ନୂଆଦିଲ୍ଲୀ: ଆଇଟି ଓ ସେମିକଣ୍ଡକ୍ଟର କ୍ଷେତ୍ରରେ ପୁଣି ଛଟେଇ ଚିନ୍ତା । ବର୍ଷ ବର୍ଷର ପରିଶ୍ରମ, ଆଇଆଇଟି ଭଳି ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରୁ ଡିଗ୍ରୀ ଏବଂ ୨୬ ଲକ୍ଷରୁ ଅଧିକ ଟଙ୍କାର ବାର୍ଷିକ ପ୍ୟାକେଜ୍ ମଧ୍ୟ ଚାକିରିକୁ ସୁରକ୍ଷିତ ରଖିପାରିଲାନି । ଗ୍ଲୋବାଲ୍ ଟେକ୍ କମ୍ପାନୀ କ୍ୱାଲକମ୍ର ଛଟେଇରେ ପ୍ରଭାବିତ ହୋଇଛନ୍ତି ଆଇଆଇଟି ହାଇଦ୍ରାବାଦର ଜଣେ ଯୁବ ଇଞ୍ଜିନିୟର । ସୋସିଆଲ ମିଡିଆରେ ତାଙ୍କ ବନ୍ଧୁଙ୍କ ଏକ ପୋଷ୍ଟ ଭାଇରାଲ୍ ହେବା ପରେ ଟେକ୍ ଜଗତରେ ଚାକିରି ସୁରକ୍ଷାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି ।ସୂଚନା ଅନୁସାରେ, ବିଟେକ୍ ପାସ୍ କରିବା ପରେ ଯୁବକ ଜଣକ ଏକ ସାଧାରଣ ଚାକିରି ଛାଡ଼ି ଗେଟ୍ ପରୀକ୍ଷା ପାଇଁ ବର୍ଷେ ଧରି ପ୍ରସ୍ତୁତି କରିଥିଲେ । ପରୀକ୍ଷାରେ ୧୧୦୦ ରାଙ୍କ୍ ହାସଲ କରି ଆଇଆଇଟି ହାଇଦ୍ରାବାଦରେ ଏମ୍ଟେକ୍ ପଢ଼ିଥିଲେ । ପରେ କ୍ୟାମ୍ପସ୍ ସିଲେକ୍ସନ୍ ଜରିଆରେ ବାର୍ଷିକ ୨୬ ଲକ୍ଷରୁ ଅଧିକ ଟଙ୍କାର ପ୍ୟାକେଜ୍ରେ କ୍ୱାଲକମ୍ରେ ନିଯୁକ୍ତି ପାଇଥିଲେ । ହେଲେ କମ୍ପାନୀର ଛଟେଇ ନିଷ୍ପତ୍ତି ତାଙ୍କୁ ଚାକିରି ହରାଇବାକୁ ବାଧ୍ୟ କରିଛି ।
ଅନ୍ୟପଟେ, ଭାରତରେ କାର୍ଯ୍ୟରତ ପ୍ରାୟ ୧୦୦୦ କର୍ମଚାରୀ ଏହି ଛଟେଇରେ ପ୍ରଭାବିତ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଆଗକୁ ଆହୁରି ଛଟେଇ ହେବା ନେଇ ମଧ୍ୟ ଆଲୋଚନା ଚାଲିଛି । ଏହି ଘଟଣା ପୁଣି ଥରେ ଯୁବ ଇଞ୍ଜିନିୟରଙ୍କ ମଧ୍ୟରେ ଚାକିରିର ସ୍ଥାୟୀତ୍ୱକୁ ନେଇ ଚିନ୍ତା ବଢ଼ାଇଛି ।










