ନୂଆଦିଲ୍ଲୀ: କ୍ଷୀର, ଦହି ଓ ପନିର ଭଳି ଦୁଗ୍ଧଜାତ ଦ୍ରବ୍ୟର ପ୍ୟାକେଟ୍ରେ ଖୁବ୍ଶୀଘ୍ର ନୂଆ ଲୋଗୋ ଦେଖିବାକୁ ମିଳିବ। ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (ଏଫ୍ଏସ୍ଏସ୍ଏଆଇ) ଏଥିପାଇଁ ନୂଆ ନିୟମ ଆଣିଛି। ୨୦୨୮ ଜୁଲାଇ୧ରୁ ଏହି ନିୟମ ଲାଗୁ ହେବ। ନୂଆ ଲୋଗୋରେ ଏକ ନୀଳ ବର୍ଗାକାର ଚିହ୍ନ ଭିତରେ ଧଳା ରଙ୍ଗର ବୁନ୍ଦା ରହିବ। ଦୁଗ୍ଧଜାତ ଦ୍ରବ୍ୟକୁ ସହଜରେ ଚିହ୍ନିବା ପାଇଁ ଏହି ଲୋଗୋ ଆରମ୍ଭ କରାଯାଇଛି। ପ୍ୟାକେଟ୍ର ଆକାର ଅନୁସାରେ ଲୋଗୋର ଆକାର ମଧ୍ୟ ଭିନ୍ନ ରହିବ। ୧୦୦ ବର୍ଗ ସେଣ୍ଟିମିଟର ପର୍ଯ୍ୟନ୍ତ ପ୍ୟାକେଟ୍ରେ ଲୋଗୋର ଆକାର ଅତିକମ୍ରେ ୬ ମିଲିମିଟର ରହିବ। ୧୦୦ରୁ ୫୦୦ ବର୍ଗ ସେଣ୍ଟିମିଟର ପର୍ଯ୍ୟନ୍ତ ପ୍ୟାକେଟ୍ରେ ୮ ମିଲିମିଟର, ୫୦୦ରୁ ୨୫୦୦ ବର୍ଗ ସେଣ୍ଟିମିଟର ପର୍ଯ୍ୟନ୍ତ ୧୨ ମିଲିମିଟର ଏବଂ ୨୫୦୦ ବର୍ଗ ସେଣ୍ଟିମିଟରରୁ ଅଧିକ ଆକାରର ପ୍ୟାକେଟ୍ରେ ୧୬ ମିଲିମିଟର ଲୋଗୋ ରହିବ। ଏଫ୍ଏସ୍ଏସ୍ଏଆଇ ପକ୍ଷରୁ ନଭେମ୍ବର ୯ରେ ଏ ସଂକ୍ରାନ୍ତରେ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହା ୨୦୨୦ର ଖାଦ୍ୟ ସାମଗ୍ରୀର ଲେବଲ୍ ଓ ପ୍ରଦର୍ଶନ ସମ୍ପର୍କିତ ନିୟମରେ ସଂଶୋଧନ କରିଛି। ଏହାଦ୍ୱାରା ଗ୍ରାହକମାନେ ଦୁଗ୍ଧଜାତ ଦ୍ରବ୍ୟକୁ ସହଜରେ ଚିହ୍ନିବା ସହ ଉତ୍ପାଦର ପରିଚୟ ସମ୍ପର୍କରେ ଅଧିକ ସ୍ପଷ୍ଟ ଧାରଣା ପାଇପାରିବେ। ନୂଆ ନିୟମ ପାଳନ କରିବା ପାଇଁ ଦୁଗ୍ଧ ଉତ୍ପାଦନକାରୀ କମ୍ପାନିଗୁଡ଼ିକୁ ପ୍ୟାକେଟ୍ର ଡିଜାଇନ୍ ଓ ଲେବଲ୍ରେ ଆବଶ୍ୟକ ପରିବର୍ତ୍ତନ କରିବାକୁ ପଡ଼ିବ।










