କଟକ : କରୋନାର ଦ୍ୱିତୀୟ ଲହର ଏବେ ଜାରି ରହିଛି । ପ୍ରଥମ ଲହରକୁ ସରକାର ମୁକାବିଲା କରିବାକୁ ନାକେଦମ୍ ହୋଇଥିଲେ ବି ଏଥିରେ ସଫଳତା ହାସଲ କରିଥିଲେ । ତେବେ ଗତ କିଛି ଦିନ ମଧ୍ୟରେ ସମଗ୍ର ଦେଶ ସମେତ ଓଡ଼ିଶାରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରଥମେ ଛତିଶଗଡ଼କୁ ଲାଗି ରହିଥିବା ୧୦ଟି ଜିଲ୍ଲାରେ ରାତ୍ରିକାଳୀନ କର୍ଫ୍ୟୁ ଜାରି କରିଥିଲା ବେଳେ ଗୁରୁବାର ସମଗ୍ର ରାଜ୍ୟରେ ରାତ୍ରି କାଳୀନ କର୍ଫ୍ୟୁ ଜାରି କରିଛନ୍ତି । ଗତବର୍ଷ ମାର୍ଚ୍ଚ ମାସର ଶେଷ ସପ୍ତାହରେ କରୋନାକୁ ନେଇ ରାଜ୍ୟରେ ଆତଙ୍କ ଖେଳି ଯାଇଥିଲା । ମାତ୍ର ଗତ ନଭେମ୍ବର ମାସରେ କରୋନା ଅକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବା ପରଠାରୁ କଟକଣା କୋହଳ କରାଯାଇଥିଲା ।
କିନ୍ତୁ କରୋନା ସଂପୂର୍ଣ୍ଣ ଦୂରେଇ ଯାଇନଥିବାରୁ ମାସ୍କ ବ୍ୟବହାର,ସାମାଜିକ ଦୂରତା ଓ ହାତଧୁଆ ଭଳି କୋଭିଡ଼ ନିୟମ ପାଳନ କରିବା ପାଇଁ ସରକାରଙ୍କ ପକ୍ଷରୁ ବାରମ୍ବାର କୁହାଯାଇଥିଲା । କିନ୍ତୁ କଟକ ସହରର ଅମାନିଆମାନେ ବେପାରୁଆ ମନଭାବ ଦେଖି ସର୍ବସାଧାରଣରେ ମାସ୍କ ବ୍ୟବହାର କରିବା ସଂପୂର୍ଣ୍ଣ ଭାବେ ଭୁଲି ଯାଇଥିଲେ । ହାତ ଧୋଇବା ଅଭ୍ୟାସ ମଧ୍ୟ ଏକ ପ୍ରକାର ଛାଡ଼ି ଯାଇଥିଲା । ସାମାଜିକ ଦୂରତାକୁ ଏକ ପ୍ରକାର ଫୁ କରିଦେଇଥିଲେ କହିଲେ ଭୁଲ୍ ହେବନି । ବର୍ତ୍ତମାନ କରୋନାର ଦ୍ୱିତୀୟ ଲହର ପୁଣି ମାଡି ଆସିଥିବାରୁ ରାଜ୍ୟ ସରକାର କଠୋର ହୋଇପଡ଼ିଛି ।
କରୋନା ନିୟମ ପାଳନ କରିବା ନେଇ କଟକ ସହରରେ ପୁଲିସ୍ ମଧ୍ୟ କଡା ଆଭିମୁଖ୍ୟ ଗ୍ରହଣ କରିଛି । ସର୍ବସାଧାରଣରେ ମାସ୍କ ବାଧ୍ୟତାମୂଳକ କରାଯାଇଥିବା ବେଳେ ଉଲ୍ଲଂଘନକାରୀଙ୍କ ଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରାଯାଉଛି । ସର୍ବସାଧାରଣରେ କୋଭିଡ଼୍ ନିୟମ ପାଳନ କେମିତି ଚାଲିଛି ପୁଲିସ ପକ୍ଷରୁ ଯାଞ୍ଚ କରାଯାଉଛି । ବିଶେଷ କରି ରାସ୍ତାରେ ଚାଲିଚାଲି ହେଉ କିମ୍ବା ଦୁଇଚକିଆ ଓ ଚାରି ଚକିଆ ଗାଡିରେ ବିନା ମାସ୍କରେ ବୁଲୁଥିବା ଲୋକ ମାନଙ୍କୁ ତାଗିତ୍ କରିବା ସହ ମାସ୍କ ପିନ୍ଧି ନଥିଲେ ଜରିମାନା ଆଦାୟ କରାଯାଉଛି ।