ନୂଆଦିଲ୍ଲୀ: ୟୁଏଇର ଫୁଜୈରାହ ଏମିରେଟର ପ୍ରବେଶ ପଥ ନିକଟରେ ଘଟିଛି ଭୟଙ୍କର ଦୁର୍ଘଟଣା । ଏକ ଦ୍ରୁତଗାମୀ ଟ୍ରକ ନିୟନ୍ତ୍ରଣ ହରାଇ ୨୩ଟି ଗାଡିକୁ ଧକ୍କା ଦେବାରୁ ଘଟଣାସ୍ଥଳରେ ୧୪ ଜଣଙ୍କ ମୃତ୍ୟୁ ହୋଇଛି । ଏଥିରେ ୩୦ ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଭାରତୀୟ ନାଗରିକ ମଧ୍ୟ ଥିବା ଜଣାପଡିଛି । ୟୁଏଇର ଗୃହ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଗୁରୁବାର ରାତିରେ ରାସ୍ତାରେ ଯାନବାହାନ ଧୀରେ ଧୀରେ ଚଳାଚଳ କରୁଥିବା ସମୟରେ ଟ୍ରକଟି ପ୍ରଥମେ ଅନ୍ୟ ଏକ ଗାଡିକୁ ଧକ୍କା ଦେଇଥିଲା । ପରେ ନିୟନ୍ତ୍ରଣ ହରାଇ ଓଲଟି ପଡିବା ସହ ଟ୍ରାଫିକ ଯୋଗୁଁ ଅଟକି ରହିଥିବା ଅନେକ ଗାଡିକୁ ଧକ୍କା ଦେଇଥିଲା । ଏହି ଧକ୍କା ପରେ ଗାଡିଗୁଡିକରେ ନିଆଁ ଲାଗିଯାଇଥିଲା । ନିଆଁ ଦ୍ରୁତଗତିରେ ଅନ୍ୟ ଗାଡିଗୁଡିକୁ ବ୍ୟାପିଯିବାରୁ ଘଟଣାଟି ଏକ ବଡ ଦୁର୍ଘଟଣାର ରୂପ ନେଇଥିଲା । ମୋଟ ୨୩ଟି ଗାଡି ସହ ଦୁର୍ଘଟଣା ଘଟିଥିବା ବେଳେ ସେଥିମଧ୍ୟରେ କେବଳ ୫ଟି ଟ୍ରକ ରହିଥିଲା । ଖବର ପାଇ ପୁଲିସ , ଆମ୍ବୁଲାନ୍ସ ଓ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ନିଆଁ ଲିଭାଇବା ସହ ଆହତଙ୍କୁ ଉଦ୍ଧାର କରି ଡାକ୍ତର ଖାନା ପଠାଯାଇଥିଲା । ମୃତକଙ୍କ ମଧ୍ୟରେ ୟୁଏଇ , ଓମାନ ଭାରତ, ବ୍ରାଜିଲ, ପାକିସ୍ତାନ ଜୋର୍ଡାନ ଓ ଇଜିପ୍ଟର ନାଗରିକ ରହିଛନ୍ତି । ଦୁବାଇସ୍ଥିତ ଭାରତୀୟ ବାଣିଜ୍ୟ ଦୂତାବାସ ମଧ୍ୟ ଏହି ଦୁର୍ଘଟଣାରେ ଭାରତୀୟଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛି । ମୃତକଙ୍କ ପରିବାର ସହ ଯୋଗାଯୋଗରେ ରହିବା ସହ ସେମାନଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ପ୍ରଶାସନ ସହ ମିଶି କାମ କରୁଥିବା ଦୂତାବାସ ପକ୍ଷରୁ କୁହାଯାଇଛି । ଅନ୍ୟ ପକ୍ଷରେ ମୃତକଙ୍କ ପରିଚୟ ତୁରନ୍ତ ଜଣାପଡି ନଥିବାରୁ ଡିଏନଏ ପରୀକ୍ଷା ମାଧ୍ୟମରେ ମୃତଦେହଗୁଡିକର ପରିଚୟ ଚିହ୍ନଟ କରାଯାଉଛି । ଦୁର୍ଘଟଣାରେ ଆହତ ୩୦ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ କିଛି ଜଣ ଚିକିତ୍ସା ପରେ ଘରକୁ ଫେରିଯାଇଛନ୍ତି ।










