28.1 C
Bhubaneswar
Thursday, May 2, 2024
Homeଅପରାଧଫାଇନାନ୍ସ କର୍ମଚାରୀଙ୍କୁ ଭୁଜାଲିରେ ହାଣି ନେଇଗଲେ ୭୫ ହଜାର ଟଙ୍କା

ଫାଇନାନ୍ସ କର୍ମଚାରୀଙ୍କୁ ଭୁଜାଲିରେ ହାଣି ନେଇଗଲେ ୭୫ ହଜାର ଟଙ୍କା

ଭୁବନେଶ୍ୱର : ବାଲିଅନ୍ତା ଥାନା ଅଧୀନ ପ୍ରତାପରୁଦ୍ରପୁର-କଣ୍ଟାପଡ଼ା ଗ୍ରାମ ଉନ୍ନୟନ ମୁଖ୍ୟ ରାସ୍ତାର ପ୍ରତାପରୁଦ୍ରପୁର ଆଖଣ୍ଡଳେଶ୍ୱର ମନ୍ଦିର ବୃଷଭ ପ୍ରତିମୂର୍ତ୍ତି ନିକଟରେ ଆଜି ପୂର୍ବାହ୍ନ ସାଢ଼େ ୧୧ଟା ସମୟରେ ଦୁଇଜଣ ଦୁର୍ବୃତ୍ତ ଜଣେ ଫାଇନାନ୍ସ କର୍ମଚାରୀଙ୍କୁ ଭୁଜାଲିରେ ହାଣି ତାଙ୍କ ନିକଟରୁ ୭୫ ହଜାର ଟଙ୍କା ଲୁଟି ନେଇଛନ୍ତି । ଲୁଟର ଶିକାର କର୍ମଚାରୀ ହେଲେ ନଖରାସ୍ଥିତ ଭାରତ ଅର୍ଥଲଗାଣକାରୀ ସଂସ୍ଥାର ଜ୍ଞାନେନ୍ଦ୍ର ଦ୍ୱିବେଦୀ । ଭୁଜାଲି ଚୋଟରେ ଜ୍ଞାନେନ୍ଦ୍ରଙ୍କ ହାତ ଗଭୀର ଭାବେ କ୍ଷତାକ୍ତ ହୋଇଛି । ରକ୍ତାକ୍ତ ଅବସ୍ଥାରେ ଜ୍ଞାନେନ୍ଦ୍ର ସେଠାରେ ଛଟପଟ ହେଉଥିବା ବେଳେ ଲୁଟେରା ଚମ୍ପଟ ମାରିଥିଲେ । ସେହିବାଟେ ଯାଉଥିବା ପଥଚାରୀ ଏବଂ ବାଇକ ଆରୋହୀ ଅଟକି ଡାକ ପକାଇଥିଲେ । ପାଟିଶୁଣି ସ୍ଥାନୀୟ ଲୋକ ସେଠାରେ ପହଞ୍ଚି ୧୦୮ ଆମ୍ବୁଲାନ୍ସ ଡକାଇ ଚିକିତ୍ସା ଲାଗି ଜ୍ଞାନ୍ଦ୍ରେଙ୍କୁ ଅଡ଼ଶପୁର ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ । ଖବର ପାଇ ବାଲିଅନ୍ତା ଥାନା ଏଏସ୍‌ଆଇ ଅରୁଣ ମଲ୍ଲିକ ଓ ଏସ୍‌ଆଇ ତୃପ୍ତିମୟୀ ରାଉତ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରିଥିଲେ । ଏଥିସହିତ ଜ୍ଞାନେନ୍ଦ୍ରଙ୍କ ବାଇକକୁ ଉଦ୍ଧାର କରି ଥାନାକୁ ନେଇ ଯାଇଥିଲେ । ସୂଚନା ଅନୁଯାୟୀ, ଜ୍ଞାନେନ୍ଦ୍ର କଣ୍ଟାପଡ଼ା ରାସ୍ତାରେ ନଖରା ଯାଉଥିବା ବେଳେ ଦୁଇଜଣ ଯୁବକ କଳା ପଲସରରେ ତାଙ୍କୁ ପିଛା କରି ବୃଷଭ ପ୍ରତିମୂର୍ତ୍ତି ନିକଟରେ ଅଟକାଇଥିଲେ । ସେ ଗାଡ଼ି ରଖିବା ପରେ ଭୁଜାଲି ଦେଖାଇ ଭୟଭୀତ କରାଇ ଟଙ୍କା ଭର୍ତ୍ତି ବ୍ୟାଗ ମାଗିଥିଲେ । ହେଲେ ଜ୍ଞାନେନ୍ଦ୍ର ବିରୋଧ କରିବାରୁ ତାଙ୍କ ଡାହାଣ ହାତ ପାପୁଲିକୁ ଭୁଜାଲିରେ ହାଣି ଟଙ୍କା ବ୍ୟାଗ ଛଡ଼ାଇ ନେଇଥିଲେ । ଏହାପରେ ବିପରୀତ ଦିଗରେ ପ୍ରତାପରୁଦ୍ରପୁର ବ୍ରିଜ ଅଭିମୁଖେ ଦ୍ରୁତବେଗରେ ପଳାଇଥିଲେ । ସ୍ଥାନୀୟ ଯୁବକ ସେମାନଙ୍କ ପିଛା କରିଥିଲେ ମଧ୍ୟ କାବୁକରି ପାରିନଥିଲେ । ବାଲିଅନ୍ତା ଥାନା ପୁଲିସ ଆହତ କର୍ମଚାରୀଙ୍କୁ ଥାନାକୁ ନେଇ ପଚରାଉଚରା ଚଲାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking