26.1 C
Bhubaneswar
Sunday, August 16, 2026
Homeଦେଶ ବିଦେଶଭୟଙ୍କର ନୌକା ଦୁର୍ଘଟଣା, ୭୨ ମୃତ

ଭୟଙ୍କର ନୌକା ଦୁର୍ଘଟଣା, ୭୨ ମୃତ

ନୂଆଦିଲ୍ଲୀ: ଜିମ୍ବାୱେରେ ଭୟଙ୍କର ନୌକା ଦୁର୍ଘଟଣା । କରିବା ହ୍ରଦରେ ଏକ ଯାତ୍ରୀବାହୀ ନୌକା ଓଲଟି ପଡ଼ିବାରୁ ୭୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ୧୮ ଜଣ ଶିଶୁ ଥିବା ଜଣାପଡ଼ିଛି । ଶନିବାର ଉଦ୍ଧାରକାରୀ ଦଳ ହ୍ରଦରୁ ଆଉ ଅନେକ ମୃତଦେହ ଉଦ୍ଧାର କରିବା ପରେ ମୃତ୍ୟୁସଂଖ୍ୟା ୭୨ରେ ପହଞ୍ଚିଥିବା ପୁଲିସ ସ୍ପଷ୍ଟ କରିଛି। ପୁଲିସର ସୂଚନା ଅନୁସାରେ, ଉଦ୍ଧାରକାରୀ ଦଳ ଆଉ ୨୬ଟି ମୃତଦେହ ଉଦ୍ଧାର କରିବା ପରେ ମୃତ୍ୟୁସଂଖ୍ୟା ୭୨କୁ ବୃଦ୍ଧି ପାଇଛି । ତେବେ ନୌକାରେ ପ୍ରକୃତରେ କେତେ ଜଣ ଯାତ୍ରୀ ଥିଲେ ଏବଂ ଆଉ କେତେ ଜଣ ନିଖୋଜ ଅଛନ୍ତି, ସେନେଇ ଅଧିକାରୀମାନେ ସ୍ପଷ୍ଟ ସୂଚନା ଦେଇନାହାନ୍ତି।

ସୂଚନା ଅନୁସାରେ, ଏହି ପୁରୁଣା ନୌକାଟି କରିବା ସହରରୁ ଦେଶର ଉତ୍ତର-ପଶ୍ଚିମ ଅଞ୍ଚଳରେ ଥିବା ଗ୍ରାମୀଣ ଓ ମତ୍ସ୍ୟଜୀବୀ ସମୁଦାୟ ଅଭିମୁଖେ ଯାଉଥିଲା । ଏହି ଅଞ୍ଚଳରେ ରାସ୍ତାଘାଟର ଅବସ୍ଥା ଖରାପ ଏବଂ ସାଧାରଣ ପରିବହନ ବ୍ୟବସ୍ଥା ମଧ୍ୟ ସୀମିତ । ତେଣୁ କରିବା ହ୍ରଦର ଆଖପାଖ ଗ୍ରାମର ଲୋକଙ୍କ ପାଇଁ ଏହି ନୌକା ଏକ ପ୍ରମୁଖ ଯାତାୟାତ ମାଧ୍ୟମ ଥିଲା । ଏହି ନୌକାଟି ଏକ ସରକାରୀ ସଂସ୍ଥା ଦ୍ୱାରା ପରିଚାଳିତ ହେଉଥିଲା । ନୌକାର କ୍ଷମତା ୯୦ ଜଣ ଥିବାବେଳେ ଏଥିରେ ପ୍ରାୟ ୧୫୩ ଜଣ ଯାତ୍ରୀ ଥିବା ଆକଳନ କରାଯାଉଛି । ଅର୍ଥାତ୍ ନୌକାଟି ନିର୍ଦ୍ଧାରିତ କ୍ଷମତାଠାରୁ ବହୁ ଅଧିକ ଯାତ୍ରୀଙ୍କୁ ନେଇ ଯାଉଥିବା ଅଭିଯୋଗ ହୋଇଛି। ଦୁର୍ଘଟଣା ପରେ ଉଦ୍ଧାରକାରୀ ଦଳ ୭୭ ଜଣଙ୍କୁ ଜୀବିତ ଉଦ୍ଧାର କରିଛି । ଜିମ୍ବାୱେର ଡିଜାଷ୍ଟର ମ୍ୟାନେଜମେଣ୍ଟ ଏଜେନ୍ସିର ସୂଚନା ଅନୁସାରେ, ଉଦ୍ଧାର ହୋଇଥିବା ଲୋକଙ୍କୁ ହ୍ରଦର ଏକ ଛୋଟ ଦ୍ୱୀପକୁ ନିଆଯାଇଥିଲା। ସେମାନଙ୍କୁ ସେଠାରୁ ଫେରାଇ ଆଣିବା ପାଇଁ ଅନ୍ୟ ନୌକା ପଠାଯାଇଥିଲା। ପ୍ରଥମେ ନୌକାରେ କେତେ ଜଣ ଶିଶୁ ଥିଲେ, ତାହା ଜଣାପଡ଼ିନଥିଲା । କାରଣ ଟିକେଟ୍ କରିବାର ବୟସ ହୋଇନଥିବା ଛୋଟ ପିଲାଙ୍କୁ ଯାତ୍ରୀଙ୍କ ସଂଖ୍ୟାରେ ଗଣନା କରାଯାଇନଥିଲା । ପରେ ପୁଲିସ ଜାରି କରିଥିବା ମୃତକଙ୍କ ତାଲିକାରୁ ଜଣାପଡ଼ିଥିଲା ଯେ, ମୃତ ଶିଶୁଙ୍କ ମଧ୍ୟରୁ ୧୬ ଜଣଙ୍କ ବୟସ ୧୦ ବର୍ଷ କିମ୍ବା ତାଠାରୁ କମ୍। ମୃତକଙ୍କ ମଧ୍ୟରେ ମାତ୍ର ୧ ବର୍ଷର ଶିଶୁ ମଧ୍ୟ ଥିବା ଜଣାପଡ଼ିଛି। ଏହି ଭୟଙ୍କର ନୌକା ଦୁର୍ଘଟଣା ପରେ ନିଖୋଜ ଯାତ୍ରୀଙ୍କ ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking