ଭୁବନେଶ୍ୱର: ଆଜି ଭୁବନେଶ୍ୱର ସ୍ଥିତ ଶଙ୍ଖ ଭବନ ଠାରେ ବିଜୁ ମହିଳା ଜନତା ଦଳର ବରିଷ୍ଠ ଉପସଭାପତି ସନ୍ଧ୍ୟାରାଣୀ ବିଶ୍ୱାଳଙ୍କ ବିୟୋଗରେ ବିଜୁ ଜନତା ଦଳ ପକ୍ଷରୁ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା । ସଂଗଠନ ପ୍ରତି ତାଙ୍କର ଅବଦାନ ଏବଂ ଜନସେବା ପ୍ରତି ତାଙ୍କର ପ୍ରତିବଦ୍ଧତାକୁ ଦଳୀୟ ନେତୃମଣ୍ଡଳୀ ମାନେ ଆଲୋକପାତ କରିଥିଲେ । ଏହି ଶୋକସଭାରେ ଡ଼ ଗୀତା ବସ୍ତିଆ ମଞ୍ଚ ପରିଚାଳନା କରିଥିଲେ ।
ବିଜେଡିର ବରିଷ୍ଠ ଉପସଭାପତି ଶ୍ରୀମତୀ ପ୍ରମିଳା ମଲ୍ଲିକ କହିଥିଲେ ଯେ, ସ୍ୱର୍ଗତ ସନ୍ଧ୍ୟାରାଣୀ ବିଶ୍ୱାଳ ଦୀର୍ଘ ସମୟ ଧରି ବିଜୁ ଜନତା ଦଳ ସହ ଜଡ଼ିତ ରହିଥିଲେ ଏବଂ ସେ ଜଣେ ନିଷ୍ଠାବାନ ଓ ଦକ୍ଷ ସଂଗଠକ ଥିଲେ । ଦଳୀୟ ସଂଗଠନ ପ୍ରତି ତାଙ୍କର ପ୍ରତିବଦ୍ଧତା ଏବଂ ଦଳୀୟ କର୍ମୀମାନଙ୍କ ସହ ତାଙ୍କର ଘନିଷ୍ଠ ସମ୍ପର୍କ ସର୍ବଦା ସ୍ମରଣୀୟ ହୋଇ ରହିବ । ତାଙ୍କର ଦେହାନ୍ତରେ ସେ ଗଭୀର ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଥିଲେ ।
ବିଜେଡିର ବରିଷ୍ଠ ଉପସଭାପତି ଶ୍ରୀ ଦେବୀ ପ୍ରସାଦ ମିଶ୍ର କହିଥିଲେ ଯେ, ସ୍ୱର୍ଗତ ସନ୍ଧ୍ୟାରାଣୀ ବିଶ୍ୱାଳ ଜଣେ ନିଷ୍ଠାବାନ କର୍ମୀ ଭାବେ ଆନ୍ତରିକତା ଓ ନିଷ୍ଠାର ସହ ସଂଗଠନ ପାଇଁ କାର୍ଯ୍ୟ କରିଥିଲେ । ଦଳୀୟ ସଂଗଠନକୁ ସୁଦୃଢ଼ କରିବାରେ, ବିଶେଷକରି ମହିଳା ସଂଗଠନ ସହ ତାଙ୍କର ସମ୍ପୃକ୍ତି ଓ ତାଙ୍କର ଅବଦାନ ସମ୍ମାନର ସହ ସ୍ମରଣ କରାଯିବ । ସେ ତାଙ୍କ ପରିବାର ପ୍ରତି ହୃଦୟରୁ ସମବେଦନା ଜଣାଇଥିଲେ ।
ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ, ସ୍ୱର୍ଗତ ସନ୍ଧ୍ୟାରାଣୀ ବିଶ୍ୱାଳଙ୍କର ଦଳ ସହ ଦୀର୍ଘ ଦିନର ସମ୍ପର୍କ ଏବଂ ସାଂଗଠନିକ କାର୍ଯ୍ୟ ପ୍ରତି ତାଙ୍କର ନିଷ୍ଠାକୁ ମନେ ପକାଇଥିଲେ । ସେ ଦଳୀୟ କର୍ମୀମାନଙ୍କ ସହ ଘନିଷ୍ଠ ସମ୍ପର୍କ ରଖିବା ସହ ସର୍ବଦା ଆନ୍ତରିକତା ଓ ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଥିଲେ । ସହକର୍ମୀମାନଙ୍କ ସହ ତାଙ୍କର ସ୍ନେହପୂର୍ଣ୍ଣ ସମ୍ପର୍କ ଓ ଅବଦାନ ଆମ ପାଇଁ ସର୍ବଦା ସ୍ମରଣୀୟ ହୋଇ ରହିବ ।
