30.1 C
Bhubaneswar
Wednesday, May 1, 2024
Homeଓଡିଶାଜେଲ୍ ଗଲେ ଅଙ୍ଗନୱାଡି କର୍ମୀ

ଜେଲ୍ ଗଲେ ଅଙ୍ଗନୱାଡି କର୍ମୀ

ଭୁବନେଶ୍ୱର: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ କୋଟିପତି ଅଙ୍ଗନବାଡ଼ି କର୍ମୀ କବିତା ମାଥାନ୍‌ଙ୍କୁ ବୁଧବାର ଗିରଫ କରାଯାଇଛି । ସମୁଦାୟ ୪କୋଟି ସମ୍ପତ୍ତିରୁ ୨କୋଟି ୯୬ଲକ୍ଷ ୩୯ହଜାର ୪୭୫ଟଙ୍କା ଆୟ ବର୍ହିଭୂତ ସମ୍ପତ୍ତି ବାହାରିଛି । ଯାହା ତାଙ୍କ ଆୟର ୪୯୫ ପ୍ରତିଶତ ଅଧିକା ଅଟେ । ଏନେଇ ଭିଜିଲାନ୍ସ ପୁଲିସ କେସ୍ ନଂ ୫/୨୧ରେ ଏକ ମାମଲା ରୁଜୁ କରି କବିତାଙ୍କୁ କୋର୍ଟ ଚାଲାଣ କରିଛି । ଜାମିନ ଖାରଜ ହୋଇଯିବାରୁ ତାଙ୍କୁ ଝାରପଡ଼ା ଜେଲ୍ ପଠାଇ ଦିଆଯାଇଛି । ଅନ୍ୟପକ୍ଷେ ଏହି ମାମଲାରେ ତାଙ୍କ ସ୍ୱାମୀଙ୍କ ନାଁ ମଧ୍ୟ ରହିଛି । ସୂଚନା ଅନୁଯାୟୀ, ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର କୋରଡାକଣ୍ଟା ଅଙ୍ଗନବାଡ଼ି କେନ୍ଦ୍ରର କର୍ମଚାରୀ କବିତା ମାଥନଙ୍କ ଘରେ ମଙ୍ଗଳବାର ଭିଜିଲାନ୍ସ ଚଢ଼ଉ କରିଥିଲା ।

ତାଙ୍କର ଭୁବନେଶ୍ୱର ବାସଭବନ ସମେତ ୬ଟି ସ୍ଥାନରେ ଚଢ଼ଉ କରାଯାଇଥିଲା । ଚଢ଼ଉ ପରେ ହିସାବ କରିବାରୁ କବିତାଙ୍କ ଭୁବନେଶ୍ୱରରେ ଗୋଟିଏ ୪ ମହଲାକୋଠା, ଗୋଟିଏ ୩ମହଲା କୋଠା ଓ ୨ଟି ଦୁଇମହଲା କୋଠା ଥିବା ଜଣାପଡ଼ିଥିଲା । ସେହିପରି ମୋଟ୍ ୧୪ଟି ପ୍ଲଟ୍ ଥିବାବେଳେ ସେଥିମଧ୍ୟରୁ ୧୦ଟି ଭୁବନେଶ୍ୱରରେ, ୩ଟି ଜଗତସିଂହପୁର ତାଳକୁସୁମା ଏବଂ ଗୋଟିଏ ପ୍ଲଟ୍ ଖୋର୍ଦ୍ଧା ବାଲିଅନ୍ତା ଅଞ୍ଚଳରେ ଥିବା ଜଣାପଡ଼ିଥିଲା । ଖାଲି ଏତିକି ନୁହେଁ ଗୋଟିଏ ୪ଚକିଆ, ୩ଟି ୨ଚକିଆ ଯାନ ସମେତ ୨ଲକ୍ଷ ୨୦ହଜାର ଟଙ୍କାର ବୀମା, ୨୧୨ଗ୍ରାମର ସୁନାଗହଣା ଓ ଅନ୍ୟ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ବାହାରିଥିଲା । ତେବେ ଏତେ ପରିମାଣର ସମ୍ପତ୍ତି କେଉଁଠୁ ଆସିଲା ସେନେଇ ଭିଜିଲାନ୍ସ ଖୋଳତାଡ୍ କରୁଛି । ଏହାସହ ତାଙ୍କର ଅନ୍ୟ କେଉଁ ସ୍ଥାନରେ ସବୁ ସମ୍ପତ୍ତି ଅଛି ଛାନ୍‌ଭିନ ଚଳାଇଛି ।

