29.1 C
Bhubaneswar
Friday, May 17, 2024
Homeଦେଶ ବିଦେଶଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲା: ସରକାରୀ ଅଧିକାରୀ ଆଶ୍ୱସ୍ତ; ସିବିଆଇ ତଦନ୍ତ ଉପରେ ସୁପ୍ରିମ୍ ରୋକ୍‌

ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲା: ସରକାରୀ ଅଧିକାରୀ ଆଶ୍ୱସ୍ତ; ସିବିଆଇ ତଦନ୍ତ ଉପରେ ସୁପ୍ରିମ୍ ରୋକ୍‌

କୋଲକାତା : ୨୦୧୬ ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଆଜି ଏକ ନୂଆ ମୋଡ ଦେଖିବାକୁ ମିଳିଛି । ସୁପ୍ରିମକୋର୍ଟ, ସିବିଆଇ ତଦନ୍ତ ଉପରେ ରୋକ୍ ଲଗାଇଦେଇଛନ୍ତି । ସୋମବାର ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ସିବିଆଇ ତଦନ୍ତ ଉପରେ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ରୋକ୍ ଲଗାଇ ଦେଇଛନ୍ତି । ଏଥିସହ ଆସନ୍ତା ମେ\’ ୬ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଦେଶର ସର୍ବୋଚ୍ଚ ନ୍ୟାୟପାଳିକା ତାରିଖ ଧାର୍ଯ୍ୟ ମଧ୍ୟ କରିଛନ୍ତି । ସୁପ୍ରିମକୋର୍ଟଙ୍କ ଏହି ରାୟ ପଶ୍ଚିମବଙ୍ଗ ସରକାରଙ୍କ ପାଇଁ ବହୁତ ବଡ଼ ଆଶ୍ୱସ୍ତି ବୋଲି ବିବେଚନା କରାଯାଉଛି ।
ସୋମବାର ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ, ଜଷ୍ଟିସ୍ ଜେବି ପାର୍ଦ୍ଦିୱାଲା ଏବଂ ଜଷ୍ଟିସ୍ ମନୋଜ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ଆବେଦନ କରିଥିବା ପିଟିସନ୍ ଉପରେ ଶୁୂଣାଣି କରିଥିଲେ । ଏହି ସମୟରେ ଖଣ୍ଡପୀଠ କହିଥିଲେ ଯେ, ହାଇକୋର୍ଟ ଏପ୍ରକାର ଏକ ସମ୍ବେଦନଶୀଳ ଘଟଣାର ସମସ୍ତ ଦିଗ ପ୍ରତି ଧ୍ୟାନ ଦେଇନଥିବା ସୁପ୍ରିମକୋର୍ଟ ହୃଦ୍‌ବୋଧ କରୁଛନ୍ତି । ଏପ୍ରକାର ଘଟଣାରେ ତରବରିଆ ଭାବେ ନିର୍ଦ୍ଦେଶ ଜାରି କରିବା ଦ୍ୱାରା ଅନେକ ବ୍ୟକ୍ତିବିଶେଷ ବ୍ୟକ୍ତିଗତ ଭାବେ ପ୍ରଭାବିତ ହେବାର ଆଶଙ୍କା ରହିଛି । ତେବେ ଏହି ଘଟଣାକୁ ସୁପ୍ରିମକୋର୍ଟ ଶୁଣାଣି ପାଇଁ ଗ୍ରହଣ କରୁଛନ୍ତି । ଆଗାମୀ ଶୁଣାଣି ପ୍ରକ୍ରିୟା ମଧ୍ୟରେ ଏହା ଉପରେ ପୁଙ୍ଖାନୁପୁଙ୍ଖ ଭାବେ ତଜର୍ମା କରାଯିବ । ତେବେ ବର୍ତ୍ତମାନ ସମୟ ପାଇଁ ଏହି ଘଟଣାରେ ସିବିଆଇ ତଦନ୍ତ ଉପରେ କୌଣସି ଆବଶ୍ୟକତା ନଥିବାରୁ ଏହା ଉପରେ ରୋକ୍ ଲଗାଯାଉଛି ।
ନିକଟରେ ୨୦୧୬ରେ ଅନୁଷ୍ଠିତ ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ସାମ୍ନାକୁ ଆସିଥିଲା । ରାଜ୍ୟ ହାଇକୋର୍ଟ ଏହି ମାମଲାର ଶୁଣାଣି କରିବା ସହ ଉକ୍ତ ନିଯୁକ୍ତି ପ୍ରକ୍ରିୟା ସମ୍ପର୍କୀତ ବିଜ୍ଞପ୍ତିକୁ ହିଁ ରଦ୍ଦ କରିଦେଇଥିଲେ ଏବଂ ନିଯୁକ୍ତି ପାଇଥିବା ପ୍ରାୟ ୨୬ହଜାର ଶିକ୍ଷକଙ୍କୁ ୨୦୧୬ରୁ ଆଜି ପର୍ଯ୍ୟନ୍ତ ସେମାନେ ପାଇଥିବା ଦରମା ବାବଦ ଅର୍ଥ ପୈଠ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏତଦ୍‌ବ୍ୟତୀତ ହାଇକୋର୍ଟ, ଏହି ଘଟଣାରେ ସିବିଆଇ ତଦନ୍ତ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ହାଇକୋର୍ଟଙ୍କ ଏହି ରାୟ ସହ ନିଯୁକ୍ତି ପାଇଥିବା ୨୫,୭୫୩ ଶିକ୍ଷକ ଏବଂ କିଛି ଅଣ ଶିକ୍ଷକ ଷ୍ଟାଫ୍‌ଙ୍କ ନିଯୁକ୍ତି ସ୍ୱତଃ ନିଷ୍କ୍ରିୟ ହୋଇଯାଇଥିଲା ।  ଜଷ୍ଟିସ୍ ଦେବାଙ୍ଗସୁ ବସାକ୍ ଓ ଜଷ୍ଟିସ୍ ମୋହମ୍ମଦ ଶବ୍ୱାର ରାଶିଦ୍‌ଙ୍କ ଖଣ୍ଡପୀଠ ଏହି ମାମଲାରେ ସିବିଆଇ ତଦନ୍ତ କରି ତିନି ମାସ ଭିତରେ ରିପୋର୍ଟ ଦାଖଲ କରିବାକୁ କହିଥିଲେ । ହାଇକୋର୍ଟ ନିଜ ରାୟରେ ଏହି ଘଟଣାରେ ସିବିଆଇ ତଦନ୍ତ କରିବାକୁ ଏବଂ ଆବଶ୍ୟକ ସ୍ଥଳେ ସମ୍ପୃକ୍ତ ସରକାରୀ ଅଧିକାରୀଙ୍କୁ କଷ୍ଟଡିକୁ ନେଇ ଜେରା କରିବାକୁ ମଧ୍ୟ ଅନୁମତି ଦେଇଥିଲେ । ଫଳରେ ରାଜ୍ୟର ଅନେକ ସରକାରୀ ଅଧିକାରୀ ଭୟଭୀତ ହୋଇପଡିଥିଲେ । ଏଥିସହ ପଶ୍ଚିମବଙ୍ଗ ସରକାରଙ୍କୁ ନୂଆ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ହାଇକୋର୍ଟଙ୍କ ଏହି ରାୟକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ତାଙ୍କ ସରକାର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ ଏବଂ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ୍ କରାଯିବ ବୋଲି କହିଥିଲେ । ତବେ ଏହା ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ଆଜି ଉପରୋକ୍ତ ରୋକ୍ ନିର୍ଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking