33.1 C
Bhubaneswar
Tuesday, May 21, 2024
Homeଦେଶ ବିଦେଶକର୍ଣ୍ଣାଟକ ମାଟିରୁ ଗର୍ଜିଲେ ମୋଦୀ; ଦେଶର କୌଣସି ଭଲକାମ କଂଗ୍ରେସକୁ ଭଲଲାଗୁନି

କର୍ଣ୍ଣାଟକ ମାଟିରୁ ଗର୍ଜିଲେ ମୋଦୀ; ଦେଶର କୌଣସି ଭଲକାମ କଂଗ୍ରେସକୁ ଭଲଲାଗୁନି

ବେଙ୍ଗାଲୁରୁ : କର୍ଣ୍ଣାଟକରେ ଏବେ ଏନ୍‌ଡିଏ ମେଣ୍ଟର ଅନ୍ୟତମ ସହଯୋଗୀ ଦଳ ଜେଡିଏସ୍‌ର ସାଂସଦ ପ୍ରଜ୍ଜ୍ୱଳ ରେଭନ୍ନାଙ୍କ ଅଶ୍ଳୀଳ ଭିଡିଓକୁ ନେଇ ରାଜନୀତି ବେଶ୍ ସରଗରମ୍ ରହିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କର୍ଣ୍ଣାଟକର ବାଗଲକୋଟ ଅଞ୍ଚଳରେ ଆୟୋଜିତ ଏକ ବିଶାଳ ଜନସମାବେଶକୁ ସମ୍ବୋଧିତ କରିଛନ୍ତି । ୨୦୨୪ ଲୋକସଭା ନିର୍ବାଚନ ପରିପ୍ରେକ୍ଷୀରେ ମୋଦୀ, ନିୟମିତ ଭାବେ ପ୍ରଚାର ଅଭିଯାନକୁ ଜୋରଦାର କରୁଥିବା ବେଳେ ଆଜି ମଧ୍ୟ ଏଠାରେ ନିର୍ବାଚନୀ ପ୍ରଚାରରେ ଯୋଗଦେଇଛନ୍ତି । ଏହି ଅବସରରେ ମୋଦୀ, ସଂରକ୍ଷଣ ପ୍ରସଙ୍ଗରେ ବିରୋଧୀ କଂଗ୍ରେସକୁ କଡା ଶବ୍ଦରେ ସମାଲୋଚନା କରିବା ଦେଖିବାକୁ ମିଳିଛି । ମୋଦୀ କହିଛନ୍ତି, କଂଗ୍ରେସ କେବଳ ଭୋଟ ବ୍ୟାଙ୍କ ରାଜନୀତି ପାଇଁ ଦେଶରେ ଧର୍ମ ଭିତ୍ତିକ ସଂରକ୍ଷଣ ଯୋଜନା କରୁଛି, କିନ୍ତୁ ସେ କଂଗ୍ରେସର ଏହି ଉଦ୍ଦେଶ୍ୟକୁ ପୂରଣ କରିବାକୁ ଦେବେ ନାହିଁ । ମୋଦୀଙ୍କ କହିବାନୁସାରେ ଏସ୍‌ସି / ଏସ୍‌ଟି ଏବଂ ଓବିସି ବର୍ଗର ଭୋଟର ଏବେ ବିଜେପିକୁ ସମର୍ଥନ କରୁଥିବାରୁ କଂଗ୍ରେସ ଏହାକୁ ସହ୍ୟ କରିପାରୁନାହିଁ । ଜାଲ୍ ଭିଡିଓ ମାଧ୍ୟମରେ ଏହି ବର୍ଗର ଭୋଟରଙ୍କୁ ବିଜେପି ବିରୋଧରେ ଭଡକାଇବାକୁ କଂଗ୍ରେସ ଚେଷ୍ଟା କରୁଛି ।
