ଭୁବନେଶ୍ୱର: ମାଷ୍ଟରକ୍ୟାଣ୍ଟିନ ହିଂସା ଘଟଣାରେ ମୁହଁ ଖୋଲିଛନ୍ତି ଅନଲାଇନ ଅଟୋ ସଂଘର ସଭାପତି । ସଙ୍ଘ ସଭାପତି ଦୀନବନ୍ଧୁ ନାୟକ ଏକ ଭିଡିଓ ବାର୍ତ୍ତା ମାଧ୍ୟରେ ପ୍ରତିକ୍ରିୟା ରଖିବା ସହ ଜନ ସାଧାରଣଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି ।ସେ କହିଛନ୍ତି ଯେ, ସେଦିନର ଅଘଟଣ ପାଇଁ ଜନସାଧାରଣଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି । ଜନତାଙ୍କ ଅସୁବିଧା ପାଇଁ ସେ ଦୁଃଖିତ । ଆନ୍ଦୋଳନରେ କୌଣସି ରାଜନୀତି ନାହିଁ । କିନ୍ତୁ ୧୪ ମିନିଟର ଭିଡିଓ ବାର୍ତ୍ତାରେ ଡ୍ରାଇଭର ମାନଙ୍କ ସପକ୍ଷରେ ମଧ୍ୟ ମତ ଦେଇଛନ୍ତି। ନିଜର ହକ୍ ପୂରଣ ହେଉନଥିବାରୁ ସେ ଆନ୍ଦୋଳନ ପନ୍ଥା ଆପଣାଇଥିବା ଭିଡିଓ ବାର୍ତ୍ତାରେ ପ୍ରକାଶ କରିଛନ୍ତି ।ସୂଚନାଯୋଗ୍ୟ, ଗଣ୍ଡଗୋଳ ଘଟଣାରେ ୧୧୩ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ପୋଲିସ । ଘଟଣାରେ ୩୫୪ଟି ଗାଡ଼ି ଜବତ କରାଯାଇଛି। ଏନେଇ ଖାରବେଳନଗର ଥାନାରେ ୭ଟି ଏଫଆଇଆର୍ ରୁଜୁ ହୋଇଛି । ଟ୍ୟାକ୍ସି ଆସୋସିଏସନ ଘର ଉପରେ ବୁଲଡୋଜର ବି ଚାଲିଛି । ସେପଟେ ଅଭିଯୁକ୍ତ ଗାଡି ମାଲିକ ଚଳାଉଥିବା ଗାଡିର ପରମିଟ, RC କାହିଁକି ବାତିଲ ନହେବ ବୋଲି ସୋ’ କଜ୍ ନୋଟିସ ଜାରି କରିଛି ପରିବହନ ବିଭାଗ। ଅନ୍ୟ ଦିଗରେ ମାଷ୍ଟରକ୍ୟାଣ୍ଟିର ଘଟଣା ପରଠୁ ସଙ୍ଘ ସଭାପତି ଦୀନବନ୍ଧୁ ଫେରାର ରହିଛନ୍ତି । ତାଙ୍କୁ ଧରିବା ପାଇଁ ମଧ୍ୟ ପୋଲିସ ବିଭିନ୍ନ ସ୍ଥାନରେ ଚଢଉ କରୁଛି ।