ପୂର୍ବତନ ସାଂସଦ ଶ୍ରୀମତୀ ଶର୍ମିଷ୍ଠା ସେଠୀ, ସ୍ୱର୍ଗତ ସନ୍ଧ୍ୟାରାଣୀ ବିଶ୍ୱାଳଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଥିଲେ । ସେ କହିଥିଲେ ଯେ, ସେ ଜଣେ ନିଷ୍ଠାବାନ କର୍ମୀ ଥିଲେ ଓ ତୃଣମୂଳ ସ୍ତରର କର୍ମୀମାନଙ୍କ ସହ ସର୍ବଦା ଯୋଡ଼ି ହୋଇ ରହିଥିଲେ । ସେ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇବା ସହ ଭଗବାନ ତାଙ୍କ ପରିବାରକୁ ଏ କଠିନ ସମୟରେ ସହାୟକ ହୁଅନ୍ତୁ ବୋଲି କହିଥିଲେ ।
ପୂର୍ବତନ ସାଂସଦ ଡ଼ ରାଜଶ୍ରୀ ମଲ୍ଲିକ କହିଥିଲେ ଯେ, ସ୍ୱର୍ଗତ ସନ୍ଧ୍ୟାରାଣୀ ବିଶ୍ୱାଳ ଦଳର ସଂଗଠନ ପାଇଁ ନିଷ୍ଠାର ସହ କାର୍ଯ୍ୟ କରୁଥିଲେ । ଦଳୀୟ କର୍ମୀମାନଙ୍କ ସହ ତାଙ୍କର ସମ୍ପର୍କକୁ ସ୍ମରଣ କରିବା ସହ ତାଙ୍କର ଅବଦାନ ଓ ଉପସ୍ଥିତିକୁ ଦଳୀୟ ପରିବାର ସର୍ବଦା ଅନୁଭବ କରିବ ବୋଲି କହିଥିଲେ । ସେ ତାଙ୍କ ଜୀବନର ଶେଷ ସମୟ ପର୍ଯ୍ୟନ୍ତ ଦଳର ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଆନୁଗତ୍ୟ ପ୍ରକାଶ କରିଥିଲେ ।
ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦିକା ଶ୍ରୀମତୀ ସୁମିତ୍ରା ଜେନା, ସ୍ୱର୍ଗତ ସନ୍ଧ୍ୟାରାଣୀ ବିଶ୍ୱାଳଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇ ତାଙ୍କର ନିଷ୍ଠା, ସରଳତା ଏବଂ ସଂଗଠନ ପ୍ରତି ପ୍ରତିବଦ୍ଧତାକୁ ସ୍ମରଣ କରିଥିଲେ । ସେ କହିଥିଲେ ଯେ, ବିଜୁ ଜନତା ଦଳ ସହ ତାଙ୍କର ସମ୍ପର୍କ ଏବଂ ଦଳର ସାଂଗଠନିକ କାର୍ଯ୍ୟକଳାପରେ ତାଙ୍କର ଅବଦାନକୁ ସର୍ବଦା ସମ୍ମାନ ଓ ସ୍ନେହର ସହ ସ୍ମରଣ କରାଯିବ ।
ଏହି ଶୋକସଭାରେ ଇପ୍ସିତା ସାହୁ, ଡ଼ ଲେନିନ ମହାନ୍ତି, ଡ଼ ପ୍ରିୟବ୍ରତ ମାଝୀ, ବିଜୟ ନାୟକ, ଅନନ୍ତ ନାରାୟଣ ଜେନା, ସୁରେନ୍ଦ୍ରନାଥ ମହାପାତ୍ର, ନାରାୟଣ ଜେନା, ସୁଲୋଚନା ଦାସ, କୁ୍ୟ ସୁଲତାନା, ସଞ୍ଜୁକ୍ତା ମହାନ୍ତି, ସ୍ନେହାଞ୍ଜଳି ମହାନ୍ତି, ପ୍ରୀତିନନ୍ଦା ରାଉତରାୟ, ଜ୍ୟୋତ୍ସ୍ନା ପରିଡ଼ା, ରାଣା ଗଡ଼ନାୟକ, ସ୍ୱର୍ଣ୍ଣଲତା ସାମଲ, ତିଳୋତ୍ତମା ଚୌଧୁରୀ, ମଧୁସ୍ମିତା ଦାଶ, ବାସନ୍ତୀ ସାହୁ, ଶାନ୍ତିଲତା ସାହୁ, ଲୋରା ମହାପାତ୍ର, ଭାରତୀ ସିଂହ, ସୁସ୍ମିତା ଦାସ, ଚିନ୍ମୟୀ ଦାସ, ସାଗରିକା ସ୍ୱାଇଁ, ମାନସୀ ସୁନ୍ଦରାୟ, ଈଲା ସ୍ୱାଇଁ, ସ୍ମିତା ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।