ମୋଦୀଙ୍କ କହିବାନୁସାରେ କର୍ନାଟକରେ କଂଗ୍ରେସ ସମ୍ବିଧାନ ବଦଳାଇବା ଏବଂ ଏସସି-ଏସଟି ଏବଂ ଓବିସିର ଅଧିକାର ଛଡ଼ାଇବା ପାଇଁ ଅଭିଯାନ ଆରମ୍ଭ କରିଛି । ଆମର ସମ୍ବିଧାନ ଧର୍ମ ଭିତ୍ତିକ ସଂରକ୍ଷଣକୁ ଗ୍ରହଣ କରେ ନାହିଁ, କିନ୍ତୁ କର୍ଣ୍ଣାଟକ ସରକାର ମୁସଲମାନ୍ ଭୋଟରଙ୍କୁ ଓବିସି ସଂରକ୍ଷଣର ଏକ ଅଂଶ ଦେଇଥିଲେ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଧର୍ମ ଆଧାରିତ ସଂରକ୍ଷଣ ଯୋଗାଇବା ପାଇଁ ଏକ ଆଇନ ଆଣିବା ନେଇ କଂଗ୍ରେସ ପୂର୍ବରୁ ମଧ୍ୟ ପ୍ରକାଶ କରିଥିଲା ଏବଂ ଏଥର ଏହାର ମାନିଫେଷ୍ଟୋରେ ମଧ୍ୟ ସମାନ ବିଷୟ ଦର୍ଶାଯାଇଛି । ଏହି ଅବସରରେ ମୋଦୀଙ୍କୁ ଆଜି ପୁଣିଥରେ ବାଲାକୋଟ୍ ଏୟାରଷ୍ଟ୍ରାଇକ୍ କଥା ଉଠାଇବାର ଦେଖିବାକୁ ମିଳିଛି । ମୋଦୀ କହିଛନ୍ତି, ସେ ପଛପଟୁ ଆକ୍ରମଣ କରିବାରେ ବିଶ୍ୱାସ କରନ୍ତି ନାହିଁ । ବାଲାକୋଟ ଏୟାରଷ୍ଟ୍ରାଇକ୍ ହେଉ କିମ୍ବା ଉରି ସର୍ଜିକାଲ ଷ୍ଟ୍ରାଇକ୍‌, ଏସମ୍ପର୍କରେ ସେ ପାକିସ୍ତାନ ସରକାରଙ୍କ ସହ କଥା ହେବାକୁ ଚାହିଁଥିଲେ । ଭାରତ ପକ୍ଷରୁ ଫୋନ୍ ମଧ୍ୟ କରାଯାଇଥିଲା, କିନ୍ତୁ ପାକିସ୍ତାନ ପଟୁ ଏହି ଫୋନ୍‌କଲ ରିସିଭ୍ ମଧ୍ୟ କରାଯାଇନଥିଲା ।
ସୂଚନାଯୋଗ୍ୟ, ମୋଦୀ ଆଜି ଦିନରେ କର୍ଣ୍ଣାଟକର ୪ଟି ସ୍ଥାନ ବେଲଗାଭୀ, ଉତ୍ତର କନ୍ନଡା, ଦେବନାଗରୀ ଏବଂ ବଲ୍ଲାରୀରେ ଆୟୋଜିତ ନିର୍ବାଚନ ରାଲିଗୁଡ଼ିକୁ ବ୍ୟାକ୍ ଟୁ ବ୍ୟାକ୍ ସମ୍ବୋଧିତ କରିଛନ୍ତି । ଏସବୁ ସ୍ଥାନରେ ମୋଦୀ, କଂଗ୍ରେସ ଏବଂ ଇଣ୍ଡିଆ ମେଣ୍ଟ ବିରୋଧରେ ବର୍ଷିଛନ୍ତି । ଇଡି, ସିବିଆଇ, ଆୟକର ବିଭାଗ ସବୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ପରିଚାଳିତ ହେଉଥିବା ନେଇ ବିରୋଧୀ କରୁଥିବା ଅଭିଯୋଗକୁ ମୋଦୀ ପ୍ରତ୍ୟାଖ୍ୟାନ କରିଛନ୍ତି । ବିରୋଧୀ ନିର୍ବାଚନରେ ପରାଜୟ ଭୟ କାରଣରୁ ଏପ୍ରକାର ମିଥ୍ୟା ତଥା ଅପପ୍ରଚାର ଚଳାଇଛନ୍ତି । ବିଜେପି ସରକାରଙ୍କ ଛବିକୁ ଖରାପ କରିବା ପାଇଁ ବିରୋଧୀ ଏବେ ବଡ଼ ଧରଣର ଷଡଯନ୍ତ୍ର କରୁଛନ୍ତି ବୋଲି ମୋଦୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking