ନୂଆଦିଲ୍ଲୀ: କୋଲକାତା ସ୍ଥିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆନ୍ତର୍ଜାତିକ ବିମାନବନ୍ଦରରେ ବୁଧବାର ଦିନ ଏକ ଏୟାର ଇଣ୍ଡିଆ ବିମାନକୁ ମିଳିଥିବା ଅପହରଣ ଧମକ ଘଟଣାରେ ସୁରକ୍ଷା ଏଜେନ୍ସି ପଶ୍ଚିମବଙ୍ଗ ମୁର୍ଶିଦାବାଦ ଜିଲ୍ଲାର ଜଣେ ପୁରୁଷ ଯାତ୍ରୀଙ୍କୁ ଗିରଫ କରିଛି। ଧମକପୂର୍ଣ୍ଣ ଚିଠିର ହସ୍ତାକ୍ଷର ଉକ୍ତ ଯାତ୍ରୀଙ୍କ ହାତଲେଖା ସହ ମେଳ ଖାଇବା ପରେ ସେ ନିଜର ଦୋଷ ସ୍ୱୀକାର କରିଥିବା ବିମାନବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।ସୂଚନା ଅନୁଯାୟୀ, ବୁଧବାର ସକାଳ ପ୍ରାୟ ୧୦:୩୭ ମିନିଟରେ ମୁମ୍ବାଇ ଅଭିମୁଖେ ଉଡ଼ାଣ ଭରିବାକୁ ଥିବା ଏୟାର ଇଣ୍ଡିଆ ବିମାନ (ଏଆଇ୨୭୭୨) ର ଶୌଚାଳୟ ଭିତରୁ କ୍ୟାବିନ୍ କ୍ରୁ ସଦସ୍ୟମାନେ ଏକ ହାତଲେଖା ଧମକପୂର୍ଣ୍ଣ ଚିଠି ପାଇଥିଲେ। ଉକ୍ତ ଚିଠିରେ ସକାଳ ୧୧:୧୦ ମିନିଟ୍ରେ ବିମାନଟିକୁ ଅପହରଣ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା। ଅଭିଯୁକ୍ତ ଯାତ୍ରୀଙ୍କୁ ଅଧିକ ପଚରାଉଚରା ପାଇଁ ବିମାନବନ୍ଦର ଥାନା ପୁଲିସକୁ ହସ୍ତାନ୍ତର କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ଗତ ନଭେମ୍ବର ୭ ତାରିଖରେ ବେଙ୍ଗାଲୁରୁରୁ ଲକ୍ଷ୍ନୌ ଯାଉଥିବା ଏକ ଇଣ୍ଡିଗୋ ବିମାନ ଏବଂ ଅକ୍ଟୋବର ୧୪ ତାରିଖରେ ଫ୍ରାଙ୍କଫର୍ଟରୁ ଦିଲ୍ଲୀ ଆସୁଥିବା ଅନ୍ୟ ଏକ ଏୟାର ଇଣ୍ଡିଆ ବିମାନରେ ମଧ୍ୟ ଅନୁରୂପ ଭାବେ ମିଥ୍ୟା ହାଇଜାକ୍ ଆଲର୍ଟ ଯୋଗୁଁ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହୋଇଥିଲା।










