡ଼ ପୋଲିସ ଗିରଫ କରିଛନ୍ତି । ସେ ଉକ୍ତ କାର୍ଯ୍ୟାଳୟରେ ଅନ୍ୟ ଏକ ଠିକା ସଂସ୍ଥା ଦ୍ୱାରା ଅସ୍ଥାୟୀ ଭାବେ କାର୍ଯ୍ୟ କରୁଥିବାରୁ ଉକ୍ତ ସଂସ୍ଥାକୁ ତାଙ୍କୁ ଏଠାରୁ ବହିଷ୍କୃତ କରିବା ପାଇଁ ଖୋରଧା ଜିଲ୍ଲାପାଳ ଶ୍ରୀ ଅମ୍ରିତ ଋତୁରାଜଙ୍କ ପରାମର୍ଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ନିବନ୍ଧକ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହ ଏହି ଜାଲିଆତି ମାମଲାରେ ସଂପୃକ୍ତ କନିଷ୍ଠ ରାଜସ୍ୱ ସହାୟକ ଶ୍ରୀ ଅମୀୟ ରଞ୍ଜନ କର ଏବଂ ବରିଷ୍ଠ ରାଜସ୍ୱ ସହାୟକ ଶ୍ରୀ ଉମେଶ ଚନ୍ଦ୍ର ପଟ୍ଟନାୟକଙ୍କୁ ନିଲମ୍ବନ କରାଯାଇଛି । ଏହି ନିଲମ୍ବନ ଅବଧି ସମୟରେ ଉଭୟ କର୍ମଚାରୀ ଖୋରଧା ଡେପୁଟି କଲେକଫର (ରାଜସ୍ୱ)ଙ୍କ କାର୍ଯ୍ୟାଳୟରେ ଅବସ୍ଥାପିତ ହେବେ ଏବଂ ବିନା ଅନୁମତିରେ ମହକୁମା ଛାଡ଼ି ପାରିବେ ନାହିଁ ବୋଲି ଜିଲ୍ଲା ନିବନ୍ଧକ ନିର୍ଦ୍ଦେଶନାମା ଜାରି କରିଛନ୍ତି ।










