31.4 C
Bhubaneswar
Sunday, June 21, 2026
Homeଓଡିଶାବଜ୍ରାଘାତରେ ମହିଳାଙ୍କ ମୃତ୍ୟୁ

ବଜ୍ରାଘାତରେ ମହିଳାଙ୍କ ମୃତ୍ୟୁ

ଅନୁଗୋଳ: ଭୋଜି କାର୍ଯ୍ୟକ୍ରମରୁ ଘରକୁ ଫେରୁଥିବା ବେଳେ ଘଟିଛି ଏକ ହୃଦୟବିଦାରକ ଅଘଟଣ। ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଅନ୍ତର୍ଗତ କରଲଗା ପଞ୍ଚାୟତର ମନୋହରପୁର ଗ୍ରାମ ନିକଟରେ ପ୍ରବଳ ବଜ୍ରାଘାତ ଘଟି ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ୯ ଜଣ ଆହତ ହୋଇଛନ୍ତି। ଏହି ଦୁଃଖଦ ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସୂଚନା ଅନୁଯାୟୀ,ବରଖୁଳ ଗ୍ରାମର କିଛି ଲୋକ ମନୋହରପୁର ଗ୍ରାମରେ ଆୟୋଜିତ ଏକ ଭୋଜି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଭୋଜି ସରିବା ପରେ ସେମାନେ ନିଜ ଗାଁକୁ ଫେରୁଥିବା ସମୟରେ ହଠାତ୍ ପାଗ ଖରାପ ହୋଇଯାଇଥିଲା। ଆକାଶରେ ଘନ ଘନ ବିଜୁଳି ଚମକିବା ସହ ବର୍ଷା ଆରମ୍ଭ ହୋଇଥିଲା ଏବଂ ମନୋହରପୁର ଗ୍ରାମ ନିକଟରେ ପ୍ରବଳ ବଜ୍ରାଘାତ ଘଟିଥିଲା।ଏହି ବଜ୍ରାଘାତରେ ବରଖୁଳ ଗ୍ରାମର ସାବିତ୍ରୀ ମୁଣ୍ଡା (୫୫) ଗୁରୁତର ଭାବେ ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ତୁରନ୍ତ ଉଦ୍ଧାର କରି ଚିକିତ୍ସା ପାଇଁ ପଠାଇଥିଲେ ମଧ୍ୟ ତାଙ୍କ ଜୀବନ ବଞ୍ଚାଇ ପାରିନଥିଲେ। ତାଙ୍କର ମୃତ୍ୟୁ ପରେ ପରିବାର ଓ ଗ୍ରାମବାସୀଙ୍କ ମଧ୍ୟରେ ଗଭୀର ଶୋକର ଛାୟା ନେମି ଆସିଛି। ଘଟଣାରେ ଆହତ ହୋଇଥିବା ୯ ଜଣଙ୍କୁ ସ୍ଥାନୀୟ ଲୋକଙ୍କ ସହଯୋଗରେ ୧୦୮ ଆମ୍ବୁଲାନ୍ସ ଯୋଗେ ଛେଣ୍ଡିପଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ତିନି ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଗୁରୁତର ଥିବାରୁ ଡାକ୍ତରମାନେ ସେମାନଙ୍କୁ ଉନ୍ନତ ଚିକିତ୍ସା ପାଇଁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ।।ଘଟଣାର ଖବର ପାଇ ଖଇରପାଲି ପୋଲିସ ଫାଣ୍ଡି ଅଧିକାରୀ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିର ଅନୁଧ୍ୟାନ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ପୋଲିସ ପକ୍ଷରୁ ଘଟଣାର ସମସ୍ତ ଦିଗକୁ ନେଇ ତଥ୍ୟ ସଂଗ୍ରହ କରାଯାଉଛି। ଭୋଜି କାର୍ଯ୍ୟକ୍ରମରୁ ଘରକୁ ଫେରୁଥିବା ବେଳେ ଘଟିଥିବା ଏହି ଅପ୍ରତ୍ୟାଶିତ ଅଘଟଣ ଅଞ୍ଚଳବାସୀଙ୍କୁ ମର୍ମାହତ କରିଛି। ମୃତ ସାବିତ୍ରୀ ମୁଣ୍ଡାଙ୍କ ପରିବାରକୁ ସରକାରୀ ସହାୟତା ଏବଂ ଆହତମାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking