29.1 C
Bhubaneswar
Thursday, November 12, 2026
Homeଓଡିଶାସାଇପ୍ରିୟା ୱେଲଫେୟାର ଟ୍ରଷ୍ଟ ପକ୍ଷରୁ ବକ୍ତୃତା ପ୍ରତିଯୋଗିତା

ସାଇପ୍ରିୟା ୱେଲଫେୟାର ଟ୍ରଷ୍ଟ ପକ୍ଷରୁ ବକ୍ତୃତା ପ୍ରତିଯୋଗିତା

ରାୟଗଡ଼ା: ରାୟଗଡ଼ା ସହରସ୍ଥିତ ସାଇପ୍ରିୟା ୱେଲଫେୟାର ଟ୍ରଷ୍ଟ ପକ୍ଷରୁ ଶିଶୁ ଦିବସ ଉପଲକ୍ଷେ ଶିଶୁମାନଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାର ବିକାଶ ଏବଂ ବୌଦ୍ଧିକ ଦକ୍ଷତାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ବାରିଝୋଲା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବକ୍ତୃତା ପ୍ରତିଯୋଗିତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।ଟ୍ରଷ୍ଟର ସଭାପତି ଶ୍ରୀ ନନ୍ଦ କିଶୋର ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମାଜସେବୀ ଶ୍ରୀମତୀ ବିଦୁଲତା ହୁଇକା ଏବଂ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ଜଗଦୀଶ ଚନ୍ଦ୍ର ଦୋରା ଅତିଥି ଭାବେ ଯୋଗଦେଇଥିଲେ। ଅତିଥିମାନେ ନିଜ ବକ୍ତବ୍ୟରେ କହିଥିଲେ ଯେ, ପଣ୍ଡିତ ଜବାହରଲାଲ ନେହେରୁ ଶିଶୁମାନଙ୍କୁ ଅତ୍ୟନ୍ତ ଭଲ ପାଉଥିଲେ। ଶିଶୁମାନେ ହେଉଛନ୍ତି ଦେଶର ଭବିଷ୍ୟତ ଏବଂ ଆଗାମୀ ଦିନର କର୍ଣ୍ଣଧାର। ତେଣୁ ସେମାନଙ୍କର ଶିକ୍ଷା, ସ୍ୱାସ୍ଥ୍ୟ, ଚରିତ୍ର ଗଠନ ଓ ନୈତିକ ମୂଲ୍ୟବୋଧର ବିକାଶ ପ୍ରତି ସମାଜ ଓ ଅଭିଭାବକମାନେ ଯତ୍ନବାନ ହେବା ଆବଶ୍ୟକ। ସତ୍ୟବାଦିତା, ନମ୍ରତା, ସାଧୁତା ଓ ସମୟାନୁବର୍ତ୍ତିତା ଭଳି ଗୁଣ ଶିଶୁମାନଙ୍କ ଚରିତ୍ରରେ ଗଢ଼ି ତୋଳିବା ଦ୍ୱାରା ଏକ ସୁସ୍ଥ ଓ ଶୃଙ୍ଖଳିତ ସମାଜ ଗଠନ ସମ୍ଭବ ବୋଲି ସେମାନେ ମତପ୍ରକାଶ କରିଥିଲେ।

ପ୍ରତିଯୋଗିତାରେ କନିଷ୍ଠ ଓ ବରିଷ୍ଠ ଦୁଇଟି ବର୍ଗରେ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରି ନିଜର ବକ୍ତୃତା ଦକ୍ଷତା ପ୍ରଦର୍ଶନ କରିଥିଲେ।କୃତୀ ପ୍ରତିଯୋଗୀମାନଙ୍କୁ ଟ୍ରଷ୍ଟ ପକ୍ଷରୁ ଅତିଥିମାନେ ପୁରସ୍କୃତ କରିଥିଲେ।କାର୍ଯ୍ୟକ୍ରମକୁ ଟ୍ରଷ୍ଟର ସମ୍ପାଦକ ଶ୍ରୀ ଦୟାନନ୍ଦ ଖାଡ଼ଙ୍ଗା, ସଭ୍ୟ ଟି.ଏନ୍. ରାଓ, ପି , ସୁମନ୍ତ କୁମାର ଓ ଗୀତାରାଣୀ ମିଶ୍ର ପରିଚାଳନା କରିଥିଲେ। ଏଥିରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ପ୍ରମୋଦ କୁମାର ପାଣିଗ୍ରାହୀ, ଶ୍ରୀ ରାଜେଶ କୁମାର ଜେରୀ, ଶିକ୍ଷୟିତ୍ରୀ ଏ. ଅରୁଣା, ଜି. ଚନ୍ଦନା ଗୌରୀଙ୍କ ସମେତ ବିଦ୍ୟାଳୟର ଅନ୍ୟାନ୍ୟ ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking