ପୁରୀ: ଚିଲିକାରେ ଚାଲିଛି ବୁଲଡୋଜର ଆକ୍ସନ । ବେଆଇନ ଚିଙ୍ଗୁଡ଼ି ଘେରି ଉପରେ ପ୍ରଶାସନର କଡ଼ା ପ୍ରହାର । ଦିନେ କି ଦୁଇଦିନ ନୁହେଁ, ଲଗାତାର ଚାରିଦିନ ହେଲା ଚାଲିଛି ଉଚ୍ଛେଦ ଅଭିଯାନ । ହାଇକୋର୍ଟ ଓ ପୁରୀ ଜିଲ୍ଲାପାଳଙ୍କ କଡ଼ା ନିର୍ଦ୍ଦେଶ ପରେ ଆକ୍ସନ ମୋଡ୍ରେ ପ୍ରଶାସନ । ଏପଟେ ମଝି ଚିଲିକାରେ ବୋଟ୍ ଉପରେ ଜେସିବି ମେସିନ୍ ରଖି ଚାଲିଛି ଘେରି ଉଚ୍ଛେଦ ।ଚତୁର୍ଥ ଦିନରେ ମଧ୍ୟ ଜୋରଦାର ଚାଲିଛି ଅଭିଯାନ । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ତହସିଲ ଅଧୀନ ବାହାର ଚିଲିକାର ସିପିଆ, ଗୋଠପଡ଼ିଆ, ତିଛିଣି, କୁରୁପାଳ ଓ ଅଁଳାକୁଦା ଅଞ୍ଚଳରେ ବେଆଇନ ଚିଙ୍ଗୁଡ଼ି ଘେରି ଭଙ୍ଗାଯାଉଛି ।
ଏହି ଅଭିଯାନରେ ଏଯାଏଁ ପ୍ରାୟ ୨୫୭୦ ଏକର ବେଆଇନ ଘେରି ଉଚ୍ଛେଦ କରାଯାଇଥିବା ସୂଚନା ମିଳିଛି । କେବଳ ବାହାର ଚିଲିକା ନୁହେଁ, ଏବେ ମଝି ଚିଲିକାରେ ମଧ୍ୟ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି । ବୋଟ୍ ଉପରେ ଜେସିବି ମେସିନ୍ ନେଇ ଘେରିଗୁଡ଼ିକୁ ଭାଙ୍ଗୁଛି ପ୍ରଶାସନ ।କୃଷ୍ଣପ୍ରସାଦ ତହସିଲଦାର ସହଦେବ ସାହୁଙ୍କ ନେତୃତ୍ୱରେ ଚାଲିଛି ଏହି ଉଚ୍ଛେଦ ଅଭିଯାନ । ଉଚ୍ଚ ନ୍ୟାୟାଳୟ ଏବଂ ପୁରୀ ଜିଲ୍ଲାପାଳଙ୍କ କଡ଼ା ନିର୍ଦ୍ଦେଶ ପରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଏହି ଅଭିଯାନ ଜାରି ରହିବ ବୋଲି ତହସିଲଦାର ସୂଚନା ଦେଇଛନ୍ତି । ସେପଟେ ଉଚ୍ଛେଦ ସମୟରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ନଘଟେ, ସେଥିପାଇଁ ଘଟଣାସ୍ଥଳରେ ଏକ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି ।










