ଛତିଶଗଡ଼: ଛତିଶଗଡ଼ର ରାଇଗଡ଼ ଜିଲ୍ଲାରେ ଶନିବାର ଦୁଇଟି ପୃଥକ୍ ବଣୁଆ ହାତୀ ଆକ୍ରମଣ ଘଟଣାରେ ୨ ଜଣ ଲୋକଙ୍କ ମୃତ୍ୟୁ ହୋଇଛି। ଏହି ସଦ୍ୟ ଘଟଣା ପରେ ରାଜ୍ୟରେ ସପ୍ତାହକରେ ହାତୀ ଆକ୍ରମଣରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବନ୍ୟ ଅଧିକାରୀ କହିଛନ୍ତି। ଧର୍ମଜୟଗଡ଼ ଡିଭିଜନର ଛଲ ଓ କାପୁ ଜଙ୍ଗଲ ରେଞ୍ଜରେ ଆଜି ସକାଳେ ହାତୀ ଲୋକଙ୍କୁ ଆକ୍ରମଣ କରିଥିଲା। କାପୁ ଜଙ୍ଗଲ ରେଞ୍ଜର ତଳଗାଓଁରେ ଗାଁକୁ ଏକ ବଣୁଆ ହାତୀ ପଶି ଆସିବା ପରେ ଗାଁରେ ଆତଙ୍କ ଖେଳି ଯାଇଥିଲା। ହାତୀକୁ ଦେଖି ଶକୁନ୍ତଳା ବାଇ (୩୭) ତାଙ୍କ ଘରୁ ବାହାରକୁ ଦୌଡ଼ି ପଳାଇବାକୁ ଚେଷ୍ଟା କରୁଥିବାବେଳେ ହାତୀ ତାଙ୍କୁ ଆକ୍ରମଣ କରି ମାରିଦେଇଥିଲା ବୋଲି ଧର୍ମଜୟଗଡ଼ ଡିଏଫ୍ଓ ଜିତେନ୍ଦ୍ର ଉପାଧ୍ୟାୟ କହିଛନ୍ତି।ତେବେ ମୃତକଙ୍କ ନାବାଳିକା ଝିଅ ଅଳ୍ପକେ ବର୍ତ୍ତି ଯାଇଥିଲା।
ଉପାଧ୍ୟାୟ କହିଛନ୍ତି ଯେ, ଛଲ ବନାଞ୍ଚଳ ଅନ୍ତର୍ଗତ ଔରନାରା ଗାଁରେ ବନ୍ଧନ ସିଂହ ଅଗାରିଆ (୫୦) ନାମକ ଜଣେ ଶ୍ରମିକଙ୍କର ମଧ୍ୟ ଜଙ୍ଗଲୀ ହାତୀ ଆକ୍ରମଣରେ ମୃତ୍ୟୁ ହୋଇଛି। ଗ୍ରାମବାସୀଙ୍କ ସୂଚନା ପରେ ବନ ଓ ପୁଲିସ କର୍ମଚାରୀମାନେ ଉଭୟ ସ୍ଥାନରେ ପହଞ୍ଚି ମୃତଦେହଗୁଡ଼ିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାକୁ ତୁରନ୍ତ ୨୫,୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ବକେୟା ୫ ଲକ୍ଷ ୭୫ ହଜାର ଟଙ୍କା ଅନ୍ୟ ଔପଚାରିକତା ପୂରଣ ହେବା ପରେ ପ୍ରଦାନ କରାଯିବ ବୋଲି ଅଧିକାରୀ କହିଛନ୍ତି।