ଫସିଗଲେ ନା ଫସାଇଦେଲେ
କବିତା ମାଥନ୍ ୬ରୁ ୭ବର୍ଷ ହେବ କୋରଡ଼ାକଣ୍ଟା ଗାଁ ଅଙ୍ଗନବାଡ଼ି କେନ୍ଦ୍ରରେ କାର୍ଯ୍ୟ କରୁଥିଲେ । ଭିଜିଲାନ୍ସ ହିସାବ ଅନୁସାରେ ୨କୋଟି ୯୬ଲକ୍ଷର ଆୟ ବର୍ହିଭୂତ ସମ୍ପତ୍ତି ତାଙ୍କର ଅଛି । ଜଣେ ସାଧାରଣ ଅଙ୍ଗନବାଡ଼ି କର୍ମୀ ଏତେ ଟଙ୍କା ସରକାରୀ ଉତ୍ସରୁ ହଡ଼ପ କରିବା ସମ୍ଭବ ନୁହେଁ । ୬ରୁ ୭ବର୍ଷ କାମ କରିବା ମଧ୍ୟରେ ଉକ୍ତ ଅଙ୍ଗନବାଡ଼ିକୁ ୧୦ଲକ୍ଷ ଟଙ୍କାର ପାଣ୍ଠି ଆସିଛି ନା ନାହିଁ ତାହା ସନ୍ଦେହ । ତା’ହେଲେ ସେ ଏତେ ଟଙ୍କାର ସମ୍ପତ୍ତି କେଉଁଠୁ ହଡ଼ପ କରିଲେ, ଏନେଇ ସାଧାରଣରେ ପ୍ରଶ୍ନ ସୃଷ୍ଟି ହୋଇଛି । ଏହାରି ଭିତରେ କବିତାଙ୍କ ସ୍ୱାମୀଙ୍କ ଚରିତ୍ରକୁ ମଧ୍ୟ ଉଲ୍ଲେଖ କରିବାର ଆବଶ୍ୟକତା ରହିଛି । କବିତାଙ୍କ କହିବାନୁସାରେ ତାଙ୍କ ସ୍ୱାମୀ ୧୦ରୁ ୧୧ବର୍ଷ ହେବ ଜମି ବେପାର କରୁଛନ୍ତି । ଏହାସହ ତାଙ୍କର ଫିନାଇଲ ଓ ଧୂପକାଠି କାରଖାନା ରହିଛି ।

ଏହି ସବୁ ଉତ୍ସରୁ ସେମାନେ ଏତେ ସମ୍ପତ୍ତିର ମାଲିକାନା ହୋଇପାରିଛନ୍ତି । ସେହିପରି ସ୍ଥାନୀୟଲୋକଙ୍କ କହିବାନୁସାରେ, କବିତାଙ୍କ ସ୍ୱାମୀ ଜମି ବେପାରରେ ବିପୁଳ ପରିମାଣରେ ଲାଭ କରିଆସୁଛନ୍ତି । ଏମିତିକି ଯେଉଁମାନେ ଜମି ବେପାର କରନ୍ତି, ଅଳ୍ପଦିନରେ କୋଟିପତି ହୋଇଯାଉଥିବା ଦେଖିବାକୁ ମିଳୁଛି । ତେଣୁ ଏହି ସବୁ ପ୍ଲଟ୍‌, ଓ କୋଠା କବିତାଙ୍କ ସ୍ୱାମୀଙ୍କ ଆୟରୁ ହିଁ ହୋଇଥିବା ଅନୁମାନ କରାଯାଉଛି। ସେ ଯଦି କିଛି ଆୟକର ଫାଙ୍କି ଥିବେ ତାହାର ତଦନ୍ତ ହେବା ଦରକାର ।

କିନ୍ତୁ କବିତା ଅଙ୍ଗନବାଡ଼ି ଟଙ୍କା ହଡ଼ପ କରିଥିବା ବିଶ୍ୱାସଯୋଗ୍ୟ ନୁହେଁ । ତାଙ୍କ ସ୍ୱାମୀଙ୍କ ଉପରେ କେହି ରାଗ ରଖି କବିତାଙ୍କ ଜରିଆରେ ଫସାଇବାକୁ ଉଦ୍ୟମ କରିଥିବା ସନ୍ଦେହ କରାଯାଉଛି । ଅନ୍ୟପକ୍ଷେ ଭିଜିଲାନ୍ସ କାର୍ଯ୍ୟକଳାପକୁ ନେଇ ସୋସିଆଲ ମିଡ଼ିଆରେ ତୁମ୍ବିତୋଫାନ ହୋଇଛି । ବଡ଼ବଡ଼ ଆଇଏଏସ୍‌, ଓଏଏସ୍ ଓ ସରକାରୀ କର୍ମଚାରୀଙ୍କୁ ଭିଜିଲାନ୍ସ ଛୁଇଁପାରୁନାହିଁ । କେବଳ ନ୍ୟସ୍ତସ୍ୱାର୍ଥ ଲୋକଙ୍କ କଥାରେ ପଡ଼ି ନିରୀହ ଲୋକଙ୍କ ଘରେ ଚଢ଼ଉ କରୁଛି । ଗୋଟିଏ ଅଙ୍ଗନବାଡ଼ି କେନ୍ଦ୍ରରୁ ଏତେ ଟଙ୍କା କମାଇବା ଅସମ୍ଭବ ବୋଲି ମତ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking