ରାଉରକେଲା: ମନ୍ଦିର ଆଗରେ ହାତ ପତାଇ ଭକ୍ତଙ୍କୁ ମାଗୁଛନ୍ତି ସାହାଯ୍ୟ। କାହା ପାଇଁ ଦୁଇ ମୁଠା ଖାଦ୍ୟ ଯୋଗାଡ଼ କରିବାର ଏହା ଏକମାତ୍ର ରାସ୍ତା, ତ ଆଉ କାହା ପାଇଁ ପରିବାରର ପେଟ ପୋଷିବାର ଭରସା। ଇସ୍ପାତ ସହର ରାଉରକେଲାର ବିଭିନ୍ନ ମନ୍ଦିର ସମ୍ମୁଖରେ ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି।ସକାଳୁ ମନ୍ଦିର ଖୋଲିବାଠାରୁ ଭକ୍ତଙ୍କ ଆଗମନ ପର୍ଯ୍ୟନ୍ତ ଅପେକ୍ଷା କରି ରହୁଛନ୍ତି ଅନେକ ଅସହାୟ ଓ ଗରିବ ଲୋକ। ଭକ୍ତମାନେ ଦେଉଥିବା କିଛି ଟଙ୍କା, ଚାଉଳ କିମ୍ବା ଖାଦ୍ୟରେ ସେମାନଙ୍କ ଦିନ କଟୁଛି।ବୟସର ଅପରାହ୍ନରେ ପହଞ୍ଚିଥିବା ବୃଦ୍ଧବୃଦ୍ଧା, ଅସହାୟ ମହିଳା ଏବଂ ଜୀବିକା ହରାଇଥିବା କିଛି ଲୋକଙ୍କ ପାଇଁ ମନ୍ଦିର ହିଁ ଶେଷ ଭରସା ପାଲଟିଛି। ପ୍ରଶ୍ନ ଉଠୁଛି, ଏମାନଙ୍କ ଜୀବନରେ କେବେ ଆସିବ ସୁଧାର?ସହରରେ ଭିକ୍ଷାବୃତ୍ତି ଉପରେ କେବଳ ଆଲୋଚନା ନୁହେଁ, ଏହା ପଛରେ ଥିବା ଦାରିଦ୍ର୍ୟ, ବେକାରୀ ଓ ଅସହାୟତାର କାରଣ ଖୋଜିବା ମଧ୍ୟ ଜରୁରୀ। ପ୍ରଶାସନ ପକ୍ଷରୁ ଏଭଳି ଲୋକଙ୍କ ଚିହ୍ନଟ, ଆଶ୍ରୟ, ଖାଦ୍ୟ ଓ ରୋଜଗାରର ବ୍ୟବସ୍ଥା କରାଗଲେ ଅନେକ ଅସହାୟ ମୁହଁରେ ହସ ଫୁଟିପାରିବ।










