ବରଗଡ : ରକ୍ତ କର୍କଟ ରୋଗରେ ଆକ୍ରାନ୍ତ ପାଞ୍ଚ ବର୍ଷ ଶିଶୁର ଚିକିତ୍ସା ପାଇଁ ଅର୍ଥ ପ୍ରତିବନ୍ଧକ ସାଜିଛି । ଏପରିସ୍ଥିତିରେ ସରକାରୀ କିମ୍ବା ବେସରକାରୀସ୍ତରରେ ସହାୟତା ଯୋଗାଇଦେବାକୁ ପରିବାରବର୍ଗ ଆକୁଳ ନିବେଦନ କରିଛନ୍ତି । ହସିବା ଖେଳିବା ବୟସରେ ରକ୍ତ କର୍କଟରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛି ପାଞ୍ଚ ବର୍ଷର ଶିଶୁ ରୋହିତ ଦୀପ । ବାପା ଅଜୟ ଦୀପଙ୍କ କୌଣସି ରୋଜଗାର ନଥିବା ବେଳେ ମାଆ ପୂଜାରାଣୀ ଏକ ବିଉଟି ପାର୍ଲରରେ କାମ କରି ପରିବାର ପ୍ରତିପୋଷଣ କରୁଥିବା ବେଳେ ପୁଅ ରୋହିତ ଏବେ ରକ୍ତ କର୍କଟରେ ଆକ୍ରାନ୍ତ ହୋଇ ମୁମ୍ବାଇ ଟାଟା ମେମୋରିଆଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
ବରଗଡ଼ ଡେମକଲୋନୀ ନିବାସୀ ଅଜୟ ଦୀପଙ୍କ ପୁଅ ରୋହିତ ସ୍ଥାନୀୟ ଏକ ଘରୋଇ ସ୍କୁଲର ଏଲକେଜିର ଛାତ୍ର । କିଛି ଦିନ ପୂର୍ବରୁ ତାକୁ ଜ୍ୱର ହେବାରୁ ପରିବାରବର୍ଗ ରୋହିତକୁ ଡାକ୍ତରଙ୍କ ପାଖକୁ ଚିକିତ୍ସା ପାଇଁ ନେଇଥିଲେ । ସେଠାରେ ରୋହିତର ଶରୀରରେ ରକ୍ତ କମ୍ ଥିବାର ତାକୁ ରକ୍ତ ଦେବାକୁ ଡାକ୍ତର ପରାମର୍ଶ ଦେଇଥିଲେ । ତେବେ ଜ୍ୱର କମୁ ନଥିବାରୁ ଡାକ୍ତରଙ୍କ ପରାମର୍ଶକ୍ରମେ ବୁର୍ଲା ବଡ଼ ମେଡିକାଲ ନେବାସହ ବରଗଡ଼ର ଏକ ଘରୋଇ ଡାକ୍ତରଖାନାରେ ରକ୍ତ ପରୀକ୍ଷା ପରେ ରୋହିତ ରକ୍ତ କର୍କଟରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା । ପରେ ଡାକ୍ତରଙ୍କ ପରାମର୍ଶକ୍ରମେ ପରିବାରବର୍ଗ ରୋହିତକୁ କଟକ, ରାୟପୁର ଠାରେ ଚିକିତ୍ସିତ କରି ସର୍ବସ୍ୱାନ୍ତ ହୋଇପଡ଼ିଥିଲେ । ରାୟପୁରରେ କିଛିଦିନ ଚିକିତ୍ସିତ ହେବାପରେ ରୋହିତକୁ ମୁମ୍ବାଇକୁ ନିଆଯାଇଥିଲା । ଗତ ୪ ତାରିଖରୁ ରୋହିତ ମୁମ୍ବାଇରେ ଚିକିତ୍ସିତ ହେଉଥିବା ବେଳେ ଏଥିପାଇଁ ବହୁ ଟଙ୍କାର ଆବଶ୍ୟକତା ଥିବା ଜଣାପଡ଼ିଛି । ଅପରପକ୍ଷେ ଗରିବ ମା’ ବାପାଙ୍କ ପାଖରେ ପୁଅର ଚିକିତ୍ସା ପାଇଁ ଅର୍ଥ ପ୍ରତିବନ୍ଧକ ସାଜିଥିବା ବେଳେ କେହି ସହୃଦୟ ବ୍ୟକ୍ତିବିଶେଷ ସହାୟତା ଯୋଗାଇଦେବାକୁ ପରିବାରବର୍ଗ ନିବେଦନ କରିଛନ୍ତି ।