ଭୁବନେଶ୍ୱର: ଓଡ଼ିଶାର ଘରେ ଘରେ ପରିଚିତ ‘ଲକ୍ଷ୍ମୀପୁରାଣ’କୁ ନେଇ ଏବେ ରାଜ୍ୟ ରାଜନୀତି ଉଷ୍ମ ହେବାରେ ଲାଗିଛି । ମହାକବି ବଳରାମ ଦାସଙ୍କ ମୂଳ ରଚନାକୁ ଆଧାର କରି ଏକ ନୂଆ, ସଂଶୋଧିତ ଓ ପରିମାର୍ଜିତ ଲକ୍ଷ୍ମୀପୁରାଣ ପ୍ରସ୍ତୁତ କରିବା ସହ ରାଜ୍ୟର ପ୍ରାୟ ୧ କୋଟି ପରିବାରକୁ ଏହା ମାଗଣାରେ ବଣ୍ଟନ କରାଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି । ଯାହାକୁ କଟାକ୍ଷ କରିଛି ବିଜେଡି । ସୂଚନା ଅନୁଯାୟୀ, ନୂଆ ଲକ୍ଷ୍ମୀପୁରାଣ ବହି ଓଡ଼ିଆ ସାହିତ୍ୟ ଏକାଡେମୀ ଦ୍ୱାରା ଏହି ପୁସ୍ତକ ଛପାଯିବ । ଗତକାଲି ଲକ୍ଷ୍ମୀପୁରାଣ କରିଡର୍ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ସୂଚନା ଦେଇଛନ୍ତି । ସରକାରଙ୍କ କହିବା ଅନୁଯାୟୀ, ବଜାରରେ ଏବେ ମିଳୁଥିବା ଏବଂ ଘରେ ଘରେ ପଢ଼ାଯାଉଥିବା ଲକ୍ଷ୍ମୀପୁରାଣରେ ଅନେକ ଭ୍ରମାତ୍ମକ ତଥ୍ୟ ରହିଛି, ଯାହା ମୂଳ ଭାବଧାରାରୁ ବିଚ୍ୟୁତ । ଏପରିକି ଜଣାଶୁଣା ଗାୟିକା ନମିତା ଅଗ୍ରୱାଲ ଓ ଗୀତା ଦାସ ମଧ୍ୟ ଅଦ୍ୟାବଧି ଏହି ଅସମ୍ପୂର୍ଣ୍ଣ ସଂସ୍କରଣ ଗାଇ ଆସୁଥିବା ନେଇ ଅଭିଯୋଗ ହୋଇଛି । ତେଣୁ ସରକାର ଉଭୟ ଗାୟିକାଙ୍କ ସହ ଆଲୋଚନା କରିଛନ୍ତି ଏବଂ ସେମାନେ ନୂଆ ଛନ୍ଦ ଓ ସ୍ୱରରେ ଏହି ସଂଶୋଧିତ ପୁରାଣକୁ ଗାଇବା ପାଇଁ ସହମତି ପ୍ରକାଶ କରିଛନ୍ତି । ଏହା ସହିତ ବଳରାମ ଦାସଙ୍କ ଜନ୍ମପୀଠରେ ଏକ ‘ମହାଲକ୍ଷ୍ମୀ କରିଡର’ ନିର୍ମାଣ କରାଯିବ, ଯେଉଁଠାରେ ବଳରାମ ଦାସ ଓ ମା’ ଲକ୍ଷ୍ମୀଙ୍କ ରିସର୍ଚ୍ଚ ଗ୍ୟାଲେରି ରହିବ । ଏହି ପ୍ରକଳ୍ପ ସ୍ଥାନୀୟ ଲୋକଙ୍କୁ ରୋଜଗାର ଦେବା ସହ ଏକାସଙ୍ଗେ ୫୦୦ ମହିଳା ଲକ୍ଷ୍ମୀପୁରାଣ ଗାନ କରିବାର ବ୍ୟବସ୍ଥା ହେବ ।










