ଢେଙ୍କାନାଳ : ଧାନ ଅମଳ ବେଳକୁ ଚାଷୀଙ୍କ ନିଦ ହଜାଇଲେ ହାତୀପଲ । ଦିନରେ ଜଙ୍ଗଲରେ ଡେରା, ରାତି ହେଲେ ଧାନ ବିଲରେ ଆତଙ୍କ । ଗୋଟିଏ କି ଦୁଇଟି ନୁହେଁ, ୨୦ରୁ ଅଧିକ ହାତୀଙ୍କ ଉପଦ୍ରବରେ ଛାରଖାର ହେଉଛି ଏକର ଏକର ଧାନ ଫସଲ । ବର୍ଷଯାକର କଷ୍ଟ ଆଖି ଆଗରେ ନଷ୍ଟ ହେଉଥିବାରୁ ମୁଣ୍ଡରେ ହାତ ଦେଇ ବସିଛି ଚାଷୀ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳରେ ଏବେ ହାତୀଙ୍କ ଏଭଳି ଆତଙ୍କ ଦେଖିବାକୁ ମିଳିଛି ।
ଏପଟେ ପାଚିଲା ଧାନ କାଟି ଘରକୁ ଆଣିବାକୁ ଚାଷୀ ଅନାଇ ବସିଛି, ସେପଟେ ଧାନ କ୍ଷେତରେ ପଶି ଉପଦ୍ରବ କରୁଛନ୍ତି ହାତୀପଲ । ଗତ ଦୁଇଦିନ ହେଲା କାମାକ୍ଷାନଗର ଅଞ୍ଚଳର କାଦୁଆ, ବାଙ୍ଗୁରା, ମହୁଲପାଳ ଓ ବୀଜାଡିହ ଆଦି ଗାଁରେ ୨୦ରୁ ଊର୍ଦ୍ଧ୍ୱ ହାତୀଙ୍କ ଉପଦ୍ରବ ଜାରି ରହିଛି ।ଦିନବେଳେ ହାତୀପଲ ନିକଟସ୍ଥ ଜଙ୍ଗଲରେ ରହୁଛନ୍ତି । ହେଲେ ସଞ୍ଜ ନଇଁବା ମାତ୍ରେ ଜଙ୍ଗଲରୁ ବାହାରି ସିଧା ଧାନ ଜମି ମୁହାଁ ହେଉଛନ୍ତି । ଧାନ କ୍ଷେତରେ ପଶି ଫସଲ ଖାଇବା ସହ ପାଦରେ ଦଳିଚକଟି ନଷ୍ଟ କରୁଛନ୍ତି । ଫଳରେ ଚାଷୀଙ୍କ ବର୍ଷକର ପରିଶ୍ରମ ମାଟିରେ ମିଶିଯାଉଛି ।
ହାତୀଙ୍କୁ ଘଉଡ଼ାଇବା ପାଇଁ ବନ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି । ରାତିସାରା ହାତୀପଲଙ୍କ ଗତିବିଧି ଉପରେ ନଜର ରଖି ସେମାନଙ୍କୁ ଜଙ୍ଗଲ ମୁହାଁ କରିବାକୁ ବନ କର୍ମଚାରୀଙ୍କୁ ନାକେଦମ୍ ହେବାକୁ ପଡ଼ୁଛି । କିନ୍ତୁ ହାତୀଙ୍କ ଲଗାତାର ଉପଦ୍ରବ ଯୋଗୁଁ ଚାଷୀଙ୍କ ଚିନ୍ତା କମିବାର ନାଁ ନେଉନାହିଁ ।










