ଭୁବନେଶ୍ୱର: ବିନା ଫିଟନେସରେ ଗାଡି ଚଳାଇଲେ ଜବତ ହେବ ଗାଡି । ସଡକ ଦୁର୍ଘଟଣା ରୋକିବାକୁ ରାଜ୍ୟ ପରିବହନ ପ୍ରାଧିକରଣର କଠୋର ନିଷ୍ପତ୍ତି । ଆରଟିଏ, ଏଆରଟିଓ ଏବଂ ଏନଫୋର୍ସମେଣ୍ଟ ଅଧିକାରୀଙ୍କୁ ସର୍କୁଲାର ଜାରି ହୋଇଛି । ସର୍କୁଲାର ଅନୁସାରେ, ବିନା ଫିଟନେସ ସାର୍ଟିଫିକେଟରେ ଚଳାଚଳ କରୁଥିବା ଗାଡି ବିରୋଧରେ କେବଳ ଜରିମାନା ଲାଗୁ ହେବ ନାହିଁ । ବରଂ ଆବଶ୍ୟକସ୍ଥଳରେ ମୋଟର ଯାନ ଆଇନର ଧାରା ୨୦୭ ଅନୁଯାୟୀ, ଗାଡି ଜବତ କରାଯିବ । ଏପ୍ରିଲ ୧ରୁ ଜୁନ ୩୦ , ୨୦୨୬ ମଧ୍ୟରେ ହୋଇଥିବା ଯାଞ୍ଚରେ ସାରା ରାଜ୍ୟରେ ୧ ଲକ୍ଷ ୬୪ ହଜାର ୮୮୨ଟି ଚାଲାଣ କଟାଯାଇଥିଲେ ମଧ୍ୟ ମାତ୍ର ୪୨୮ଟି ଗାଡି ଜବତ ହୋଇଛି । ବିନା ଫିଟନେସରେ ସହିତ ପଞ୍ଜୀକରଣ , ପରମିଟ କିମ୍ବା ବୀମା ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ବିରୋଧରେ ମଧ୍ୟ କଡା ଆଭିମୁଖ୍ୟ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ପୁଲିସ ସହ ସମନ୍ୱୟ ଭିଏଏଚଏଏନ ଓ ଇ- ଚାଲାଣ ଡ୍ୟାସବୋର୍ଡର ଆଲର୍ଟ ବ୍ୟବସ୍ଥାକୁ ମଧ୍ୟ ବ୍ୟବହାର କରାଯିବ । ରାଜ୍ୟ ସରକାର ସଡକ ଦୁର୍ଘଟଣା ହ୍ରାସକୁ ମିଶନ ଭାବେ ଗ୍ରହଣ କରିଥିବା ବେଳେ ସମସ୍ତ ଗାଡି ମାଲିକ ଓ ଚାଳକଙ୍କୁ ସଡକ ସୁରକ୍ଷା ନିୟମ କଡାକଡି ପାଳନ କରିବାକୁ ଅନୁରୋଧ କରାଯାଇଛି ।










