ଭୁବନେଶ୍ବର: ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳ ମଧ୍ୟସ୍ଥ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଉପରେ ଥିବା ସୁଦୃଶ୍ୟ ଲଘୁଚାପ ଅଵପାତ ରୂପ ନେଲା। ବାଲେଶ୍ବରର ପୂର୍ବ-ଉତ୍ତରପୂର୍ବ ଦିଗରେ ୯୦ କିଲୋମିଟର ଦୂରରେ ସୁଦୃଶ୍ୟ ଲଘୁଚାପ ଅଵପାତ ରୂପ ନେଇଛି। ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦେଇଛି। ଏହାର ପ୍ରଭାବରେ ଆଗାମୀ ୨୪ ଘଣ୍ଟା ଯାଏ ବର୍ଷା ଲାଗି ରହିବ। ଟୁଇନ୍ ସିଟିରେ ବି ବର୍ଷା ଲାଗି ରହିବ। ସୁଦୃଶ୍ୟ ଲଘୁଚାପ କ୍ଷେତ୍ର କ୍ରମଶଃ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଘନୀଭୂତ ହେବା ପରେ ଆଗାମୀ ୧୨ ଘଣ୍ଟା ମଧ୍ୟରେ ଗଭୀର ଅବପାତ ପାଲଟିବାର ସମ୍ଭାବନା ଅଛି ବୋଲି ଆଜି ସକାଳ ୮ଟା ବେଳେ ଭାରତୀୟ ପାଣିପାଗ ବିଭାଗ ଜାରି କରିଥିବା ବୁଲେଟିନରେ ଉଲ୍ଲେଖ କରିଥିଲା।
ଉକ୍ତ ଲଘୁଚାପ କ୍ଷେତ୍ରଟି ଉତ୍ତରପୂର୍ବ ଏବଂ ସଂଲଗ୍ନ ଉତ୍ତରପଶ୍ଚିମ ଆରବ ସାଗର ଉପରେ ରହିଛି। ଏହାଫଳରେ ମୌସୁମୀ ବାୟୁ ପ୍ରବାହ ଜୋନ୍ ସକ୍ରିୟ ହୋଇ ତା’ର ସ୍ବାଭାବିକ ସ୍ଥାନର ଦକ୍ଷିଣକୁ ରହିଛି। ଆଗାମୀ ୫ ଘଣ୍ଟା ଧରି ମୌସୁମୀ ଜୋନ୍ ତା’ର ସ୍ବାଭାବିକ ସ୍ଥାନରେ ଥାଇ ଏପାଖ ସେପାଖ ହେବ। ସେହିପରି, ସ୍ଥଳଭାଗରେ ଥିବା ମୌସୁମୀ ଜୋନ୍ ରେଖା ସମ୍ପ୍ରତି ଗୁଜରାଟ ଏବଂ ମହାରାଷ୍ଟ୍ର ଉପକୂଳ ଅନ୍ତର୍ଗତ ସମୁଦ୍ର ଉପରେ ରହିଛି। ଏହାର ପ୍ରଭାବରେ ଅଗଷ୍ଟ ୧୪ ଓ ୧୫ ତାରିଖରେ ଓଡ଼ିଶାରେ ବିଜୁଳି ଘଡ଼ଘଡ଼ି ସହ ତୁହାକୁ ତୁହା ଅତି ପ୍ରବଳ ବର୍ଷା ହେବାର ଖୁବ୍ ସମ୍ଭାବନା ରହିଛି। ଏହାଛଡ଼ା, ଅଗଷ୍ଟ ୧୫ ତାରିଖ ଦିନ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ଅସରା ହେଲେ ମଧ୍ୟ ବୃଷ୍ଟିପାତର ତୀବ୍ରତା ହ୍ରାସ ପାଇବ।